ଓଡ଼ିଶାଲାଇଭ୍ ବ୍ୟୁରୋ

ୟୁପିଏ ଅଧ୍ୟକ୍ଷ ହେବେ କି ଶରଦ ପାୱାର?
ଖୁବଶୀଘ୍ର ୟୁପିଏକୁ ମିଳିପାରେ ନୂଆ ଅଧ୍ୟକ୍ଷ। ସୋନିଆ ଗାନ୍ଧୀଙ୍କ ବଦଳରେ ଶରଦ ପାୱାର ହୋଇପାରନ୍ତି ୟୁପିଏର ନୂଆ ନେତା। ଗତ କିଛି ଦିନ ହେଲା ରାଜନୈତିକ ମହଲରେ ଏଭଳି କିଛି ଚର୍ଚ୍ଚା ଜୋର ଧରିଥିବାବେଳେ ବିଜେପି ଶିବିରରେ ମଧ୍ୟ ଏହାକୁ ନେଇ କମ୍ପନ ସୃଷ୍ଟି ହୋଇଛି। ଯଦିଓ ଶରଦ ପାୱାର ଏଭଳି ଚର୍ଚ୍ଚାକୁ ସତ ମାନିବାକୁ ମନା କରିଦେଇଛନ୍ତି। ତଥାପି ଏହାକୁ ନେଇ ଏବେ ରାଜନୀତି କରିଡ଼ରରେ ବିତର୍କ ଜାରି ରହିଛି।
ଡିସେମ୍ବର ୧୨ ତାରିଖରେ ଶରଦ ପାୱାର ନିଜ ୮୦ ତମ ଜନ୍ମଦିନ ପାଳନ କରିଥିଲେ; ଯେଉଁଠାରୁ ଏହି ଚର୍ଚ୍ଚା ଜନ୍ମ ନେଇଛି। କୁହାଯାଉଛି ଯେ, ଅସୁସ୍ଥତା କାରଣରୁ ସୋନିଆ ଏବେ ୟୁପିଏ ଅଧ୍ୟକ୍ଷ ପଦରୁ ଅବସର ନେବେ। ତାଙ୍କ ସ୍ଥାନରେ ମେଣ୍ଟର ବରିଷ୍ଠ ନେତା ଶରଦ ପାୱାର ଅଧ୍ୟକ୍ଷ ପଦରେ ବସିବେ। ଏଭଳି ଚର୍ଚ୍ଚାକୁ ଶିବସେନା ଓ କଂଗ୍ରେସର କିଛି ନେତା ମଧ୍ୟ ସମର୍ଥନ କରୁଥିବାରୁ ଏହାକୁ ନେଇ ଆହୁରି ଚର୍ଚ୍ଚା ବଢ଼ିଛି।
କାହିଁକି ଶରଦ ହେବେ ୟୁପିଏ ଅଧ୍ୟକ୍ଷ?
ରାଜନୈତିକ ପଣ୍ଡିତମାନଙ୍କ କହିବା ଅନୁସାରେ, ଦୀର୍ଘ ଦିନ ହେଲା ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଅସୁସ୍ଥ ହୋଇ ରହିଛନ୍ତି। ସେ ୟୁପିଏର ପରିଚାଳନା ମଧ୍ୟ ଠିକ୍ ଭାବେ କରୁନାହାନ୍ତି। ଏହି କାରଣରୁ ସେ ଅଧ୍ୟକ୍ଷ ପଦରୁ ଅବସର ନେବାକୁ ଚିନ୍ତା କରୁଛନ୍ତି।
ଅନ୍ୟପଟେ ମେଣ୍ଟର ବରିଷ୍ଠ ନେତା ଭାବେ ଶରଦଙ୍କ ପାଖରେ ଦୀର୍ଘ ଦିନର ରାଜନୈତିକ ଅଭିଜ୍ଞତା ଅଛି। ତା’ସାଙ୍ଗକୁ ପ୍ରତି ଦଳର ନେତାଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ମଧ୍ୟ ସେ ବେଶ ମାହିର। ସେ ହିଁ ଏକମାତ୍ର ନେତା ଭାବେ ୟୁପିଏ ମେଣ୍ଟକୁ ଚଳାଇପାରିବେ। ତେଣୁ ତାଙ୍କୁ ଅଧ୍ୟକ୍ଷ ପଦ ଦେବାକୁ ସୋନିଆ ଏକ ପ୍ରକାର ନିଷ୍ପତ୍ତି ନେଇସାରିଥିବା କୁହାଯାଉଛି।
ଏଥିସହ ପାୱାର ମୁମ୍ବାଇରେ ରହୁଥିବା କାରଣରୁ ତାଙ୍କର ବଡ଼ ବଡ଼ ବ୍ୟବସାୟୀ, ଶିଳ୍ପପତିଙ୍କ ସହ ଭଲ ପରିଚିତି ଅଛି। ତେଣୁ ମେଣ୍ଟ ପାଇଁ ପାଣ୍ଠି ସଂଗ୍ରହ କରିବାରେ ମଧ୍ୟ ଶରଦ ସଫଳ ହୋଇପାରିବେ ବୋଲି ଅନୁମାନ କରାଯାଉଛି।
ଶରଦଙ୍କୁ ୟୁପିଏ ଅଧ୍ୟକ୍ଷ ପଦ ଦେବା ନେଇ ଚର୍ଚ୍ଚା ହେବା ପରେ ତାଙ୍କର ପୂର୍ବ ରାଜନୈତିକ ଇତିହାସକୁ ନେଇ ବି ଆଲୋଚନା ହେବାରେ ଲାଗିଛି। କାହିଁକି ନା ପୂର୍ବରୁ ସେ ବିଭିନ୍ନ ଦଳ ଓ ମେଣ୍ଟକୁ ଭାଙ୍ଗିବାର ଅନେକ ଉଦାହରଣ ରହିଛି। ତେଣୁ ଏପରି ସ୍ଥିତିରେ ତାଙ୍କୁ ୟୁପିଏ ଅଧ୍ୟକ୍ଷ କରିବା କେତେଦୂର ଠିକ୍ ତାକୁ ନେଇ ରାଜନୈତିକ ପଣ୍ଡିତମାନେ ଆକଳନ କରିବା ଆରମ୍ଭ କରିଛନ୍ତି।
୧୯୭୮ରେ ଶରଦ ପାୱାର ନିଜର ପରାମର୍ଶଦାତା ବସନ୍ତ ଦାଦା ପାଟିଲଙ୍କୁ ପ୍ରତାରଣା କରି ୩୮ ବର୍ଷ ବସୟରେ ମହାରାଷ୍ଟ୍ରର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାପରେ ଅଶୀ ଦଶକରେ ଶରଦ କଂଗ୍ରେସରେ ଯୋଗ ଦେଇଥିଲେ। ସେତେବେଳେ କଂଗ୍ରେସରେ ରାଜୀବ ଗାନ୍ଧୀ ହିଁ ସର୍ବେସର୍ବା ଥିଲେ। ମାତ୍ର ୧୯୯୮ ମସିହାରେ ସେ ସୋନିଆଙ୍କ ବିରୋଧରେ ବିଦ୍ରୋହ କରି କଂଗ୍ରେସକୁ ଭାଗ କରିବା ସହ ନିଜେ ଦଳରୁ ବାହାରି ଆସିଥିଲେ। ୨୦୦୪ ମସିହାରେ ଶରଦ ପାୱାର ପୁଣି କଂଗ୍ରେସ ମେଣ୍ଟର ଅଂଶୀଦାର ହେବା ସହ ମନମୋହନ ସରକାରରେ କୃଷିମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ତେଣୁ ସେ ସର୍ବଦା କ୍ଷମତା ରାଜନୀତିରେ ବିଶ୍ୱାସ ରଖିଥାନ୍ତି ବୋଲି କୁହାଯାଇଥାଏ।
ଅନ୍ୟପଟେ ଶରଦ ପାୱାରଙ୍କ ନିର୍ଦ୍ଦିଷ୍ଟ କୌଣସି ଆଦର୍ଶରେ ବିଶ୍ୱାସ ରଖିନଥାନ୍ତି। ସର୍ବଦା ସେ କ୍ଷମତାରେ ବିଶ୍ୱାସ ରଖିଥାନ୍ତି ଏବଂ କ୍ଷମତା ପାଇଁ କୌଣସି ଆଦର୍ଶକୁ ଗ୍ରହଣ କରିପାରନ୍ତି ବୋଲି କୁହାଯାଇଥାଏ। କଂଗ୍ରେସ ଚିନ୍ତାଧାରାରୁ ଜନ୍ମିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ହେବା ପାଇଁ ୧୯୭୮ ମସିହାରେ ଶରଦ ପାୱାର ଜନତା ଦଳର ସମର୍ଥନ ନେଇଥିଲେ। ସେହିପରି ଯେଉଁ ସୋନିଆଙ୍କ ବିରୋଧରେ ସେ ୧୯୯୮ରେ ବିଦ୍ରୋହ କରିଥିଲେ, ୧୯୯୯ ମସିହାରେ ମହାରାଷ୍ଟ୍ରରେ ତାଙ୍କରି କଂଗ୍ରେସ ଦଳକୁ ସମର୍ଥନ କରି ଶରଦ ସରକାରରେ ସାମିଲ ହୋଇଥିଲେ। ତେଣୁ ଶରଦଙ୍କୁ ଅଧ୍ୟକ୍ଷ ପଦ ଦେବା ୟୁପିଏ ପାଇଁ କେତେଦୂର ଠିକ୍ ହେବ ତାକୁ ନେଇ ବି ଏବେ ଆଲୋଚନା ଜୋରଦାର।


















