ଓଡ଼ିଶାଲାଇଭ୍ ବ୍ୟୁରୋ
ହାଜତ ମୃତ୍ୟୁ ଓ ଥାର୍ଡ ଡିଗ୍ରୀ ଘଟଣାକୁ ନେଇ ରାଜନୀତି ତେଜୁଛି। କାଠଗଢ଼ାରେ ପୋଲିସର ଭୂମିକା।
ଚଳିତ ସପ୍ତାହରେ ତିନୋଟି ଘଟଣା ଓଡ଼ିଶା ପୋଲିସର ଭୂମିକାକୁ ନେଇ ଯେତିକି ପ୍ରଶ୍ନ ଉଠାଇଲାଣି, ତାହାକୁ ନେଇ ସେତିକି ରାଜନୀତି ମଧ୍ୟ ତେଜିଲାଣି। ପ୍ରଥମେ ପୁରୀ ବାସେଳୀ ସାହି ଥାନା ଏବଂ ସୁନ୍ଦରଗଡ଼ ବୀରମିତ୍ରପୁର ଥାନା ହାଜତ ଭିତରେ ଭିନ୍ନ ବ୍ୟକ୍ତିଙ୍କ ମୃତ୍ୟୁ ଅଭିଯୋଗ ଆସିଥିଲା। ଆଉ ଏବେ ପିପିଲି ଥାନାରେ ୫ଜଣଙ୍କୁ ପୋଲିସର ଥାର୍ଡ ଡିଗ୍ରୀକୁ ନେଇ ରାଜ୍ୟରେ ତୁମ୍ଵିତୁଫାନ ଆରମ୍ଭ ହୋଇଯାଇଛି।ହାଜତ ମୃତ୍ୟୁକୁ ନେଇ ସରଗରମ ରାଜନୀତି
ପୁରୀ ଓ ବୀରମିତ୍ରପୁର ହାଜତ ମୃତ୍ୟୁ ଘଟଣାକୁ ନେଇ ଶୀତ ଅଧିବେଶନର ପ୍ରଥମ ଦିନରେ ଉଠିଛି ପଡ଼ିଛି ବିଧାନସଭା। ବିରୋଧୀମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିବା ସହିତ ରାଜ୍ୟ ସରକାରଙ୍କୁ ଏହି ଘଟଣାରେ ଟାର୍ଗେଟ କରିଛନ୍ତି। “ପୁରୀ ହାଜତ ମୃତ୍ୟୁର ଶିକାର ହୋଇଥିବା ଯୁବକର ଶବକୁ ତାର ପରିବାରକୁ ହସ୍ତାନ୍ତର ନ କରି ପୋଲିସ ଦାହ କରିଦେବା ଅକ୍ଷମଣୀୟ ଅପରାଧ। ଏହା ବ୍ୟକ୍ତିର ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରିଛି। ରାଜ୍ୟରେ ଆଉ ଆଇନର ଶାସନ ନାହିଁ। ସରକାରୀ ଅଧିକାରୀମାନେ ସ୍ଵେଚ୍ଛାଚାରୀ ହୋଇଯାଇଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ଚୁପ୍। ଲୋକମାନେ ସରକାରୀ କାର୍ଯ୍ୟାଳୟରୁ ନ୍ୟାୟ ପାଉ ନାହାନ୍ତି। ଏଥିରୁ ସ୍ପଷ୍ଟ ହେଉଛି ରାଜ୍ୟରେ ଆଉ ଗଣତନ୍ତ୍ର ଶାସନ ଚାଲୁନାହିଁ। ପୋଲିସ ମାଡ଼ରେ ଯେପରି ଭାବେ ଯୁବକର ମୃତ୍ୟୁ ହୋଇଛି ତାକୁ କଂଗ୍ରେସ ଘୋର ନିନ୍ଦା କରୁଛି”, କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।
“ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ପୁରୀ ହାଜତ ମୃତ୍ୟୁ ଘଟଣାରେ ଜିଲ୍ଲା ଏସ୍ପି ଦାୟୀ। ତାଙ୍କ ନିର୍ଦ୍ଦେଶରେ ହିଁ ଯୁବକକୁ ପୋଲିସ ହାଜତରେ ପିଟିପିଟି ମାରି ଦେଇଛି। ତେଣୁ ତାଙ୍କ ବିରୋଧରେ ୩୨୦ ଦଫାରେ ମାମଲା ହେବା ଆବଶ୍ୟକ। ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ପ୍ରଦାନ ଆବଶ୍ୟକ”, କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ।
ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପୁରୀ ହାଜତ ମୃତ୍ୟୁ ଘଟଣାକୁ ନେଇ ଜାତୀୟ ମାନବାଧିକାର କମିସନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ଘଟଣାର ନିରପେକ୍ଷ ଯାଞ୍ଚ ପାଇଁ ସେ କମିସନରଙ୍କ ଆଗରେ ନିବେଦନ କରିଛନ୍ତି। ଏହା ହାଜତ ମୃତ୍ୟୁ ନୁହେଁ, ଏହା ହାଜତରେ ହତ୍ୟା ବୋଲି କହିଛନ୍ତି ସମ୍ଵିତ୍। ଏଥିସହିତ ଜାତୀୟ ମାନବାଧିକାର କମିସନ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ୩୦୨ ଦଫାରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଅନୁରୋଧ କରିଛନ୍ତି।
ହାଇକୋର୍ଟରେ ମାମଲା
ପୁରୀ ବାସେଳୀ ସାହି ହାଜତ ମୃତ୍ୟୁ ଘଟଣା ଶୁକ୍ରବାର ହାଇକୋର୍ଟରେ ପହଞ୍ଚିଛି। ପୁରୀର ଆଇନଜୀବୀ ଶରତ କୁମାର ରାୟଗୁରୁ ଏହି ମାମଲା ରୁଜୁ କରିଥିବା ବେଳେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ଏବଂ ବିଚାରପତି ଜଷ୍ଟିସ୍ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରିଥିଲେ। ମାମଲା ରୁଜୁ ହେବା କ୍ଷଣି ଏହାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି ପ୍ରତିପକ୍ଷଙ୍କୁ ଜବାବ ଦାଖଲ ଲାଗି ନୋଟିସ୍ ଜାରି କରିଛନ୍ତି। ରାଜ୍ୟ ସରକାର ଏହି ଘଟଣା ସଂକ୍ରାନ୍ତ ସମସ୍ତ ରେକର୍ଡପତ୍ର ଦାଖଲ କରିବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ସୋମବାର ମାମଲାର ଶୁଣାଣି ଧାର୍ଯ୍ୟ ହୋଇଛି।ପୁରୀ ଏସ୍ପିଙ୍କ ବଦଳି
ପୁରୀ ହାଜତ ମୃତ୍ୟୁ ଘଟଣାକୁ ନିନ୍ଦା କରି ବିଧାନସଭାରେ ତୀବ୍ର ବିରୋଧ କରିଥିଲେ ବିରୋଧୀମାନେ। ଏସ୍ପି ହିଁ ଘଟଣାରେ ମୁଖ୍ୟ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଅଭିଯୋଗ କରିଥିଲେ। ଏହାପରେ ଶୁକ୍ରବାର ପୁରୀ ଏସ୍ପି ଅଖିଳେଶ୍ଵର ସିଂହଙ୍କୁ ସରକାର ଭୁବନେଶ୍ଵର ପୋଲିସ ମୁଖ୍ୟ କାର୍ଯ୍ୟାଳୟକୁ ବଦଳି କରି ତାଙ୍କ ସ୍ଥାନରେ ସମ୍ଵଲପୁର ଏସ୍ପି କେ ବିଶାଲ ସିଂହଙ୍କୁ ପୁରୀ ଏସ୍ପି ଦାୟିତ୍ଵ ଦେଇଛନ୍ତି। ଏଥିସହିତ ବାସେଳୀ ସାହି ଥାନା ଅଧିକାରୀଙ୍କ ସମେତ ୩ଜଣଙ୍କୁ ନିଲମ୍ଵନ କରାଯାଇଛି। ଗତ କିଛିଦିନ ତଳେ ହିଁ ଅଖିଳେଶ୍ଵର ସିଂହ କଟକ ଡିସିପିରୁ ବଦଳି ହୋଇ ପୁରୀ ଏସ୍ପି ଭାବେ ଯୋଗ ଦେଇଥିଲେ।ପୁରୀ ବାସେଳୀ ସାହି ପୋଲିସ ଥାନାରେ ହାଜତ ମୃତ୍ୟୁ
ବୁଧବାର ପୁରୀ ଜିଲ୍ଲା ବାଶେଳୀ ସାହି ଥାନା ହାଜତରେ କେ ରମେଶ ନାମକ ଜଣେ ଯୁବକର ମୃତ୍ୟୁ ହୋଇଥିବା ତାଙ୍କର ପରିବାର ଲୋକେ ଅଭିଯୋଗ କରିଥିଲେ। ପୋଲିସ ଯୁବକ ଜଣକୁ ମାଡ଼ ମାରି ମାରି ହତ୍ୟା କରିଛି। ଏଥିସହ ପରିବାରକୁ ନଜଣାଇ ପୋଲିସ ମୃତକଙ୍କ ଶବସତ୍କାର କରିଦେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା।
ପୋଲିସ କିନ୍ତୁ ହାଜତ ମୃତ୍ୟୁ ଖବରକୁ ଖଣ୍ଡନ କରିଥିଲା। ପୁରୀ ଏସପି ଅଖିଳେଶ୍ୱର ସିଂହଙ୍କ କହିବା ମୁତାବକ ରମେଶ ନାଁରେ ଏକାଧିକ ଅପରାଧିକ ମାମଲା ଥିଲା। ଏଥିପାଇଁ ପୋଲିସ ତାକୁ ଧରିବାକୁ ଚେଷ୍ଟା କରିଥିଲା। ଏହି ସମୟରେ ପୋଲିସ ଓ ରମେଶଙ୍କ ଭିତରେ ଧସ୍ତାଧସ୍ତି ହୋଇଥିଲା ଏବଂ ରମେଶ ଆହତ ହୋଇଥିଲେ। ଏହାପରେ ପୋଲିସ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।ବୀରମିତ୍ରପୁରରେ ସମାନ ଘଟଣା
ପୁରୀ ଭଳି ସମାନ ଘଟଣା ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରରେ ମଧ୍ୟ ଦେଖିବାକୁ ମିଳିଥିଲା। ଏକ ଅପହରଣ ମାମଲାର ତଦନ୍ତ ଚାଲିଥିବାବେଳେ ବୁଧବାର ତାରିକ୍ ସଲିମ୍ ନାମକ ଜଣେ ଯୁବକଙ୍କ ପୋଲିସ ହାଜତରେ ମୃତ୍ୟୁ ହୋଇଛି। ଯାହାକୁ ନେଇ ସେ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଥିଲା। ଥାନା ହାଜତରେ ପୋଲିସ କର୍ମୀମାନେ ଯୁବକଜଣକୁ ବାଡ଼େଇ ବାଡ଼େଇ ହତ୍ୟା କରିଥିବା ଅଭିଯୋଗ ହେବା ସହ ଦୋଷୀଙ୍କୁ ଦଣ୍ଡ ଦେବାକୁ ଦାବି କରାଯାଇଛି।
କିନ୍ତୁ ପୋଲିସ କହିଛି ଯେ, ତାରିକକୁ ଗିରଫ କରିବା ପରେ ସେ ଖୁବ ଜୋରରେ ବାନ୍ତି କରିଥିଲେ। ଏହାପରେ ତାକୁ କୁଆରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାକୁ ରାଉରକେଲା ସରକାରୀ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏହାପରେ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ବୀରମିତ୍ରପୁର ଥାନାର ଅଧିକାରୀଙ୍କୁ ନିଲମ୍ଵନ କରାଯାଇଛି।
ପିପିଲିରେ ଥାର୍ଡ ଡିଗ୍ରୀ
ପୁରୀ ସଦର ଏବଂ ବୀରମିତ୍ରପୁର ହାଜତ ମୃତ୍ୟୁ ପରେ ପିପିଲିରେ ପୋଲିସର ଥାର୍ଡ ଡିଗ୍ରୀ ପାଇଁ ରାଜ୍ୟ ରାଜନୀତିରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗତ ୧୩ ତାରିଖରେ ପିପିଲି ପୋଲିସ ୬ଜଣ ଅଭିଯୁକ୍ତଙ୍କୁ ଏକ ଆକ୍ରମଣ ଘଟାଇବା ଘଟଣାରେ ଗିରଫ କରିଥିଲା। ସାତ ଦିନ ଧରି ସେମାନଙ୍କୁ ଥାନା ଭିତରେ ନିର୍ଘାତ ପିଟିଥିଲା। ମାଡ଼ର ପରିମାଣ ଏତେ ଥିଲା ଯେ, ସେମାନଙ୍କର ଦେହରେ ନୋଳା ବସି ମାଂଶ ପଚିଯାଇଥିଲା।
କିନ୍ତୁ ବାସେଳୀ ଥାନା ହାଜତ ମୃତ୍ୟୁ ଘଟଣାପରେ ବିରି ମାଡ଼ ଦେଖି କୋଳଥ ଚେପା ପରି ପିପିଲି ପୋଲିସ ଡରିଯାଇ ସେମାନଙ୍କୁ କୋର୍ଟ ଚାଲାଣ କରି ନମାପଡ଼ା ଜେଲ୍କୁ ପଠାଇଦେଇଥିଲା। କିନ୍ତୁ ତାଙ୍କ ଅବସ୍ଥା ଏତେ ଖରାଫ ଦେଖି ଜେଲତ ସେମାନଙ୍କୁ ଜେଲ୍ରେ ନରଖି ଫେରାଇ ଦେଇଥିଲେ। ଏହାପରେ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ପଠାଇ ଦିଆଯାଇଥିଲା। ଶନିବାର ଏହି ଘଟଣାକୁ ନେଇ ତୀବ୍ର ବିରୋଧ କରାଯିବା ପରେ ମାମଲାର ତଦନ୍ତ ପାଇଁ କେନ୍ଦ୍ରାଞ୍ଚଳ ଡିଆଇଜିଙ୍କୁ ନିର୍ଦ୍ଦେଶ ଦେଇଛି ଓଡ଼ିଶା ପୋଲିସ।