କପିଳାସ ଭୂୟାଁ

ଚାଲ ଚା’ ପିଇବା। ପରସ୍ପରକୁ ଭେଟିବା ଓ କଥା ହେବା। ଏଥିରେ ନୂଆ କଣ? ଚା’ କିମ୍ବା କଫି ପିଇବା ଓ କଥା ହେବା ତ ମଣିଷର ସାମାଜିକ ଚଳଣି। କାହିଁ କେଉଁ କାଳରୁ ଚଳି ଆସୁଥିବା ପୁରୁଣା ଅଭ୍ୟାସ, ଆମ ସାମାଜିକ ଓ ସାଂସ୍କୃତିକ ଜୀବନର ଅବିଚ୍ଛେଦ୍ୟ ଅଂଶ। ତାହେଲେ ନୂଆ କଣ?

ନୂଆ ହେଉଛି କେଉଁଠି ଓ କେମିତି? ସ୍ମାର୍ଟ ସହର ଭୁବନେଶ୍ଵର ଓ ରାଉରକେଲାରେ ଏବେ ଦେଖା ଯାଉଛି ଏକ ନୂଆ ପ୍ରକାର ଚା’ ପିଇବା ଧାରା ବା ଟ୍ରେଣ୍ଡ। ଏଗୁଡିକ ମୁଖ୍ୟତଃ ବେଶ ପାଠଶାଠ ପଢିଥିବା ନୂଆ ପିଢିର ଯୁବ-ଉଦ୍ୟୋଗୀମାନେ କରିଛନ୍ତି।

ସେମାନଙ୍କର ଏହି ନୂଆ ଚା’ ଓ କଫି ଦୋକାନଗୁଡ଼ିକ ସାଧାରଣ ରେଷ୍ଟୁରାଣ୍ଟ ବା ଚା’ ଦୋକାନ ପରି ନୁହେଁ। ଏହି ନୂଆ ପ୍ରକାରର ଦୋକାନଗୁଡ଼ିକର ରହିଛି ଏକ ଅତ୍ୟାଧୁନିକ ରୂପ। ଏଗୁଡ଼ିକର ସାଜସଜ୍ଜା ଓ ଆଲୋକିକରଣ ବେଶ ଦୃଷ୍ଟି ଆକର୍ଷଣକାରୀ। ଖୋଲା ସ୍ଥାନରେ ବସିବା ବ୍ୟବସ୍ଥା ସହ ବିମୁକ୍ତ ଭାବନାକୁ ଘେନି ଏକ ସ୍ଵପ୍ନାନୁଭୂତି ସହଜରେ ମିଳେ ଏଠାରେ। ଏହାକୁ ଆମେ ସ୍ମାର୍ଟ ସହରର ନୂଆ ଟ୍ରେଣ୍ଡ ବୋଲି କହି ପାରିବା।

ଆଗରୁ ଲୋକେ ଷ୍ଟେସନ, ବସଷ୍ଟାଣ୍ଡ ଓ କେତେକ ଛକ ମୁଣ୍ଡରେ ଚା’ ପିଉଥିଲେ। ସେଇଠି ଚିହ୍ନା ଜଣା ଲୋକଙ୍କ ସହ ଦେଖା ହୋଇ କଥାବାର୍ତ୍ତା ହେଉଥିଲା। ପୁଣି ସେଇଠି ଦେଖା ହୋଇ ହୋଇ କେତେକ ଲୋକଙ୍କ ସହ ସମ୍ପର୍କ ବି ତିଆରି ହେଉଥିଲା। ଏ ହେଲା ପୁରୁଣା ସମୟ କଥା। ସେଇସବୁ ଛୋଟ ଛୋଟ ଚା’ ଦୋକାନଗୁଡ଼ିକ ଧୀରେ ଧୀରେ ଉଭେଇ ଗଲା, ତା’ ବଦଳରେ ଆସିଲା ଓମଫେଡ଼ ଚା’ ଦୋକାନ।

୧୯୮୦ ଦଶକ ପରେ ପ୍ରଥମେ ଟେଲିଭିଜନ, ତା’ ପରେ ପରେ କମ୍ପ୍ୟୁଟର ଓ ମୋବାଇଲ ଫୋନ ଆମ ସମାଜ ଓ ସାଧାରଣ ଜୀବନରେ ଆଣିଲା ଘୋର ପରିବର୍ତ୍ତନ। ଜୀବନ ଇଣ୍ଟେରନେଟ ସହ ଯୋଡ଼ି ହେଲା। ହାଇସ୍ପିଡ ୱାଇଫାଇ ସଂଯୋଗ ସୁବିଧା ସହ ଚା’ ଓ କଫି ସହ ସ୍ନାକସ ଆଦି ଯୋଗାଇବା ପାଇଁ କାଫେ କଫି ଡେ’ ପରି ରେଷ୍ଟୁରାଣ୍ଟ ଚେନ ଖୋଲିଲା। ତା’ ବିନା ଜୀବନ ବଞ୍ଚିବା ଅସମ୍ଭବ ମନେ ହେଲା। କିନ୍ତୁ ତାହା ବି କାଳକ୍ରମେ ବଦଳିଲା।

ଏବେ ତ ସ୍ମାର୍ଟଫୋନ ଓ ଫୋର-ଜି ଓ ଫାଇଭ-ଜି ଯୁଗ। ତା’ ସହ କାରୋନା ଭୂତାଣୁ ସଂକ୍ରମଣଜନିତ ଜୀବନହାନୀ କଲାଭଳି କୋଭିଡ-୧୯ର ପ୍ରଭାବରେ ସାରା ବିଶ୍ଵ ଆଜି ଆତଙ୍କିତ। କେବଳ ସ୍ୱାସ୍ଥ୍ୟ ଦୃଷ୍ଟିରୁ ନୁହେଁ, ଅର୍ଥନୈତିକ ଦୃଷ୍ଟିରୁ ମଧ୍ୟ ମଣିଷ ଆଜି ଚାପଗ୍ରସ୍ତ ହୋଇ ରହିଛି। ଏଭଳି ସମୟରେ ନୂଆ ପିଢିର ଯୁବଗୋଷ୍ଠୀଙ୍କ ଭିତରୁ ବାହାରିଛନ୍ତି କିଛି ନୂଆ ଉଦ୍ୟୋଗୀ। ଚା’ ଓ କଫି ପିଇବା ପାଇଁ ଖୋଲିଛନ୍ତି ଦୃଷ୍ଟି ଆକର୍ଷଣକାରୀ ନୂଆ ଧରଣର ମୁକ୍ତାକାଶ ମିଳନସ୍ଥଳୀ। ଉଭୟ ଭୁବନେଶ୍ଵର ଓ ରାଉରକେଲା ସ୍ମାର୍ଟ ସିଟିରେ ଏବେ ଏହି ଭଳି ପ୍ରାୟ ଦୁଇ ଡଜନରୁ ଅଧିକ ଚା’ ଓ କଫି ପିଇବା ସହ ଆଳାପ ଆଲୋଚନା କରିବା ପାଇଁ ସମାଗମ ସ୍ଥଳ ମୁଣ୍ଡ ଟେକିଛି। ପୂର୍ବରୁ ଯାହାକୁ ଭୁବନେଶ୍ଵର ଓ କଟକରେ ଖଟି ବୋଲି କୁହାଯାଉଥିଲା ତାହା ଏବେ ନୂଆ ରୂପରେ ଦେଖିବାକୁ ମିଳୁଛି।

ଏହି ବ୍ୟବସାୟକୁ ଫାଶନେବ୍ଲ କରିବା ପାଇଁ ଯୁଗୋପଯୋଗୀ ନାମକରଣ ମଧ୍ୟ କରାଯାଇଛି। ଯେମିତି କି ଭୁବନେଶ୍ଵରରେ ‘ଟିଟୋଟଲର’, ‘ଚା’ ହ୍ୟାକର’, ‘ଟି ଜଙ୍କସନ’, ‘ଚା ହାଟ’, ‘ଚା ବିସ୍କୁଟ’ ଓ ଆହୁରି ଅନେକ ତଥା ରାଉରକେଲାରେ ‘ଇଞ୍ଜିନିୟର ଚା ୱାଲାଙ୍କ ଚାଏ କୁଲ୍ହଡ କାଫେ’ ଓ ‘ତନ୍ଦୁରୀ ଟି ପଟସ’ ପରି ଯୁବ ପିଢିଙ୍କ ମନ ପସନ୍ଦ ସ୍ଥାନ। ଏକାଧିକ ପ୍ରକାରର ଚା’ ଓ କଫି ସହ ସାଣ୍ଡୱିଚ ଓ ଫ୍ରେଞ୍ଚ ଫ୍ରାଏ ଭଳି ମନଲୋଭା ଖାଦ୍ୟ ପାନୀୟ ଅଳ୍ପ ଦାମରେ ମିଳୁଥିବାରୁ ଏଠାକୁ ଯୁବକଯୁବତୀମାନଙ୍କ ଧାଡ଼ି ଲାଗୁଛି। ମନ ପସନ୍ଦର ଖାଦ୍ୟପେୟ ସହ ପ୍ରିୟ ବନ୍ଧୁ ଓ ବାନ୍ଧବୀମାନଙ୍କ ସହ ଗପ କରିବା ଓ ମଜା ନେବା କାହାର ବା ପସନ୍ଦ ନୁହେଁ?

ଏହି ନୂଆ ଧାରା ପ୍ରତି ଦୃଷ୍ଟି ଦେଲେ ଲାଗୁଛି କି ଆଗକୁ ରାଜ୍ୟର ଦୁଇ ସ୍ମାର୍ଟ ସିଟିରେ ଏହି ଭଳି ଅଧିକରୁ ଅଧିକ ବ୍ୟବସାୟିକ ସଂସ୍ଥା ଖୋଲିବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ, ଉଭୟ ସ୍ମାର୍ଟ ସିଟିର ମ୍ୟୁନିସିପାଲ କର୍ପୋରେସନ ଓ ଉନ୍ନୟନ କର୍ତ୍ତୃପକ୍ଷ ଯୁବଗୋଷ୍ଠୀର ଏହି ଆଗ୍ରହକୁ ଆଗକୁ ବଢାଇବା ପାଇଁ ଉପଯୁକ୍ତ ଯୋଜନା ପ୍ରଣୟନ କରି ଖୁବ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନେଲେ ଭଲ ହେବ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚିତ୍ର ନିର୍ଦ୍ଦେଶକ)

LEAVE A REPLY

Please enter your comment!
Please enter your name here