ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ସମ୍ପନ୍ନ ହୋଇଛି। ମହାପ୍ରଭୁଙ୍କ ନାଗାର୍ଜୁନ ବେଶରେ ଝଲସୁଛି ରତ୍ନ ସିଂହାସନ। ଯୋଦ୍ଧା ବେଶ ଧାରଣ କରି ୧୬ ପ୍ରକାର ପାରମ୍ପରିକ ଯୁଦ୍ଧାସ୍ତ୍ରରେ ସଜେଇ ହୋଇଛନ୍ତି ଜଗା ବଳିଆ।
ଦୁଇ ଠାକୁରଙ୍କ ମୁଣ୍ଡରେ ଶୋଭା ପାଉଛି ହାଣ୍ଡିଆ। ଏହାସହ ଢେଣୁ, ଶିଙ୍ଗା, ତୂଣୀର, ବାଘନଖ, ଖଣ୍ଡା ଆଦି ଧାରଣ କରିଛନ୍ତି। କାଳିଆ, ବଳିଆଙ୍କ ମୁହଁରେ ନିଶ ଧାଡ଼ି ଲଗାଯାଇଛି। ବାଘଛାଲ ସମ ପରିଧାନ କରିଛନ୍ତି ଦୁଇ ଠାକୁର।
ଗୋଟେପଟେ କାଳିଆର ନାଗାର୍ଜୁନ ବେଶ, ଅନ୍ୟପଟେ ଆକାଶରେ ସାତ ରଙ୍ଗର ଇନ୍ଦ୍ରଧନୁ। ଏଭଳି ଅପୂର୍ବ ଦୃଶ୍ୟକୁ ଦେଖି ଭାବବିହ୍ୱଳ ହୋଇଛନ୍ତି ଭକ୍ତ। ଶ୍ରୀକ୍ଷେତ୍ରରେ ଆହୁରି ଗାଢ ହୋଇଛି ଆଧ୍ୟାତ୍ମିକତାର ରଙ୍ଗ। କିନ୍ତୁ କରୋନା କଟକଣା ଯୋଗୁଁ ଭଗବାନଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ। ନାଗାର୍ଜୁନ ବେଶ ପାଇଁ ପୁରୀରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମରିଚକୋଟ ଛକରୁ ଶ୍ରୀମନ୍ଦିର ଓ ଶ୍ରୀମନ୍ଦିର ଚତୁପାଶ୍ୱର୍ରେ ୧୪୪ ଧାରା ଜାରି ହୋଇଛି।
ପୌରାଣିକ ମତ ଅନୁଯାୟୀ, ପର୍ଶୁରାମଙ୍କ ସହସ୍ରାର୍ଜୁନ ବଧ କିମ୍ବା ଅର୍ଜୁନ ଓ ତାଙ୍କ ପୁତ୍ର ନାଗାର୍ଜୁନ ମଧ୍ୟରେ ହୋଇଥିବା ଯୁଦ୍ଧର ସ୍ମୃତି ସ୍ୱରୂପ ଏହି ବେଶ ଅନୁଷ୍ଠିତ ହୁଏ।
















