ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ୱାସ୍ଥ୍ୟକର୍ମୀଙ୍କ ଭିତରେ ଯେଉଁମାନେ ବୟସ୍କ ଥିବେ ସେମାନଙ୍କୁ ପ୍ରଥମେ ଟିକା ଦିଆଯିବ। ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେଇଛନ୍ତି। ଏହାସହ ଯେଉଁ ଅଞ୍ଚଳରେ କରୋନା ପ୍ରଭାବ ଅଧିକ ରହିଛି ସେଠାରେ ବି ଆଗ ଟିକା ଦିଆଯିବ ବୋଲି ସେ କହିଛନ୍ତି।
ପ୍ରଦୀପ୍ତ ମହାପାତ୍ରଙ୍କ କହିବା ମୁତାବକ, ମଙ୍ଗଳବାର ଅପରାହ୍ଣରେ ସ୍ପାଇସ ଜେଟରେ ଭୁବନେଶ୍ୱରେ ଟିକା ପହଞ୍ଚିବ। ଏହାପରେ ଟିକାକୁ ରାଜ୍ୟ ଟିକା କେନ୍ଦ୍ରକୁ ନିଆଯିବ। ସେଠାରେ ସବୁ ଜିଲ୍ଲାକୁ ଟିକା ପଠାଯିବ। ଟିକା ନେବା ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି। ଟିକା ଗାଡ଼ି ପଠାଇ ଜିଲ୍ଲାପାଳମାନେ ଆଜି ଟିକା ନେବେ।
ସେହିପରି ରାଜ୍ୟକୁ କୋଭିସିଲ୍ଡର ମୋଟ ୪ ଲକ୍ଷ ୭ ହଜାର ଡୋଜ ଆସିଛି। ଏହାପରେ କୋଭାକ୍ସିନର ୨୦ ହଜାର ଆସିବାକୁ ରାଜ୍ୟ କେନ୍ଦ୍ରଠୁ ଚିଠି ପାଇଛି ବୋଲି ସେ କହିଛନ୍ତି।
ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୮ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ୧୬ରୁ ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କଠାରୁ ଟିକାକରଣ ଆରମ୍ଭ ହେବ।