ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଲିଙ୍ଗରାଜ ମନ୍ଦିର ଚାରିପାଖର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ତଦାରଖ କରିଛନ୍ତି। ଲିଙ୍ଗରାଜ ଚାରିପାଖକୁ ମୁଖ୍ୟମନ୍ତ୍ରୀ ବୁଲି ଦେଖିବା ସହିତ ସୌନ୍ଦର୍ଯ୍ୟକରଣ ପାଇଁ ଜମି ଦେଇଥିବା ଲୋକଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ଗସ୍ତରେ ପୁରୀ ଶ୍ରୀମନ୍ଦିର ଭଳି ଲିଙ୍ଗରାଜ ମନ୍ଦିର ପାଇଁ ମଧ୍ୟ ସ୍ୱତନ୍ତ୍ର ଆଇନ ଆସିବ ବୋଲି କହିଛନ୍ତି ନବୀନ।

“ଏକାମ୍ର କ୍ଷେତ୍ର ଯୋଜନାରେ ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ହେଉଛି। ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ଜମି ହସ୍ତାନ୍ତର କରିଥିବା ଲୋକଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ଶ୍ରୀମନ୍ଦିର ଢାଞ୍ଚାରେ ଲିଙ୍ଗରାଜ ମନ୍ଦିର ପାଇଁ ବି ସ୍ୱତନ୍ତ୍ର ଆଇନ କରାଯିବ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଏକାମ୍ର ଯୋଜନାର ସମୀକ୍ଷା କରି ନବୀନ ଆହୁରି କହିଛନ୍ତି ଯେ, ଲିଙ୍ଗରାଜ ମନ୍ଦିର ଉନ୍ନତିକରଣ କାର୍ଯ୍ୟର ଅଗ୍ରଗତି ନେଇ ମୁଁ ଖୁସି ଅଛି। ଏକାମ୍ର କ୍ଷେତ୍ରକୁ ଅଧିକ ଭକ୍ତ ଓ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଯୋଜନା କରାଯିବ। ଖୁବ୍‌ ଶୀଘ୍ର ଏଥିପାଇଁ ପ୍ୟାକେଜ ଘୋଷଣା କରାଯିବ।କିଛିଦିନ ତଳେ ଭୁବନେଶ୍ଵର ଲିଙ୍ଗରାଜ ମନ୍ଦିର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ‘ଏକାମ୍ର କ୍ଷେତ୍ର’ ଯୋଜନା ପ୍ରସ୍ତୁତ କରିଥିଲେ। ଏହି ଯୋଜନାରେ ଏକାଦଶ ଶତାବ୍ଦୀରେ ନିର୍ମିତ ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁ ସାଗର ମଧ୍ୟରେ ରହିଥିବା ସବୁ ରକମର ପ୍ରତିବନ୍ଧକ ହଟାଯିବା ନେଇ ପ୍ଲାନ କରାଯାଇଥିଲା।

ସୌନ୍ଦର୍ଯ୍ୟକରଣ ପରେ ଲିଙ୍ଗରାଜ ମନ୍ଦିରରୁ ବିନ୍ଦୁ ସାଗରରେ ଅନୁଷ୍ଠିତ ହେଉଥିବା ଚନ୍ଦନ ଯାତ୍ରା ଆଦି ଉତ୍ସବ ସିଧାସଳଖ ଦେଖି ହେବ। ସେହିଭଳି ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁ ସାଗର ମଧ୍ୟରେ ଥିବା ଅନ୍ୟ ମନ୍ଦିର ଯଥା ବିନ୍ଧ୍ୟବାସିନୀ, ଭବାନୀ ଶଙ୍କର, ଶୁକସାରୀ ଓ ମୋହିନୀ ଆଦି ମନ୍ଦିର ବି ଦୃଶ୍ୟ ହୋଇପାରିବା ନେଇ ଏହି ଯୋଜନାରେ କୁହାଯାଇଥିଲା।

Comment