ଓଡ଼ିଶାଲାଇଭ୍ ବ୍ୟୁରୋ
ପେଟ୍ରୋଲ, ଡିଜେଲ ଦରର ଅହେତୁକ ବୃଦ୍ଧି ଏବଂ ନୂଆ କୃଷି ଆଇନ ବିରୋଧରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଯୁବ କଂଗ୍ରେସ ଦେଖାଇଲା କଳା ପତାକା। ମଙ୍ଗଳବାର ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡକ୍ଟର ସ୍ମୃତିରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ଯୁବକଂଗ୍ରେସ କର୍ମୀମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭୁବନେଶ୍ୱରସ୍ଥିତ କେୟାର ହସ୍ପିଟାଲ ଛକ ମୁଖ୍ୟ ରାସ୍ତାରେ କଳାପତାକା ପ୍ରଦର୍ଶନ କରିଛନ୍ତି।
“ଦେଶର ଅନ୍ନଦାତା ଆଜି ରାଜରାସ୍ତାରେ, କିନ୍ତୁ କେନ୍ଦ୍ର ସରକାର ନୀରବଦ୍ରଷ୍ଟା ସାଜିଛନ୍ତି। ଆନ୍ଦୋଳନକୁ ଭଣ୍ଡୁର କରିବାକୁ ସରକାର ଉଦ୍ୟମ କରୁଛନ୍ତି”, କହିଛନ୍ତି ଡକ୍ଟର ସ୍ମୃତିରଞ୍ଜନ ଲେଙ୍କା।
ଅନ୍ତର୍ଜାତୀୟ ବଜାରରେ ତୈଳଦର ବ୍ୟାରେଲ ପିଛା ୫୦ ଡଲାରରୁ କମ୍ ଥିବା ବେଳେ ସରକାର ପେଟ୍ରୋଲ, ଡିଜେଲ ଦର ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି। ବୋଝ ଉପରେ ଲଳିତା ବିଡ଼ା ଭଳି କ୍ରମାଗତ ଭାବେ ତେଲ ଦର ବୃଦ୍ଧି ପାଇ ୯୦ ଟଙ୍କା ହୋଇଗଲାଣି। ବର୍ତ୍ତମାନ ସମଗ୍ର ଦେଶ କରୋନା ମହାମାରୀ ସହିତ ଲଢ଼େଇ କରି ଜୀବନଜୀବିକା ବଞ୍ଚାଇବା ପାଇଁ ସଂଘର୍ଷ କରୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜନସାଧାରଣଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ଅଭିଯୋଗ କରିଛି ଯୁବ କଂଗ୍ରେସ। ତେଣୁ ଯଦି ଆଗାମୀ ଦିନରେ କୃଷି ଆଇନକୁ ପ୍ରତ୍ୟାହାର ଓ ପେଟ୍ରୋଲ, ଡିଜେଲ ଦରରେ ନିୟନ୍ତ୍ରଣ ନ କରାଯାଏ, ତେବେ ସମଗ୍ର ରାଜ୍ୟରେ କେନ୍ଦ୍ରମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ ସହ ଜୋରଦାର ବିରୋଧ କରାଯିବ ବୋଲି ସ୍ମୃତିରଞ୍ଜନ କଡ଼ା ଚେତାବନୀ ଦେଇଛନ୍ତି।
ଆଜିର ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ପ୍ରଦେଶ ଯୁବକଂଗ୍ରେସ ଉପସଭାପତି ମହମ୍ମଦ ଅଲ୍ଲୀମ୍, ମୁଖପାତ୍ର ନଳିନୀକାନ୍ତ ନାୟକ, ଆର୍ଯ୍ୟବୀର ଲେଙ୍କା, ଜ୍ଞାନରଞ୍ଜନ ରାଉତ, ଆଦିତ୍ୟ ପରିଡ଼ା, ଆଶୁତୋଷ ଲେଙ୍କା, ରିତୁଲ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।


















