ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡର ଅନେକ ଯୋଡ଼ି ସେମାନଙ୍କ ପ୍ରଥମ ସିନେମାରେ ବକ୍ସ ଅଫିସରେ ସୁପରହିଟ୍ ସାବ୍ୟସ୍ତ ହୋଇଛନ୍ତି। ଦମଦାର ଅଭିନୟ ଓ ନାୟକ, ନାୟିକାଙ୍କ କେମେଷ୍ଟ୍ରି ଦର୍ଶକଙ୍କ ମନରେ ସବୁଦିନ ପାଇଁ ରହିଯାଇଛି।

ପ୍ରଶାନ୍ତ ନନ୍ଦ–ମହାଶ୍ଵେତା: ୧୯୭୬ ରେ ମୁକ୍ତିଲାଭ କରିଥିବା କ୍ଲାସିକ୍ ଫିଲ୍ମ ‘ଶେଷ ଶ୍ରାବଣ’ରେ ଦର୍ଶକ ପ୍ରଥମ ଥର ପାଇଁ ପ୍ରଶାନ୍ତ ନନ୍ଦ-ମହାଶ୍ଵେତାଙ୍କ ଯୋଡ଼ିକୁ ଦେଖିବାକୁ ପାଇଥିଲେ। ପ୍ରଥମ ସିନେମାରେ ଏହି ଯୋଡ଼ି କମାଲ୍ କରିଥିଲେ, ଫଳସ୍ଵରୂପ ଏହା ବକ୍ସ ଅଫିସରେ ସୁପରହିଟ୍ ହୋଇଥିଲା। ଏହା ପରେ ପ୍ରଶାନ୍ତ ନନ୍ଦ ଓ ମହାଶ୍ଵେତା ଯୋଡ଼ି ଭାବେ ମା’ ଓ ମମତା, ପୂଜା, ହିସାବନିକାଶ, ସ୍ଵପ୍ନ ସାଗର, ଡୋରା, ଜଗାବଳିଆ, ହୀରାନୀଳା, ପକାକମଳ ପୋତ ଛତା, ବଗଲାବଗୁଲୀ, ଲାଲ ପାନବିବି ଓ କଣ୍ଢେଇ ଆଦି ଛବିରେ ପରଦାକୁ ଆସିଛନ୍ତି।

ଉତ୍ତମ-ଅପରାଜିତା: ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଫୁଲଚନ୍ଦନ’ରେ ପ୍ରଥମ ଏହି ଯୋଡ଼ିଙ୍କୁ ଦେଖିବାକୁ ପାଇଥିଲେ ସିନେପ୍ରେମୀ। ଏହା ସୁପରହିଟ୍ ହୋଇଥିଲା। ଏହା ପରେ ଜଗାହାତରେ ପଘା, ଜନନୀ, ମମତା ମାଗେ ମୂଲ, ସହରୀବାବୁ ସମେତ କେତେକ ସିନେମା ରୂପେଲି ପରଦାକୁ ଆସିଥିଲା।

ସିଦ୍ଧାନ୍ତ-ରଚନା: ସିଦ୍ଧାନ୍ତ ‘ଶ୍ରଦ୍ଧାଞ୍ଜଳି’ ରଚନା ‘ସାଗରଗଙ୍ଗା’ ସିନେମା ଜରିଆରେ ଓଲିଉଡରେ ବ୍ରେକ୍ ପାଇଥିଲେ। ହେଲେ ସିଦ୍ଧାନ୍ତ- ରଚନା ଯୋଡ଼ିଙ୍କର ପ୍ରଥମ ସିନେମା ହେଲା ରବି କିନ୍ନାଗୀଙ୍କ ନିର୍ଦ୍ଦେଶିତ ‘ଭାଇ ହେଲା ଭଗାରୀ’। ଏହା ସୁପରହିଟ୍ ହୋଇଥିଲା। ତା’ପରେ ଏହି ହିଟ୍ ଯୋଡ଼ିଙ୍କୁ ଦର୍ଶକ ‘ଗଙ୍ଗାଯମୁନା’, ‘ସୁହାଗ ସିନ୍ଦୂର’, ପୁଅ ମୋର ଭୋଳା ଶଙ୍କର, ‘ସନ୍ତାନ’, ‘ସୁନାହରିଣୀ’, ‘କଳକୀ ଅବତାର’, ସମେତ ଅନେକ ସିନେମାରେ ଦେଖିବାକୁ ପାଇଛନ୍ତି।

ଅନୁଭବ- ନମ୍ରତା: ଅନୁଭବ ଓ ନମ୍ରତା ଥାପ୍ପା ବ୍ରଜରାଜ ମୁଭିଜର ‘ଆଇ ଲଭ ୟୁ’ ସିନେମାରୁ କ୍ୟାରିଅର୍ ଆରମ୍ଭ କରିଥିଲେ। ପ୍ରଥମ ଫିଲ୍ମଟି ବ୍ଲକ୍‌ବଷ୍ଟର ମାନ୍ୟତା ପାଇବା ପରେ ଏହି ଯୋଡ଼ି ବି ସୁପରହିଟ୍ ହୋଇଥିଲା। ଏହା ପରେ ଉଭୟଙ୍କୁ ଏକାଠି ‘ପ୍ରିୟା ମୋ ପ୍ରିୟା’ ସିନେମାରେ ଦେଖିବାକୁ ପାଇଥିଲେ ଦର୍ଶକ।

ଅରିନ୍ଦମ୍-ନମ୍ରତା: ଅରିନ୍ଦମ୍-ନମ୍ରତା ଯୋଡ଼ିର ପ୍ରଥମ ସିନେମା ହେଲା ‘ପ୍ରେମ ଋତୁ ଆସିଲାରେ’। ଏହା ଅରିନ୍ଦମଙ୍କର ଡେବ୍ୟୁ ଫିଲ୍ମ ଥିଲା। ଏହି ଫିଲ୍ମ ସୁପରହିଟ୍ ହେବା ପରେ ଅରିନ୍ଦମ୍- ନମ୍ରତାଙ୍କ ଯୋଡ଼ିକୁ ଦର୍ଶକ ‘ମୁଁ ତତେ ଲଭ୍ କରୁଛି’ ଓ ‘ମିତରେ ମିତ’ରେ ଦେଖିବାକୁ ପାଇଛନ୍ତି।

ସବ୍ୟସାଚୀ-ଅର୍ଚ୍ଚିତା: ସବ୍ୟସାଚୀ ‘ପାଗଳ ପ୍ରେମୀ’ରୁ ଓ ଅର୍ଚ୍ଚିତା ‘ଓ ମାଇଁ ଲଭ୍’ ସିନେମାରୁ ଡେବ୍ୟୁ କରିଥିଲେ, ହେଲେ ପ୍ରଥମେ ଯୋଡ଼ି ହୋଇ ଆସିଥିଲେ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ‘ମୁଁ ସପନର ସୌଦାଗର’ ସିନେମାରେ। ପ୍ରଥମ ସିନେମା ହିଟ୍ ହୋଇଥିଲା ଓ ପରେ ଏହି ଯୋଡ଼ି ବେଶ୍ କେତୋଟି ଫିଲ୍ମରେ ଏକାଠି ଆସିଛନ୍ତି।

ଅରିନ୍ଦମ୍-ଅର୍ଚ୍ଚିତା: ‘ତୋ ପାଇଁ ନେବି ମୁଁ ଶହେ ଜନମ’ ଥିଲା ଅରିନ୍ଦମ- ଅର୍ଚ୍ଚିତା ଯୋଡ଼ିଙ୍କର ପ୍ରଥମ ସିନେମା। ଏହା ବକ୍ସ ଅଫିସରେ ସୁପରହିଟ୍ ହୋଇଥିଲା। ପରେ ଉଭୟଙ୍କୁ ‘ମୁଁ ସପନର ସୌଦାଗର’ ‘ରାଜା ଝିଅ ସଙ୍ଗେ ହୋଇଗଲା ଭାବ’ ଓ ‘ଶିବା ନଟ୍ ଆଉଟ୍’ରେ ଦେଖିବାକୁ ମିଳିଛି।

ଅରିନ୍ଦମ୍-ବର୍ଷା ପ୍ରିୟଦର୍ଶିନୀ: ଅରିନ୍ଦମ୍ ଓ ବର୍ଷା ପ୍ରିୟଦର୍ଶିନୀ ଯୋଡ଼ିଙ୍କର ପ୍ରଥମ ସିନେମା ହେଲା ଏନ୍. ପାଢ଼ୀଙ୍କ ନିର୍ଦ୍ଦେଶିତ ‘ଏ ମନ ମାନେନା’। ପ୍ରଥମ ସିନେମା ହିଟ୍ ହେବା ପରେ ଏହି ଯୋଡ଼ି ହିଟ୍ ଯୋଡ଼ିର ମାନ୍ୟତା ପାଇଥିଲେ। ପରେ ଏହି ଯୋଡ଼ି ‘ପର୍ଶୁରାମ’ଓ ‘ରୋମିଓ- ଜୁଲିଅଟ୍’ ଭଳି ଓଡ଼ିଆ ଛବିରେ ନଜର ଆସିଛନ୍ତି।

ଅନୁଭବ- ଅର୍ଚ୍ଚିତା: ଏହି ଯୋଡ଼ିଙ୍କର ପ୍ରଥମ ସିନେମା ହେଲା ‘ଧନରେ ରଖିବୁ ଶପଥ ମୋର’। ଏହା ସୁପରହିଟ୍ ହେବା ପରେ ‘ତୋ ବିନା ମୋ କାହାଣୀ ଅଧା’ ଓ ‘ଆକାଶେ କି ରଙ୍ଗ ଲାଗିଲା’ ଆଦି ଛବିରେ ଏକାଠି ଆସିଛନ୍ତି ଅନୁଭବ-ଅର୍ଚ୍ଚିତା।

ସ୍ଵରାଜ- ଭୂମିକା: ଶିଶୁ କଳାକାରରୁ ନାୟକ ସ୍ଵରାଜ ଓ ନାୟିକା ଭୂମିକାଙ୍କ ଯୋଡ଼ି ପ୍ରଥମ ସିନେମା ‘ତୁ ମୋ’ ଲଭ୍ ଷ୍ଟୋରି’ରେ ହିଟ୍ ଯୋଡ଼ିର ମାନ୍ୟତା ପାଇଛନ୍ତି। ଏହାପରେ ଉଭୟଙ୍କର ‘ତୁ ମୋ ଲଭଷ୍ଟୋରି ୨’ରେ ବି ନଜର ଆସିଥିଲେ।

LEAVE A REPLY

Please enter your comment!
Please enter your name here