ଓଡ଼ିଶାଲାଇଭ୍ ବ୍ୟୁରୋ

ପଶ୍ଚିମବଙ୍ଗରେ ୨୦୨୧ରେ ହେବାକୁ ଅଛି ବିଧାନସଭା ନିର୍ବାଚନ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ମାସ କେଇଟା ବାକି, ହେଲେ ଏହାପୂର୍ବରୁ ଭାଙ୍ଗିବାରେ ଲାଗିଛି ‘ମମତା ଦୁର୍ଗ’। ପ୍ରଥମେ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଆଉ ଏବେ ବିଧାୟକ ଜିତେନ୍ଦ୍ର ତିୱାରୀ ତୃଣମୂଳ କଂଗ୍ରେସକୁ ବାଏ ବାଏ କହିଛନ୍ତି। ଯାହାଫଳରେ ପଶ୍ଚିମବଙ୍ଗରେ ଏବେ ମମତା ବାନାର୍ଜୀଙ୍କ ମଜଭୁତ୍ ଦୁର୍ଗ ଭୁଷୁଡ଼ିବା ଆରମ୍ଭ କରିଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ଅନ୍ୟପଟେ ଆଗକୁ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଏଥିପାଇଁ ବଳ ଗୋଟାଇବା ଆରମ୍ଭ କରିଛି ବିଜେପି। ରାଷ୍ଟ୍ରୀୟ ଅଧ୍ୟକ୍ଷଠାରୁ ଆରମ୍ଭ କରି ଗୃହମନ୍ତ୍ରୀ ଅମିତ ଶାହ ଏବେ ତୁହାକୁ ତୁହା ପଶ୍ଚିମବଙ୍ଗ ଗସ୍ତରେ ଯାଇ ସେଠାରେ ସଙ୍ଗଠନ ସଜାଡ଼ିବା ଆରମ୍ଭ କରିଛନ୍ତି। ଏପରିକି ପଶ୍ଚିମବଙ୍ଗରେ ଏଥର ବିଜେପି ସରକାର ଗଢ଼ିବ ବୋଲି ଶାହ ଦୃଢ଼ୋକ୍ତି ପ୍ରକାଶ କରିସାରିଲେଣି।ତୃଣମୂଳ କଂଗ୍ରେସ ଛାଡ଼ିଲେ ଶୁଭେନ୍ଦୁ

ଗତ ନଭେମ୍ବର ମାସରେ ପଶ୍ଚିମବଙ୍ଗର ମମତା କ୍ୟାବିନେଟରୁ ଇସ୍ତଫା ଦେଇଥିଲେ ପରିବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ଏହାପରେ ବୁଧବାର ସେ ବିଧାୟକ ଏବଂ ତୃଣମୂଳ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ଯାହା ମମତା ସରକାରକୁ ଏକ ବଡ଼ ଝଟକା ବୋଲି କୁହାଯାଉଛି।

ଅନ୍ୟପଟେ ଶୁଭେନ୍ଦୁ ଖୁବଶୀଘ୍ର ପଦ୍ମ ଫୁଲ ଧରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଆସନ୍ତା କିଛି ଦିନ ଭିତରେ ଅମିତ ଶାହ ପଶ୍ଚିମବଙ୍ଗ ଯିବାର ଯୋଜନା ଅଛି। ଏହି ଅବସରରେ ସେ ଶୁଭେନ୍ଦୁଙ୍କୁ ବିଜେପିର ପ୍ରାଥମିକ ସଦସ୍ୟତା ପ୍ରଦାନ କରିବେ ବୋଲି ସୂଚନା ମିଳୁଛି; କିନ୍ତୁ ଟିଏମସି ନେତାମାନେ କିନ୍ତୁ ଏହି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି।ଶୁଭେନ୍ଦୁଙ୍କ ରାସ୍ତାରେ ଜିତେନ୍ଦ୍ର ତିୱାରୀ

ଶୁଭେନ୍ଦୁ ଅଧିକାରୀଙ୍କ ପରି ମମତାଙ୍କ ଆଉ ଜଣେ ବିଧାୟକ ଜିତେନ୍ଦ୍ର ତିୱାରୀ ମଧ୍ୟ ଗୁରୁବାର ତୃଣମୂଳ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏହାପରେ କିଛି ଟିଏମସି ନେତାମାନେ ତାଙ୍କ ଘରେ ମାରପିଟ୍ କରିବା ଖବର ମଧ୍ୟ ମିଳିଛି।

ଜିତେନ୍ଦ୍ର ତିୱାରୀଙ୍କ କହିବାନୁଯାୟୀ, ରାଜ୍ୟ ସରକାର ତାଙ୍କ ଅଞ୍ଚଳର ବିକାଶ ପାଇଁ କୌଣସି ପଦକ୍ଷେପ ନେଉନି। ଯେଉଁ କାରଣରୁ ସେଠାରେ କାମ କରିବାରେ ତାଙ୍କୁ ବହୁତ ଅସୁବିଧା ହେଉଛି। ଶେଷରେ ବାଧ୍ୟ ହୋଇ ସେ ତୃଣମୂଳ କଂଗ୍ରେସରୁ ଇସ୍ତଫା ଦେଉଛନ୍ତି ବୋଲି କହିଛନ୍ତି। ତାଙ୍କ ଇସ୍ତଫା ସହ ମମତାଙ୍କ ପାର୍ଟିରେ ଏବେ ଅନ୍ତଃକନ୍ଦଳ ଆହୁରି ବଢ଼ିଯାଇଥିବା ରାଜନୈତିକ ପଣ୍ଡିତମାନେ ଅନୁମାନ କରୁଛନ୍ତି।

ବଳ ଗୋଟାଉଛି ବିଜେପି

ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ଏବେଠୁ ସଙ୍ଗଠନ ସଜାଡ଼ିବା ଆରମ୍ଭ କରିଦେଇଛି ବିଜେପି। ଏଥିପାଇଁ ଅଧ୍ୟକ୍ଷ ଜେପି ନଡ୍ଡାଙ୍କଠାରୁ ଆରମ୍ଭ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ବାରମ୍ବାର ପଶ୍ଚିମବଙ୍ଗ ଗସ୍ତରେ ଯାଇ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେବାରେ ଲାଗି ପଡ଼ିଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ବିଜେପିକୁ କିଛିଟା ସଫଳତା ମିଳିଥିବାରୁ ଆଗାମୀ ବିଧାନସଭା ନିର୍ବାଚନରେ ମଧ୍ୟ ଦଳ ସଫଳ ହେବ ବୋଲି କୁହାଯାଉଛି।

୨୦୧୪ରେ ସାରା ଦେଶରେ ମୋଦୀ ଲହର ବୋହିବା ସହ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ହୋଇଥିଲେ ମୋଦୀ। ପଶ୍ଚିମବଙ୍ଗରେ କିନ୍ତୁ ଏହି ହାୱା କିଛି କାମ ଦେଇନଥିଲା। ୪୨ ଲୋକସଭା ଆସନରୁ ବିଜେପି ମାତ୍ର ୨ଟିରେ ବାଜିମାତ୍ କରିଥିବାବେଳେ ତୃଣମୂଳ କଂଗ୍ରେସ ୩୪ ଲୋକସଭା ଆସନ ଦଖଲ କରିଥିଲା।

ଏହାପରେ ପଶ୍ଚିମବଙ୍ଗରେ ମମତା ସରକାରକୁ ମାତ୍ ଦେବାକୁ ବିଜେପି ଗେମପ୍ଲାନ ପ୍ରସ୍ତୁତ କରିଥିଲା। ଯାହାର ଫଳ ଏଥର ୨୦୧୯ ଲୋକସଭା ନିର୍ବାଚନରେ ଦେଖିବାକୁ ମିଳିଥିଲା। ୪୨ ଲୋକସଭା ଆସନରୁ ତୃଣମୂଳ କଂଗ୍ରେସ ଖାତାକୁ ମାତ୍ର ୨୨ଟି ଆସନ ଯାଇଥିବାବେଳେ ବିଜେପି ୧୮ଟି ଆସନ ଦଖଲ କରିନେଇଥିଲା। ତେଣୁ ଆଗାମୀ ୨୦୨୧ ବିଧାନସଭା ନିର୍ବାଚନରେ ମଧ୍ୟ ପଶ୍ଚିମବଙ୍ଗରେ ପଦ୍ମ ଫୁଲ ଫୁଟିବ ବୋଲି ବିଜେପି ଆଶା ବାନ୍ଧିଛି।ପଶ୍ଚିମବଙ୍ଗରେ ବିଜେପି ସରକାର – ଶାହ

ଗତ ନଭେମ୍ବର ମାସରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇଥିଲେ। ଯେଉଁଠି ସେ ମମତା ସରକାରଙ୍କୁ ଖୋଲାଖୋଲି ଟାର୍ଗେଟ କରିବା ସହ ୨୦୨୧ରେ ବିଜେପି ପଶ୍ଚିମବଙ୍ଗ ଦଖଲ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଏହି ସମୟରେ ଶାହ କହିଥିଲେ ଯେ, ମମତା ସରକାର ପ୍ରତି ଯୁବବର୍ଗଙ୍କ ଭିତରେ ପ୍ରବଳ ଆକ୍ରୋଶ ରହିଛି। ଏଠାରେ ବିଜେପି କର୍ମୀମାନଙ୍କୁ ଯେଉଁଭଳି ଭାବେ ଦମନ କରାଯାଉଛି ଏଥିରୁ ମମତା ସରକାରର ଅସହିଷ୍ଣୁତା ବୁଝାପଡୁଛି। ଆଗାମୀ ବର୍ଷ ବିଜେପି ଏଠାରେ ନିଶ୍ଚିମ ବହୁମତ ହାସଲ କରିବ ବୋଲି ଶାହ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

ତେବେ ଶେଷରେ ନିର୍ବାଚନୀ ରାଜନୀତିରେ ମମତା ନିଜ ଦୁର୍ଗ ବଞ୍ଚେଇ ରଖୁଛନ୍ତି ନା ପଶ୍ଚିମବଙ୍ଗରେ ପଦ୍ମ ଫୁଲ ଫୁଟୁଛି ତାହା ଦେଖିବାକୁ ବାକି ରହିଲା।

Comment