ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ହାଜତ ମୃତ୍ୟୁ ମାମଲାରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର। ଘଟଣାଟି ଏକ ହାଜତ ମୃତ୍ୟୁ ହୋଇନଥିବା ଏହି ରିପୋର୍ଟରେ ସରକାର ଉଲ୍ଲେଖ କରିଥିବା ସୂଚନା ମିଳିଛି। ଏଥିସହ କୋର୍ଟରେ ଶବ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ଦାଖଲ କରାଯାଇଛି। ତେବେ ମାମଲାର ଷ୍ଟାଟସ ରିପୋର୍ଟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଆସନ୍ତା ୨୨ ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରାଯାଇଛି।
ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀ ଏସ୍ପି କନୱର ବିଶାଲ ସିଂଙ୍କ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ। ସେତେବେଳେ ମଧ୍ୟ ଥାନା ହାଜତରେ ଅଭିଯୁକ୍ତ କେ. ରମେଶଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ସେ ଅସ୍ୱୀକାର କରିଥିଲେ। ଅଭିଯୁକ୍ତ ଏବଂ ପୋଲିସ୍ ମଧ୍ୟରେ ଧସ୍ତାଧସ୍ତି ବେଳେ ପଥୁରିଆ ରାସ୍ତାରେ ପଡ଼ି ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଥିବା ସତ୍ୟପାଠରେ ଦର୍ଶାଯାଇଥିଲା।କ’ଣ ଥିଲା ଘଟଣା?
ନଭେମ୍ଵର ମାସରେ ପୁରୀ ଜିଲ୍ଲା ବାଶେଳୀ ସାହି ଥାନା ହାଜତରେ କେ ରମେଶ ନାମକ ଜଣେ ଯୁବକର ମୃତ୍ୟୁ ହୋଇଥିବା ତାଙ୍କର ପରିବାର ଲୋକେ ଅଭିଯୋଗ କରିଥିଲେ। ପୋଲିସ ଯୁବକ ଜଣକୁ ମାଡ଼ ମାରି ମାରି ହତ୍ୟା କରିଥିବା ତାର ପରିବାର ଲୋକେ କହିଥିଲେ। ଏଥିସହ ପରିବାରକୁ ନଜଣାଇ ପୋଲିସ ମୃତକଙ୍କ ଶବସତ୍କାର କରିଦେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା।
ଅନ୍ୟପଟେ ପୋଲିସ କିନ୍ତୁ ହାଜତ ମୃତ୍ୟୁ ଖବରକୁ ଖଣ୍ଡନ କରିଥିଲା। ପୁରୀ ଜିଲ୍ଲାର ପୂର୍ବତନ ଏସପି ଅଖିଳେଶ୍ୱର ସିଂହଙ୍କ କହିଥିଲେ ଯେ, ମୃତକ ରମେଶଙ୍କ ନାଁରେ ଏକାଧିକ ଅପରାଧିକ ମାମଲା ଥିଲା। ଏଥିପାଇଁ ପୋଲିସ ତାକୁ ଧରିବାକୁ ଚେଷ୍ଟା କରିଥିଲା। ଏହି ସମୟରେ ପୋଲିସ ଓ ରମେଶଙ୍କ ଭିତରେ ଧସ୍ତାଧସ୍ତି ହୋଇଥିଲା ଏବଂ ରମେଶ ଆହତ ହୋଇଥିଲା। ଏହାପରେ ପୋଲିସ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲା। ହେଲେ ସେଠାରେ ତାର ମୃତ୍ୟୁ ହୋଇଥିଲା।ହାଜତମୃତ୍ୟୁ ଘଟଣାରେ କମ୍ପିଥିଲା ଶୀତ ଅଧିବେସନ
ପୁରୀର ବହୁଚର୍ଚ୍ଚିତ ହାଜତ ମୃତ୍ୟୁ ମାମଲାକୁ ନେଇ ରାଜ୍ୟ ରାଜନୀତିରେ ଅନେକ ତୁମ୍ଵିତୁଫାନ ଦେଖାଯାଇଥିଲା। ବିଧାନସଭାରେ ଶୀତ ଅଧିବେସନର ପ୍ରଥମ ଦିନରେ ବିରୋଧୀ ଦଳ ବିଜେପି ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିବା ସହିତ ରାଜ୍ୟ ସରକାରଙ୍କୁ ଏହି ଘଟଣାରେ ଟାର୍ଗେଟ କରିଥିଲା। ଏହି ପ୍ରସଙ୍ଗରେ ପୁରୀରୁ ଭୁବନେଶ୍ଵର ପର୍ଯ୍ୟନ୍ତ ଏକ ପଦଯାତ୍ରା କରି ସରକାର ଏବଂ ପୋଲିସ ପ୍ରଶାସନ ଉପରେ ଖୁବ୍ ବର୍ଷିଥିଲା ବିଜେପି। ଅନ୍ୟପଟେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏହି ଘଟଣାକୁ ନେଇ ଜାତୀୟ ମାନବାଧିକାର କମିସନଙ୍କ ଦ୍ୱାରସ୍ଥ ହୋଇଥିଲେ। ଘଟଣାର ନିରପେକ୍ଷ ଯାଞ୍ଚ ପାଇଁ ସେ କମିସନରଙ୍କ ଆଗରେ ନିବେଦନ କରିଥିଲେ।
ସେହିପରି କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲା। କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଥିଲେ ଯେ, ପୁରୀ ବାସେଳୀ ସାହି ଥାନ ହାଜତରେ ମୃତ୍ୟୁର ଶିକାର ହୋଇଥିବା ଯୁବକର ଶବକୁ ତାର ପରିବାରକୁ ହସ୍ତାନ୍ତର ନ କରି ପୋଲିସ ଦାହ କରିଦେବା ଏକ ଅକ୍ଷମଣୀୟ ଅପରାଧ। ଏହା ବ୍ୟକ୍ତିର ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରିଛି। ରାଜ୍ୟରେ ଆଉ ଆଇନର ଶାସନ ନାହିଁ। ସରକାରୀ ଅଧିକାରୀମାନେ ସ୍ଵେଚ୍ଛାଚାରୀ ହୋଇଯାଇଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ଚୁପ୍ ବସିଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ରାଜ୍ୟରେ ଆଉ ଗଣତନ୍ତ୍ର ଶାସନ ଚାଲୁନାହିଁ। ପୁରୀ ଏସ୍ପିଙ୍କ ବଦଳି
ପୁରୀ ହାଜତ ମୃତ୍ୟୁ ଘଟଣାକୁ ନିନ୍ଦା କରି ବିଧାନସଭାରେ ତୀବ୍ର ବିରୋଧ କରିଥିଲେ ବିରୋଧୀମାନେ। ଏସ୍ପି ହିଁ ଘଟଣାରେ ମୁଖ୍ୟ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଅଭିଯୋଗ କରିଥିଲେ। ଏହାପରେ ପୁରୀ ଏସ୍ପି ଅଖିଳେଶ୍ଵର ସିଂହଙ୍କୁ ସରକାର ଭୁବନେଶ୍ଵର ପୋଲିସ ମୁଖ୍ୟ କାର୍ଯ୍ୟାଳୟକୁ ବଦଳି କରି ତାଙ୍କ ସ୍ଥାନରେ ସମ୍ଵଲପୁର ଏସ୍ପି କେ ବିଶାଲ ସିଂହଙ୍କୁ ପୁରୀ ଏସ୍ପି ଦାୟିତ୍ଵ ଦେଇଥିଲେ। ଏଥିସହିତ ବାସେଳୀ ସାହି ଥାନା ଅଧିକାରୀଙ୍କ ସମେତ ୩ଜଣଙ୍କୁ ମଧ୍ୟ ନିଲମ୍ଵିତ କରିଥିଲେ।