ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ରହ୍ମପୁରବାସୀଙ୍କୁ ପ୍ରବାସୀ ଓଡ଼ିଆ ସମାଜ ‘ଦି ଓଡ଼ିଶା ସୋସଇଟି ଅଫ୍‌ ଆମେରିକାସ୍‌ (ଓସା)’ ଓ ବ୍ରହ୍ମପୁର ନଗର ନିଗମ ତରଫରୁ ନୂଆବର୍ଷର ଉପହାର ମିଳିଛି। ବ୍ରହ୍ମପୁରରେ ଥିବା ଓସା ବିଇଏମ୍‌ସି ନଲେଜ୍‌ ହବ୍‌ (ବ୍ରହ୍ମପୁର ମଡେଲ୍‌ ପବ୍ଲିକ୍‌ ଲାଇବ୍ରେରୀ)କୁ ଆହୁରି ଅଧିକ ସୁବିଧା ଓ ସୁଯୋଗ ଯୋଗାଇ ଦେବା ନିମନ୍ତେ ହୋଇଥିବା ନବୀକରଣ ଚୁକ୍ତିକୁ ଆହୁରି ୫ବର୍ଷ ପାଇଁ ବୃଦ୍ଧି କରାଯାଇଛି।

ଓଡ଼ିଶାବାସୀଙ୍କ ନିମନ୍ତେ ଅତ୍ୟାଧୁନିକ ପାଠାଗାରର ଆବଶ୍ୟକକୁ ଅନୁଭବ କରି ଏହି ପ୍ରକଳ୍ପର ପ୍ରାରମ୍ଭ ହୋଇଥିଲା। ଓସାର କର୍ମକର୍ତ୍ତାଙ୍କ ଆଗ୍ରହ ଓ ଆଞ୍ଚଳିକ ସ୍ୱେଚ୍ଛାସେବୀଙ୍କ ସହଯୋଗରେ ଏହି ପାଠାଗାର ଏବେ କାର୍ଯ୍ୟକ୍ଷମ। ଶହ ଶହ ଛାତ୍ରଛାତ୍ରୀ ଏବେ ଏହାର ସଭ୍ୟ/ସଭ୍ୟା ହୋଇ ଏହି ପାଠାଗାରର ସମସ୍ତ ଆନୁସଙ୍ଗିକ ସୁବିଧା ଉପଲବ୍‌ଧ କରୁଛନ୍ତି। ବ୍ରହ୍ମପୁରର ସର୍ବସାଧାରଣ ଏହି ପାଠାଗାର ପ୍ରକଳ୍ପରେ ଯୋଡ଼ି ହେଲେ ଏହାର ପ୍ରକୃତ ଲକ୍ଷ୍ୟ ସାଧନ ହେବ ବୋଲି ଓସା ତରଫରୁ କୁହାଯାଇଛି।

ଓସା ସଭାପତି କୁକୁ ଦାସ, ଉପସଭାପତି ଅନୀଲ ପଟ୍ଟନାୟକ, ଓପିଏଲ୍‌ଆଇର ନିଶିକାନ୍ତ ସାହୁ, ଅଜୟ ମହାନ୍ତି, ସନ୍ଦୀପ ଦାଶ ବର୍ମା, ପ୍ରଭାତ ନଳିନୀ ପଟ୍ଟନାୟକ ଓ ପ୍ରଶାନ୍ତ ଭୂୟାଁ ତଥା ବ୍ରହ୍ମପୁରରୁ ବ୍ରହ୍ମପୁର ନଗର ନିଗମରୁ କମିଶନର୍‌ ଡଃ. ସିଦ୍ଧେଶ୍ୱର ବଳିରାମ ବୋନ୍ଦାର, ପାଠାଗାରର ସହଯୋଗୀ ବି. ନାଗେଶ୍ୱର ରାଓ ସୁବୁଦ୍ଧି, ଇ.ଟି. ରାଓ, ସୁଧୀର ରାଉତ, ପ୍ରଭୃତିଙ୍କ ଉପସ୍ଥିତିରେ ପାଠାଗାର ନବୀକରଣ ଚୁକ୍ତିନାମାରେ ସ୍ୱାକ୍ଷର ହୋଇଥିଲା।

ଏହି ସହମତି ଫଳରେ ପାଠାଗାରର ସୁଚାରୁ ପରିଚାଳନା, ଆହୁରି ଅଧିକ ସୁବିଧା, ସୁଯୋଗ ଓ ସଂପ୍ରସାରଣରେ ସହାୟକ ହେବ ବୋଲି ବ୍ରହ୍ମପୁର କମିସନର୍‌ ବୋନ୍ଦାର୍‌ ଓ ଓସା ସଭାପତି କୁକୁ ଦାସ କହିଥିଲେ। ଏହି ପ୍ରୟାସର ସଫଳତା ପରେ ଏହି ଭଳି ପାଠାଗାର ସମଗ୍ର ଓଡ଼ିଶାରେ କରିବାର ପ୍ରୟାସରେ ଆମ୍ଭେ ସଫଳକାମୀ ହେବୁ ବୋଲି ନିଶିକାନ୍ତ ସାହୁ କହିଥିଲେ।

ଏହି ପାଠାଗାରରେ ବ୍ରହ୍ମପୁରବାସୀ ଓ ସର୍ବୋପରି ବୋନ୍ଦାର୍‌ଙ୍କ ବଳିଷ୍ଠ ପଦକ୍ଷେପ ସ୍ୱାଗତଯୋଗ୍ୟ ବୋଲି ଅଜୟ ମହାନ୍ତି କହିଥିଲେ।

ସେହିପରି ସନ୍ଦୀପ ଦାଶ ବର୍ମା କହିଥିଲେ ଯେ କେବଳ ପାଠାଗାରର ପ୍ରତିଷ୍ଠା ନୁହଁ ବରଂ ମାସକୁ ଚାରିରୁ ପାଞ୍ଚହଜାର ସଭ୍ୟ ଏହି ସୁଯୋଗର ସଦୁପଯୋଗ କରିଲେ ବ୍ରହ୍ମପୁର ପାଇଁ ତାହା ଭଲ ହେବ।

ଶେଷରେ ପ୍ରଶାନ୍ତ ଭୂୟାଁ ବ୍ରହ୍ମପୁରବାସୀଙ୍କୁ କହିଥିଲେ ଯେ ଓସାର ଏହି ପାଠାଗାର ବ୍ରହ୍ମପୁର ପାଇଁ ଏକ ନୂତନ ଅଧ୍ୟାୟର ଅୟମାରମ୍ଭ ଏଣୁ ହଜାର ହଜାର ସଂଖ୍ୟାରେ ଜ୍ଞାନୀ ଓ ଗୁଣୀ ଏହାର ବ୍ୟବହାର କରି ବ୍ରହ୍ମପୁରରେ ଏକ ଗୁଣାତ୍ମକ ବିପ୍ଲବ ଆଣି ସହରକୁ ବିଶ୍ୱ ଦରବାରରେ ପରିଚିତ କରାଇବାକୁ ହେବ।

LEAVE A REPLY

Please enter your comment!
Please enter your name here