କପିଳାସ ଭୂୟାଁ

ଆଧୁନିକ ଜୀବନଯାପନ କ୍ଷେତ୍ରରେ ଘର ଭିତରେ ବଗିଚା କରିବାକୁ ଆଜି ଅନେକ ଲୋକ ପସନ୍ଦ କରନ୍ତି। ବିଶେଷକରି ସହରାଞ୍ଚଳର ଉଚ୍ଚ ଅଟ୍ଟାଳିକାଗୁଡ଼ିକରେ ରହୁଥିବା ମଧ୍ୟବିତ୍ତ ବା ଉଚ୍ଚ ମଧ୍ୟବିତ୍ତ ପରିବାରଗୁଡ଼ିକ ଘର ଭିତରେ ସୀମିତ ସ୍ଥାନରେ ବଗିଚାଟିଏ କରି ଆନନ୍ଦ ପାଇ ପାରୁଛନ୍ତି। ବୈଠକରୁ ଶୟନ କକ୍ଷ ଓ ବାଲକୋନିରେ କୁଣ୍ଡ ଭିତରେ ଗଛ ଲଗାଇବା କିଛି ନୂଆ କଥା ନୁହେଁ। କିନ୍ତୁ ଏବେ ଘର ଭିତରେ ଗଛ ଲଗାଇବା କ୍ଷେତ୍ରରେ ଏକ ପରିବର୍ତ୍ତନ ଆଣିଛି ‘ଅକ୍ସିପଟ’।

ପରିବେଶ-ଅନୁକୂଳ ଏହି ‘ଅକ୍ସିପଟ’ ଆଜି ସାରାଦେଶରେ ଘର ଭିତରେ ଗଛ ଲଗାଇବା ପାଇଁ ବ୍ୟବହାର କରିବାକୁ ଅଧିକାଂଶ ଲୋକ ପସନ୍ଦ କରୁଛନ୍ତି। ଖୁସିର କଥା ଯେ ଏହି ‘ଅକ୍ସିପଟ’ ପ୍ରସ୍ତୁତ ହେଉଛି ଆମ ରାଜ୍ୟ ରାଜଧାନୀ ଭୁବନେଶ୍ଵରରେ।

ପାରମ୍ପରିକ ଭାବେ ବ୍ୟବହାର କରାଯାଉଥିବା ମାଟି ବା ପ୍ଲାଷ୍ଟିକ କୁଣ୍ଡର କାନ୍ଥିନୀଗୁଡ଼ିକ ଟାଣ ହୋଇଥିବାରୁ ସେଗୁଡ଼ିକରେ ଲଗା ଯାଉଥିବା ଗଛର ଚେର ଅମ୍ଳଜାନ ଖୋଜି ଖୋଜି କୁଣ୍ଡ ଭିତରର କାନ୍ଥରେ ଶାଖା ପ୍ରଶାଖା ମେଲେଇ ଜାଲି ଭଳି ବିଛେଇ ହୋଇଯାଏ। ତେଣୁ ଗଛର ଆବଶ୍ୟକତା ମୁତାବକ ପାଣି ଯୋଗାଇ ପାରେ ନାହିଁ। କୁଣ୍ଡରେ ଯେତେ ପାଣି ଦେଲେ ବି ଚେର ଯଥେଷ୍ଟ ପାଣି ଉଠାଉ ନଥିବାରୁ ସେହି ପାଣି କୁଣ୍ଡ ତଳେ ଥିବା ଛିଦ୍ର ଦ୍ଵାରା ନିଷ୍କାସିତ ହୋଇଯାଏ। ଏହାଦ୍ଵାରା ମୃତ୍ତିକା କ୍ଷୟ ଓ ଗଛ ପାଇଁ ଦିଆଯାଉଥିବା ଖାଦ୍ୟସାର ବି ନଷ୍ଟ ହୁଏ। ଫଳରେ ଗଛ ଠିକ୍ ରୂପେ ବଢ଼େ ନାହିଁ କି ସେଥିରେ ହୃଷ୍ଟପୁଷ୍ଟ ଫୁଲ ବା ଫଳ ହୁଏ ନାହିଁ।

ଅନ୍ୟପକ୍ଷରେ ‘ଅକ୍ସିପଟ’ର କାନ୍ଥିନୀଗୁଡ଼ିକରେ ଅମ୍ଳଜାନ ଯିବାଆସିବା କରିବା ପାଇଁ ଅସଂଖ୍ୟ ଛିଦ୍ର ଥିବାରୁ ଗଛର ଚେରଗୁଡ଼ିକ ଅଧିକ ବୃଦ୍ଧି ପାଏ ନାହିଁ ଓ ଉପଯୁକ୍ତ ପରିମାଣର ଜଳ ଓ ଅମ୍ଳଜାନ ସଂଗ୍ରହ କରି କାଣ୍ଡକୁ ସହଜରେ ପଠାଇ ଦିଏ। ତେଣୁ ଗଛର ସାମଗ୍ରିକ ବୃଦ୍ଧି ହେବା ସହ ଫୁଲଫଳ ହୃଷ୍ଟପୁଷ୍ଟ ହୁଏ।

ଅକ୍ସିପଟ?

“ଜିଓ ଟେକ୍ସଟାଇଲ୍ ମୋଟା କପଡ଼ାରେ ‘ଅକ୍ସିପଟ’ ତିଆରି ହେଉଥିବାରୁ ଏହାର କାନ୍ଥିନୀରେ ଥିବା ଅସଂଖ୍ୟ ଛିଦ୍ର ଯୋଗୁଁ ଗଛର ସୁଷମ ବୃଦ୍ଧି ହୁଏ ଓ କମ୍ ଜଳ ବ୍ୟବହାର କରିବାକୁ ପଡେ। ନିଃଶ୍ଵାସ ପ୍ରଶ୍ଵାସ ନେବାକୁ ‘ଅକ୍ସିପଟ’ ସହଜ କରିଦେଉଥିବାରୁ ଏହାକୁ ଶ୍ଵାସକ୍ରିୟା–ସହାୟକ କୁଣ୍ଡ କହିଲେ କିଛି ଭୁଲ ହେବ ନାହିଁ,’’ କହନ୍ତି ‘ଅକ୍ସିପଟ’ ପ୍ରସ୍ତୁତକର୍ତ୍ତା ଭୁବନେଶ୍ଵରରେ ଅବସ୍ଥାନ କରୁଥିବା ଶିଳ୍ପୋଦ୍ୟୋଗୀ ଏସ୍.କେ. ପଟ୍ଟନାୟକ।

‘ଅକ୍ସିପଟ’ରେ ଗଛର ସାମଗ୍ରିକ ବୃଦ୍ଧି ଆବଶ୍ୟକତା ମୁତାବକ ହୋଇ ପାରୁଥିବାରୁ ଏହାକୁ ‘ଗ୍ରୋ ବ୍ୟାଗ୍’ ମଧ୍ୟ କୁହାଯାଉଛି। ଭୁବନେଶ୍ଵରରେ ପ୍ରସ୍ତୁତ ହୋଇ ଆମାଜନ୍‌ରେ ବିକ୍ରି ହେଉଥିବା ଏହି ‘ଗ୍ରୋ ବ୍ୟାଗ୍’ ବା ‘ଅକ୍ସିପଟ’ ଆଜି ସାରା ଦେଶରେ ବିଶେଷ ଜନପ୍ରିୟ ହୋଇପାରିଛି।  ଦିନକୁ ଦିନ ଏହାର ଆଦର ମଧ୍ୟ ବୃଦ୍ଧି ପାଉଛି।

ତେବେ ଏହିଅକ୍ସିପଟତିଆରି କରିବା କଥାଟି ମନକୁ କେମିତି ଆସିଲା?

“ଏପ୍ରିଲ୍ ମାସରେ ଲକଡାଉନ୍ ହେଇଯିବା ପରେ ସାରା ଦେଶରେ ଲୋକେ ଘରେ ରହିଲେ। ସେହି ସମୟରେ ମୁଁ ମଧ୍ୟ ଘରେ ରହି କେମିତି ସମୟ କାଟିବି ବୋଲି ଗଛ ଲଗାଇବା କଥା ଭାବିଲି। ଯେହେତୁ ମୁଁ ଗୋଟିଏ ଫ୍ଲାଟରେ ରହେ ସେଠାରେ ଥିବା ସୀମିତ ସ୍ଥାନରେ ଗଛ ଲଗାଇବା ଉପାୟ ବିଷୟରେ ଜାଣିବା ପାଇଁ ଇଣ୍ଟରନେଟ୍‌ରେ ରିସର୍ଚ୍ଚ କରି ଏହି ଜିଓ- ଟେକ୍ସଟାଇଲ୍ କପଡ଼ାର ସନ୍ଧାନ ପାଇଛି। କେତେ ଜଣ କୃଷି- ବିଜ୍ଞାନୀଙ୍କ ସହ ଆଲୋଚନା କରିବା ପରେ ଏହି ଗ୍ରୋ ବ୍ୟାଗ୍ ତିଆରି କରିବି ବୋଲି ମନସ୍ଥ କରି ବ୍ରାଣ୍ଡିଂ କରିବା ପାଇଁ ତା’ ନା ‘ଅକ୍ସିପଟ’ ରଖିଲି। ଆମାଜନ୍‌ରେ ବିକ୍ରି ଆରମ୍ଭ ହେଲା ପରେ ଲୋକେ ‘ଅକ୍ସିପଟ’ କିଣିବା ଆରମ୍ଭ କଲେ,’’ ଉତ୍ତର ଦେଇ କହନ୍ତି ଏସ୍.କେ ପଟ୍ଟନାୟକ।

ପଟ୍ଟନାୟକଙ୍କ ମତରେ ଲୋକଙ୍କ ଚାହିବା ମୁତାବକ ଘର ଭିତରେ ଥିବା ଯେ କୌଣସି ଆକାରର ସ୍ଥାନ ପାଇଁ ‘ଅକ୍ସିପଟ’ ତିଆରି କରାଯାଇପାରିବ ଏବଂ ‘ଅକ୍ସିପଟ’ରେ ଯେ କେବଳ ଫୁଲଗଛ ଲଗାଯାଇପାରିବ ତା’ ନୁହେଁ, ବରଂ ପରିବା ଚାଷ ଓ ଏପରିକି ଶାଗ ପଟାଳି ମଧ୍ୟ କରାଯାଇ ପନିପରିବା ମଧ୍ୟ ଉତ୍ପାଦନ କରାଯାଇପାରିବ। ଅର୍ଥାତ୍, ‘ଅକ୍ସିପଟ’ ଦ୍ଵାରା ଚାଷ ଓ ବଗିଚା ଘର ଭିତରର ସୀମିତ ସ୍ଥାନରେ ମଧ୍ୟ କରାଯାଇପାରିବ।

‘ଅକ୍ସିପଟ’କୁ ଅତି ସହଜରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ସ୍ଥାନାନ୍ତର କରିହେବ। ତା’ଛଡ଼ା ଏକାଧିକ ଆକାରରେ ‘ଅକ୍ସିପଟ’ ବିଭିନ୍ନ ରଙ୍ଗରେ ମିଳୁଥିବାରୁ ଏହାକୁ ଘର ଭିତରର ସାଜସଜ୍ଜା ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ।

‘ଅକ୍ସିପଟ’ ପ୍ରସ୍ତୁତ କରିବା ପାଇଁ ପ୍ରାୟ ୮୫ ଭାଗ କର୍ମଚାରୀ ମହିଳା ହୋଇଥିବାରୁ ମହିଳା ସଶକ୍ତିକରଣ କ୍ଷେତ୍ରରେ ମଧ୍ୟ ଏହାର ଯଥେଷ୍ଟ ଅବଦାନ ରହିବ ବୋଲି ଆଶା କରାଯାଇପାରେ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ)

Comment