ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା
ଚଳିତ ବର୍ଷ ନଭେମ୍ବର ୨୭ ତାରିଖରେ ଶ୍ରୀଜଗନ୍ନାଥଙ୍କର ନାଗାର୍ଜୁନ ବେଶ ପଡୁଛି। କିନ୍ତୁ କୋଭିଡ୍ ୧୯ କଟକଣା ଯୋଗୁ ଭକ୍ତମାନେ ଏହି ଦୁର୍ଲ୍ଲଭ ବେଶ ଦର୍ଶନରୁ ବଞ୍ଚିତ ହେବେ। ଠିକ୍ ଏହି ସମୟରେ ୨୦୨୧ ମସିହାରେ ମଧ୍ୟ ନଭେମ୍ବର ୧୫ ତାରିଖରେ ନାଗାର୍ଜୁନ ବେଶ ହେବ ବୋଲି ହାୱା ଉଠିବାରୁ ଅନେକ ଭକ୍ତ ବହୁତ ଖୁସି ହୋଇଯାଇଥିଲେ। ଏ ବର୍ଷ ନ ହେଲା ନାହିଁ, ଆର ବର୍ଷ ତ ଦର୍ଶନ କରିବୁ, ଏଇ ଆଶାରେ। କିନ୍ତୁ ୨୦୨୧ ମସିହାରେ ନାଗାର୍ଜୁନ ବେଶ ହେବ ନାହିଁ।
କେତେକ ପାରମ୍ପରିକ ପଞ୍ଜିକାକାର ୨୦୨୧ ମସିହା ନଭେମ୍ବର ୧୫ ତାରିଖରେ ଶ୍ରୀଜଗନ୍ନାଥଙ୍କର ନାଗାର୍ଜୁନ ବେଶ ହେବ ବୋଲି ତାଙ୍କର ସଂକ୍ଷିପ୍ତ ପଞ୍ଜିକା ବା କ୍ୟାଲେଣ୍ଡରରେ ଉଲ୍ଲେଖ କରି ବିଭ୍ରାନ୍ତି ସୃଷ୍ଟି କରିଛନ୍ତି। ନିୟମାନୁସାରେ କାର୍ତ୍ତିକ ଶୁକ୍ଳ ଦେବୋତ୍ଥାପନୀ ଏକାଦଶୀଠାରୁ ରାସ ପୂର୍ଣ୍ଣିମା ପର୍ଯ୍ୟନ୍ତ ପଞ୍ଚକ ପାଞ୍ଚଦିନରେ ଶ୍ରୀଜଗନ୍ନାଥଙ୍କର ପାଞ୍ଚଟି ବେଶ ହୁଏ।
ଦେବୋତ୍ଥାପନୀ ଏକାଦଶୀ ଦିନ ଠିଆକିଆ ବା ଶ୍ରୀଲକ୍ଷ୍ମୀନାରାୟଣ ବେଶ, ଦ୍ଵାଦଶୀ ଦିନ ବାଙ୍କଚୂଡ଼ା ବେଶ, ତ୍ରୟୋଦଶୀ ଦିନ ତ୍ରିବିକ୍ରମ ବା ଆଡ଼କିଆ ବେଶ, ଚତୁର୍ଦ୍ଦଶୀ ଦିନ ଶ୍ରୀଲକ୍ଷ୍ମୀନୃସିଂହ ବା ଡାଳିକିଆ ବେଶ ଏବଂ ଶେଷରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ରାଜାଧିରାଜ ବେଶ ହୁଏ। କିନ୍ତୁ ଯେଉଁବର୍ଷ ୧୨ଶୀ, ୧୩ଶୀ ବା ୧୪ଶୀ ଦିନ ମଳ ତିଥି ପଡ଼ିବା ଯୋଗୁ ପଞ୍ଚକ ପାଞ୍ଚଦିନ ବଦଳରେ ଛଅଦିନ ହୁଏ, ସେ ବର୍ଷ ଉକ୍ତ ମଳ ତିଥିରେ ନାଗାର୍ଜୁନ ବେଶ ହୁଏ।
୨୦୨୧ ମସିହା ରାଧାରମଣ ଓ କୋହେନୂର ପ୍ରେସ କ୍ୟାଲେଣ୍ଡରକୁ ଆଧାରକରି କୁହାଯାଉଛି ଯେ, ୨୦୨୧ରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ହେବ। କିନ୍ତୁ ୨୦୨୧ରେ ପଞ୍ଚକ ଛଅଦିନ ନୁହେଁ, ପାଞ୍ଚଦିନ ପଡୁଛି। ଏହା ବି ଉକ୍ତ କ୍ୟାଲେଣ୍ଡର ଦୁଇଟିରେ ଉଲ୍ଲେଖ ଅଛି, ଅର୍ଥାତ୍ ଦେବୋତ୍ଥାପନୀ ଏକାଦଶୀ ନଭେମ୍ବର ୧୫ରେ ଓ ରାସ ପୂର୍ଣ୍ଣିମା ୧୯ରେ ଅଛି। ସୁତରାଂ ୧୫ରୁ ପଞ୍ଚକ ଆରମ୍ଭ ହୋଇ ୧୯ରେ ଶେଷ ହେବ ବା ପଞ୍ଚକ ପାଞ୍ଚଦିନ ହିଁ ପଡ଼ିବ। ତେଣୁ ଶ୍ରୀଜଗନ୍ନାଥଙ୍କର ପାଞ୍ଚଦିନରେ ଛଅଟି ବେଶ କେମିତି ହୋଇପାରିବ?
ହରି ଉତ୍ଥାପନ ପୂର୍ବରୁ ପଞ୍ଚକ ଆରମ୍ଭ ଓ ଜଗନ୍ନାଥଙ୍କ ବେଶ କେବେ ହୋଇ ନାହିଁ କି ହେବ ନାହିଁ। ତେବେ ୨୦୨୧ ମସିହାରେ ଏହାକିପରି ସମ୍ଭବ? ଏକାଦଶୀ କିମ୍ବା ପୂର୍ଣ୍ଣିମା ମଳ ତିଥି ହେଲେ ନାଗାର୍ଜୁନ ବେଶ ହେବାର ଅତୀତରେ ନଜିର ନାହିଁ। କେବଳ ଦ୍ଵାଦଶୀ, ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀରେ ଯେଉଁବର୍ଷ ମଳ ତିଥି ପଡ଼େ ସେବର୍ଷ ନାଗାର୍ଜୁନ ବେଶ ହୋଇଥାଏ। ୨୦୨୧ ମସିହା ପରି ୧୯୮୫ ମସିହାରେ ପୂର୍ଵଦିନ ଅହୋରାତ୍ର ଏକାଦଶୀ ଓ ପରଦିନ ମଳ ଏକାଦଶୀ ହୋଇଥିଲା, କିନ୍ତୁ ସେବର୍ଷ ନାଗାର୍ଜୁନ ବେଶ ହୋଇ ନ ଥିଲା। ତେଣୁ ଆସନ୍ତା ୨୦୨୧ ମସିହାରେ ଶ୍ରୀଜଗନ୍ନାଥଙ୍କର ନାଗାର୍ଜୁନ ବେଶ ହେବ ନାହିଁ। ବିଭ୍ରାନ୍ତକାରୀମାନେ ଏକ ପ୍ରେସ୍ ବିଜ୍ଞପ୍ତି ଦେଇ ତାଙ୍କ କ୍ୟାଲେଣ୍ଡରରେ ଭୁଲ୍ ତଥ୍ୟ ଦିଆଯାଇଛି ବୋଲି ସ୍ଵୀକାର କରି ଜନସାଧାରଣଙ୍କ ମନରୁ ବିଭ୍ରାନ୍ତି ଦୂର କରନ୍ତୁ।
(ଲେଖକ ଜଣେ ବିଶିଷ୍ଟ ଜ୍ୟୋତିର୍ବିଦ୍,ମତ ନିଜସ୍ଵ)
















