ଓଡ଼ିଶାଲାଇଭ୍ ବ୍ୟୁରୋ

  • ଶୀତଦିନେ ସଂକ୍ରମଣ ବଢ଼ିପାରେ
  • ଭାରତରେ କରୋନାର ଦ୍ଵିତୀୟ ଲହରୀ ଆସିପାରେ
  • ସମସ୍ତେ କରୋନା କଟକଣା ମାନିବା ଦରକାର
  • ଟିକା ଆସିବା ପର୍ଯ୍ୟନ୍ତ ଅତ୍ୟନ୍ତ ସତର୍କ ରହିବାକୁ ପଡ଼ିବ
  • ଡିସେମ୍ବର ସୁଦ୍ଧା କରୋନା ଟିକା ଆସିଯିବ

ଶୀତଦିନେ ପ୍ରଦୂଷଣ ମାତ୍ରା ଅଧିକ ରହୁଥିବାରୁ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। ଆଗକୁ ପାର୍ବଣ ଋତୁ ଓ ନିର୍ବାଚନ ଥିବାରୁ ଜନଗହଳି ହେବାର ସମ୍ଭାବନା ଅଧିକ। ଏହାଛଡ଼ା କରୋନା କଟକଣା ଧିରେ ଧିରେ କୋହଳ ହେଉଥିବାରୁ ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି। ତେଣୁ ସତର୍କ ରହିବା ସହ କରୋନା ନିୟମକୁ ମାନି ଚଳିବାକୁ ପଡ଼ିବ ବୋଲି ଭୁବନେଶ୍ଵର କର କ୍ଲିନିକ୍‌ର ଆଇସିୟୁ ଇନ୍‌ଚାର୍ଜ ଡାକ୍ତର ନୀରଜ ମିଶ୍ର କହିଛନ୍ତି। ବୁଧବାର କରୋନା ପରବର୍ତ୍ତୀ ଜଟିଳତା ବିଷୟରେ ଆଲୋଚନା କରିବା ଅବସରରେ ସେ ଏ ବାବଦରେ ସୂଚନା ଦେଇଛନ୍ତି।ଶୀତଦିନେ କରୋନାର ଦ୍ଵିତୀୟ ଲହରୀ ଆସିପାରେ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି। ତେଣୁ ଏହି ଭାଇରସ୍‌କୁ ହରାଇବା ପାଇଁ ଆମକୁ ସତର୍କ ରହିବାକୁ ପଡ଼ିବ। ଏହାଦ୍ଵାରା ଆମେ ନିଜକୁ ସୁରକ୍ଷିତ ରଖିବା ସହିତ ଆମ ପରିବାର, ସାଙ୍ଗସାଥୀ, ପଡ଼ୋଶୀ ଆଦିଙ୍କ ସୁରକ୍ଷା ସୁନିଶ୍ଚିତ କରିପାରିବା ବୋଲି ଡାକ୍ତର ମିଶ୍ର କହିଛନ୍ତି।

ଡାକ୍ତର ମିଶ୍ର କହିଛନ୍ତି ଯେ, ୫୦ ବର୍ଷରୁ ଊର୍ଦ୍ଧ୍ଵ ଆକ୍ରାନ୍ତମାନେ କରୋନା ଯୋଗୁ ବେଶୀ ପ୍ରଭାବିତ ହେଉଛନ୍ତି। ଯେଉଁମାନେ ଅଧିକ ମୋଟା କିମ୍ବା ଡାଇବେଟିସ୍, ଉଚ୍ଚ ରକ୍ତଚାପ ଆଦି ରୋଗରେ ପୀଡ଼ିତ ସେମାନଙ୍କୁ କରୋନା ହେବାର ସମ୍ଭାବନା ଅଧିକ ରହିଛି। ଏପରି ରୋଗୀଙ୍କ କ୍ଷେତ୍ରରେ କୋଭିଡ୍ ପରବର୍ତ୍ତୀ ସମସ୍ୟା ମଧ୍ୟ ଅଧିକ ରହୁଛି।

ଏହାଛଡ଼ା ସବୁ କରୋନା ଆକ୍ରାନ୍ତଙ୍କଠାରେ କିଛି ନା କିଛି ଲକ୍ଷଣ କରୋନାରୁ ସୁସ୍ଥ ହେଲା ପରେ ମଧ୍ୟ ଦେଖିବାକୁ ମିଳୁଛି। ସ୍ଵାଦ, ଗନ୍ଧ ବାରି ନ ପାରିବା ଭଳି ସାଧାରଣ ସମସ୍ୟା ପ୍ରାୟ ସମସ୍ତଙ୍କଠାରେ ଦେଖାଯାଉଛି ବୋଲି ଡାକ୍ତର ମିଶ୍ର କହିଛନ୍ତି।ସେ ଆହୁରି କହିଛନ୍ତି ଯେ, “ପାଶ୍ଚାତ୍ୟ ଦେଶରେ ଲୋକମାନେ କରୋନା କଟକଣା ନ ମାନିବାରୁ ସେଠାରେ କରୋନାର ଦ୍ଵିତୀୟ ଲହରୀ ଦେଖିବାକୁ ମିଳିଛି। ନିୟମ  କୋହଳ କରିଦେବାରୁ ଏବଂ ସ୍କୁଲ, କଲେଜ୍ ଆଦି ଖୋଲିଦେବାରୁ ସଂକ୍ରମଣ ବଢ଼ିଯାଇଛି। ତେଣୁ କରୋନା ନିୟମ ନ ମାନିଲେ ଭାରତରେ ମଧ୍ୟ ଦ୍ଵିତୀୟ ଦଫା କରୋନା ସଂକ୍ରମଣ ହେବା ନେଇ ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି।”

ବାହାରକୁ କାମ କରିବାକୁ ଯାଉଥିବା ଲୋକଙ୍କୁ ପରାମର୍ଶ ଦେଇ ଡାକ୍ତର ମିଶ୍ର କହିଛନ୍ତି, “କାର୍ଯ୍ୟସ୍ଥଳୀରେ ସମସ୍ତେ ନିହାତି ଭାବରେ ମାସ୍କ, ସାନିଟାଇଜର୍ ଓ ସାମାଜିକ ଦୂରତା ରକ୍ଷା କରିବା ଉଚିତ୍। ସେହିପରି ବାହାରୁ କାମ କରି ଆସିବା ପରେ ପୋଷାକକୁ ଗରମ ପାଣିରେ ଭଲ ଭାବେ ସଫା କରିବା ସହ ଗାଧୋଇବା ଦରକାର।”କରୋନା ଟିକାକୁ ନେଇ ଡାକ୍ତର ମିଶ୍ର କହିଛନ୍ତି ଯେ, ବର୍ତ୍ତମାନ ଆମ ଦେଶରେ କରୋନା ଟିକା ପରୀକ୍ଷଣ ତୃତୀୟ ପର୍ଯ୍ୟାୟରେ ରହିଛି। ଅକ୍ସଫୋର୍ଡ ଟିକା ଭାରତରେ ତିଆରି ଚାଲିଥିବାରୁ ଏହାକୁ ନେଇ ଆଶା ସୃଷ୍ଟି ହୋଇଛି। ଆସନ୍ତା ଦୁଇ ତିନି ସପ୍ତାହ ଭିତରେ ଏହି ଟିକାର ଫଳାଫଳ ରିପୋର୍ଟ ଆସିବ ବୋଲି କୁହାଯାଉଛି।

ଅନ୍ତର୍ଜାତୀୟ ତଥା ଜାତୀୟ ସ୍ତରରେ ଆସନ୍ତା ଡିସେମ୍ବର ମାସରେ କରୋନା ଟିକା ଉପଲବ୍ଧ ହୋଇପାରେ। ତେବେ ସେତିକି ପର୍ଯ୍ୟନ୍ତ ଆମକୁ ଅତ୍ୟନ୍ତ ସତର୍କ ରହିବାକୁ ପଡ଼ିବ ବୋଲି ଡାକ୍ତର ମିଶ୍ର କହିଛନ୍ତି।

Comment