ଓଡ଼ିଶାଲାଇଭ୍ ବ୍ୟୁରୋ
- ପଶ୍ଚିମବଙ୍ଗରେ କୌଣସି ପୂଜା ମଣ୍ଡପରେ ପ୍ରବେଶ କରିପାରିବେନି ଭକ୍ତ
- ଦୁର୍ଗାପୂଜା ପାଇଁ ନିର୍ଦ୍ଦେଶ ଜାରି କଲେ କୋଲକାତା ହାଇକୋର୍ଟ
- କେବଳ ଆୟୋଜକମାନଙ୍କୁ ପୂଜା ମଣ୍ଡପ ଭିତରକୁ ମିଳିବ ଅନୁମତି
କୋଲକାତା ହାଇକୋର୍ଟ ସୋମବାର ପଶ୍ଚିମବଙ୍ଗର ସମସ୍ତ ଦୁର୍ଗାପୂଜା ପେଣ୍ଡାଲକୁ ‘ନୋ ଏଣ୍ଟ୍ରି ଜୋନ୍’ ଭାବେ ଘୋଷଣା କରିଛି। ଅର୍ଥାତ, ଶ୍ରଦ୍ଧାଳୁମାନେ ଏଥର ଦୁର୍ଗାପୂଜାରେ ପେଣ୍ଡାଲରେ ପ୍ରବେଶ କରିପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି।
ଦୁର୍ଗାପୂଜା ଆୟୋଜନ କରୁଥିବା ଆୟୋଜକମାନେ ହିଁ କେବଳ ପେଣ୍ଡାଲ ଭିତରକୁ ଯାଇପାରିବେ। ଏଥିସହିତ ଯେଉଁ ଆୟୋଜକମାନେ ପେଣ୍ଡାଲ ଭିତରେ ଉପସ୍ଥିତ ରହିବେ ସେମାନଙ୍କ ନାଁ ପେଣ୍ଡାଲ ବାହାରେ ଲେଖାଯିବ ବୋଲି କୋର୍ଟ କହିଛନ୍ତି।
କରୋନା କଟକଣାକୁ ଦେଖି ଚଳିତ ଥର ଅଧିକାଂଶ ପୂଜା ମଣ୍ଡପ ଭକ୍ତଙ୍କ ଦର୍ଶନକୁ ବାରଣ କରିଛନ୍ତି। ଶ୍ରଦ୍ଧାଳୁମାନେ ମଣ୍ଡପ ନଆସି ଘରେ ରହି ଦେବୀଙ୍କ ଦର୍ଶନ କରିବାକୁ ଆୟୋଜକମାନେ ଅନୁରୋଧ କରିଛନ୍ତି। ଏଥିସହ ଭକ୍ତଙ୍କ ସୁବିଧା ପାଇଁ କେତେକ ପୂଜା ମଣ୍ଡପ ଏଥର ନିଜର ୟ୍ୟୁଟ୍ୟୁବ ଚ୍ୟାନେଲରେ ପୂଜାର ସିଧାପ୍ରସାରଣ କରିବେ। ୟ୍ୟୁଟ୍ୟୁବରୁ ଦେବୀଙ୍କ ଦର୍ଶନ କରି ଲୋକମାନେ ନିଜର ପୂଜାବିଧି ପାଳନ କରିବେ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।
ଏହାପୂର୍ବରୁ ଓଡ଼ିଶାରେ ମଧ୍ୟ ଶାରଦୀୟ ପୂଜା ପାଇଁ ଗାଇଡଲାଇନ୍ ଆସିସାରିଛି। ଏହି ନିୟମ ଅନୁସାରେ ଏଥର ଦୁର୍ଗାପୂଜାରେ ସାଧାରଣ ଲୋକଙ୍କୁ ଦେବୀଙ୍କ ଦର୍ଶନ ବାରଣ କରାଯାଇଛି। କେବଳ ପୂଜକ ଓ ଆୟୋଜକଙ୍କୁ ନେଇ ଏଥର ଦୁର୍ଗାପୂଜା ଆୟୋଜିତ ହେବ।