ଓଡ଼ିଶାଲାଇଭ୍ ବ୍ୟୁରୋ

ମହିଳା ଭୋଟରମାନଙ୍କୁ ଆକର୍ଷିତ କରିବାକୁ ପ୍ରିୟଙ୍କା ଗାନ୍ଧୀଙ୍କୁ କଂଗ୍ରେସର ଅଧ୍ୟକ୍ଷ କରିବ ଦଳ!

ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି କଂଗ୍ରେସ। ଦଳକୁ ଏବେ ଭୋଟରଙ୍କ ସମର୍ଥନ ହ୍ରାସ ପାଇବାରେ ଲାଗିଛି। ବିହାର ନିର୍ବାଚନରେ ଏହାର ସଙ୍କେତ ମିଳିସାରିଛି। ତେଣୁ ଦଳକୁ ମଜଭୁତ କରିବା ପାଇଁ ପ୍ରିୟଙ୍କା ଗାନ୍ଧୀଙ୍କୁ କଂଗ୍ରେସର ମୁଖିଆ କରିପାରନ୍ତି ସୋନିଆ ଗାନ୍ଧୀ। ପ୍ରିୟଙ୍କାକୁ ଅଧ୍ୟକ୍ଷ କରି ମହିଳାକାର୍ଡ ଖେଳିବାର ଯୋଜନା କରୁଛି ଦଳ। କାରଣ ରାହୁଲ ଗାନ୍ଧୀ ଗତ ନିର୍ବାଚନଗୁଡ଼ିକରେ ପ୍ରଭାବୀ ନେତୃତ୍ୱ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ଏଥିପାଇଁ କଂଗ୍ରେସରେ ଆଭ୍ୟନ୍ତରୀଣ ଚାପ ପ୍ରବଳ ମାତ୍ରାରେ ବଢ଼ିଛି। ତେଣୁ ଯଦି ରାହୁଲ ନୁହେଁ, ତେବେ ପ୍ରିୟଙ୍କାଙ୍କୁ ଦଳର ଦାୟିତ୍ୱ ଦେଲେ, ବିରୋଧ କରୁଥିବା ନେତାଙ୍କ ମୁହଁ ବନ୍ଦ ହେବା ସହ ଭୋଟରଙ୍କୁ ଏକ ତାଜା ଚେହେରା ମଧ୍ୟ ମିଳିଯାଇ ପାରେ ବୋଲି ହାଇକମାଣ୍ଡ ଯୋଜନା କରିଛନ୍ତି। କଂଗ୍ରେସ ପ୍ରତି ମହିଳା ଭୋଟରଙ୍କ ଆସ୍ଥା କମୁଛି। ଦଳର ଦାୟିତ୍ୱ ମହିଳାଙ୍କ ଉପରେ ଥିଲେ ମଧ୍ୟ ଦଳ ମହିଳାଙ୍କ ଆସ୍ଥା ଜିତିପାରୁନି। ତେଣୁ ଦଳକୁ ଏକ ନୂଆ ଚେହେରା ରୂପେ ପ୍ରିୟଙ୍କା ଗାନ୍ଧୀଙ୍କୁ ମୁଖିଆ ପଦ ଦିଆଗଲେ, ଦଳକୁ ମହିଳା ଭୋଟରଙ୍କ ସମର୍ଥନ ଅଧିକ ମିଳିପାରେ ବୋଲି କଂଗ୍ରେସ ବିଚାର କରୁଥିବା ରାଜନୀତି ମହଲରେ ଚର୍ଚ୍ଚା ହେଉଛି।

ଚଳିତବର୍ଷ ମେ’ ମାସ ସୁଦ୍ଧା ତାମିଲନାଡୁ, ପଶ୍ଚିମବଙ୍ଗ, ଆସାମ, କେରଳ ଓ ପୁଡୁଚେରୀରେ ନିର୍ବାଚନ ହେବ। ବିହାର ନିର୍ବାଚନରେ ଦଳର ଶୋଚନୀୟ ପ୍ରଦର୍ଶନ ପରେ କେଉଁ ପଟରୁ ଏ କ୍ଷତି ଭରଣା କରିବ ସେ ନେଇ କଂଗ୍ରେସ ମୁଖିଆ ଚିନ୍ତାରେ ପଡ଼ିଯ।ଇଛନ୍ତି। ତେବେ ୨୦୧୯ ନିର୍ବାଚନରେ ଓଡ଼ିଶାରେ ମହିଳାଙ୍କ ସକ୍ରିୟ ଭୂମିକା ଓ ସରକାରକୁ ନିର୍ବାଚିତ କରିବାରେ ପ୍ରମୁଖ ଭୂମିକାକୁ ନେଇ ଦଳରେ ବାରମ୍ବାର ତର୍ଜମା ହୋଇଛି। ଏହା ସହିତ ଗତ ବିହାର ନିର୍ବାଚନରେ ନୀତିଶଙ୍କ ଗାଦି ଯଦି କିଏ ବଞ୍ଚାଇ ଦେଇଥାନ୍ତି ତେବେ ସେମାନେ ହେଉଛନ୍ତି ମହିଳା। ତେଣୁ ଆଗକୁ ଏହି ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନରେ ମହିଳାମାନଙ୍କୁ ସଂଗଠିତ କରି କଂଗ୍ରେସ ମୁହାଁ କରିବାକୁ ଦଳ ଯୋଜନା କରୁଥିବା ସୂଚନା ମିଳିଛି।ସେଥିପାଇଁ ପ୍ରତି ବୁଥରେ ୫ଜଣ ସକ୍ରିୟ ମହିଳାଙ୍କୁ ପ୍ରମୁଖ ଦାୟିତ୍ୱ ଦିଆଯିବ। ସେମାନେ ଦଳର ମହିଳା ସସକ୍ତିକରଣ ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇବେ। ମହିଳା କଂଗ୍ରେସରେ ଏମିତି ନିଷ୍ପତ୍ତି ନିଆଯିବା ସହ ଏ ସମ୍ପର୍କରେ ରାଜ୍ୟ କଂଗ୍ରେସର ସଭାପତିମାନଙ୍କୁ ଜଣାଇ ଦିଆଯାଇଛି। ସେମାନଙ୍କ ମତାମତ ମଗାଯାଇଛି। ଯେମିତି ଦଳିତ ଆଦିବାସୀ ଭୋଟରଙ୍କୁ ସ୍ୱତନ୍ତ୍ର ଭାବେ ଗଣାଯାଉଛି, ସେମିତି ମହିଳାଭୋଟରଙ୍କୁ ମଧ୍ୟ ଏକାଠି କରିବା ପାଇଁ ଦଳ ଆଗକୁ କଣ କରିବ ସେଥିପାଇଁ ମତାମତ ଦେବାକୁ କୁହାଯାଇଛି। ମହିଳା କଂଗ୍ରେସର ଜାତୀୟ କାର୍ଯ୍ୟକାରିଣୀରେ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିବା ସୂଚନା ମିଳିଛି। ବିଶେଷ କରି ମହିଳାମାନେ ଶିକାର ହେଉଥିବା ଘରୋଇ ହିଂସା ବିରୋଧରେ ଲଢ଼େଇ, ମହାମାରୀ ସମୟରେ ସେମାନେ କଣ କଣ ସମସ୍ୟାର ସମ୍ମୁଖୀନ ହୋଇଥିଲେ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା ହେବା ସହ ମହିଳାମାନଙ୍କୁ ସଶକ୍ତ ଭୋଟବ୍ୟାଙ୍କ ଭାବେ ସମ୍ମାନ ଦେବା ପାଇଁ ଆଲୋଚନା ହୋଇଛି।

ଆଗକୁ ଦଳର ମହିଳା ମୋର୍ଚ୍ଚା ଛଡ଼ା ପ୍ରଦେଶ କଂଗ୍ରେସରେ କିପରି ମହିଳାମାନଙ୍କୁ ଅଧିକ ଦାୟିତ୍ୱ ଦିଆଯିବ ସେ ନେଇ ବିଚାର କରାଯାଉଥିବା ସୂଚନା ମିଳିଛି। କିଛି ପିସିସି ସଭାପତି ଏ ଦିଗରେ କାମ ଆରମ୍ଭ ମଧ୍ୟ କରିଦେଇଛନ୍ତି। ବିଶେଷ କରି ମେ’ ସୁଦ୍ଧା ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକରେ କାମ ଆରମ୍ଭ ହୋଇଛି। ସରକାର ବଦଳାଇ ଦେବାର କ୍ଷମତା ରଖୁଛନ୍ତି ମହିଳା ଭୋଟର। ସେଥିପାଇଁ ପଞ୍ଚାୟତସ୍ତରରେ ମହିଳା ନେତା ବାଛିବା କାମ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କାରଣ ବିହାର ନିର୍ବାଚନରେ ବହୁ ନିର୍ବାଚନମଣ୍ଡଳୀରେ ମହିଳା ଭୋଟରମାନେ ଅଧିକ ଭୋଟ ଦେଇଛନ୍ତି। ଯେଉଁ ନିର୍ବାଚନମଣ୍ଡଳୀରେ ମହିଳା ଭୋଟର ଅଧିକ ରହିଥିଲେ, ସେହି ନିର୍ବାଚନମଣ୍ଡଳୀରେ ନୀତୀଶଙ୍କ ଦଳ ଏବଂ ଏନଡିଏ ଭଲ ପ୍ରଦର୍ଶନ କରିଛି, ଭଲ ବ୍ୟବଧାନରେ ସେହି ସିଟସବୁ ହାତେଇ ନେଇଛି। ଏନଡିଏ ଜିତିଥିବା ସିଟ୍ ମଧ୍ୟରୁ ୬୨ ପ୍ରତିଶତ ଆସନରେ ମହିଳା ଭୋଟର ହିଁ ଅଧିକ ଭୋଟ୍ ଦେଇଛନ୍ତି।

ବିହାରରେ କଂଗ୍ରେସ ମଧ୍ୟ ପୁରୁଷ ଭୋଟରଙ୍କ ଅପେକ୍ଷା ଅଧିକ ମହିଳାଙ୍କ ଭୋଟ୍ ପାଇଛି। ମାତ୍ର ଦଳ ପକ୍ଷରୁ ସେମିତି ମହିଳା କୈନ୍ଦ୍ରିକ ପ୍ରଚାର କି ପ୍ରତିଶ୍ରୁତି ନ ଥିବାରୁ ଏନଡିଏ ସପକ୍ଷରେ ବୃହତ ପରିମାଣର ଭୋଟ୍ ଯାଇଥିବା ନେଇ ଏକ ରିପୋର୍ଟ କଂଗ୍ରେସ ପ୍ରସ୍ତୁତ କରିଛି। ନରେନ୍ଦ୍ର ମୋଦୀ ସିଧାସଳଖ ମହିଳା ଭୋଟରଙ୍କ ସହ କଥା ହେଉଥିବା ବେଳେ କଂଗ୍ରେସର କୌଣସି ବରିଷ୍ଠ ନେତା ମହିଳାଙ୍କୁ ସମ୍ବୋଧିତ କରୁ ନ ଥିବାରୁ ସୋନିଆ ଓ ପ୍ରିୟଙ୍କା ଅସନ୍ତୋଷ ପ୍ରକାଶ କରିଥିବା ସୂଚନା ମିଳିଛି।ଦିଲ୍ଲୀର କଂଗ୍ରେସ ମହଲରେ ଆଉଗୋଟେ କଥା ମଧ୍ୟ ଆଲୋଚନା ହେଉଛି ଯେ, ଯଦି ରାହୁଲଙ୍କ ପ୍ରଦର୍ଶନ ଏମିତି ଖରାପ ଜାରି ରୁହେ ଏବଂ କଂଗ୍ରେସ ମହିଳାଙ୍କୁ ସଂଗଠିତ କରିବାରେ ସଫଳ ହୁଏ ତେବେ ପ୍ରିୟଙ୍କାଙ୍କୁ ଦାୟିତ୍ୱ ମିଳିବା କିଛି ବିଚିତ୍ର ନୁହେଁ। ପ୍ରିୟଙ୍କାଙ୍କର ଇନ୍ଦିରାଙ୍କ ସହ କିଛି ସାମଞ୍ଜସ୍ୟ ରହିଥିବାରୁ ଲୋକେ ତାଙ୍କୁ ଗ୍ରହଣ କରିବ ବୋଲି ଆଶା ରଖିଛି ଦଳ।

Comment