ଓଡ଼ିଶାଲାଇଭ୍ ବ୍ୟୁରୋ

ବାଇ-ଲ’ ପ୍ରସଙ୍ଗରେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ନିରବ ରହିବାକୁ ନେଇ ତେଜିଛି ରାଜନୀତି।

ପୁରୀ ଶ୍ରୀମନ୍ଦିରରୁ କେନ୍ଦ୍ର ପ୍ରସ୍ତାବିତ ବାଇ-ଲ’ ପ୍ରତ୍ୟାହାର ହୋଇଥିଲା ବେଳେ ଏକାମ୍ର କ୍ଷେତ୍ର ପାଇଁ ବାଇ-ଲ’ ବଳବତ୍ତର ରହିଛି। ଏହି ଆଇନ ଲାଗୁ ହେଲେ କେନ୍ଦ୍ର ସରକାରଙ୍କ ବିନା ଅନୁମତିରେ ଏକାମ୍ରରେ କୌଣସି ନିର୍ମାଣ କିମ୍ଵା ବିକାଶ କରାଯାଇ ପାରିବ ନାହିଁ। ତେଣୁ ଏହି ଆଇନକୁ ପ୍ରତ୍ୟାହାର ଦାବିରେ ସରଗରମ ହୋଇଛି ଭୁବନେଶ୍ଵର। ଏହି ପ୍ରସଙ୍ଗ ମଧ୍ୟରେ ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ‘ନିଖୋଜ’ ରହିଥିବା ନେଇ ପୋଷ୍ଟର ଲଗାଯାଇଛି। ବାଇ-ଲ’ ପ୍ରସଙ୍ଗରେ ଅପରାଜିତା ନିରବ କାହିଁକି ରହିଛନ୍ତି ବୋଲି ପ୍ରଶ୍ନ କରାଯାଇ ଏହି ପୋଷ୍ଟର ଲଗାଯାଇଛି।

ରାଜଧାନୀର ବିଭିନ୍ନ ସ୍ଥାନରେ ଏପରି ପୋଷ୍ଟର ଲଗାଯିବା ପରେ ଟୁଇଟ କରି ନିଜର ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଅପରାଜିତା। ସେ କହିଛନ୍ତି ଯେ, ଭୁବନେଶ୍ୱରବାସୀ ମୋ’ ଅନୁପସ୍ଥିତି ଅନୁଭବ କରୁଥିବା ଜାଣି ଖୁସି ହେଲି। ସଂସଦର ବଜେଟ ଅଧିବେସନ ଚାଲିଥିବାରୁ ଏବେ ଦିଲ୍ଲୀରେ ଅଛି। ଫେବ୍ରୁଆରି ୧୫ରେ ଭୁବନେଶ୍ୱର ଫେରିବା ପରେ ବାଇ-ଲ’ ପ୍ରସଙ୍ଗରେ ମତ ରଖିବି।

ଅନ୍ୟପଟେ ଗୁରୁବାର ସାଂସଦ ଅପରାଜିତାଙ୍କ ବ୍ୟକ୍ତିଗତ ସହାୟକ ଧନେଶ୍ଵର ବାରିକଙ୍କୁ ପୋଲିସ ଗିରଫ କରିଛି। ପୋଷ୍ଟର ଲଗାଯିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିବାରୁ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।

ବାଇ-ଲ’କୁ ନେଇ ବିଜେଡି, ବିଜେପି ଟୁଇଟର ରାଜନୀତି

ପୁରୀ ଶ୍ରୀମନ୍ଦିରରୁ ବାଇ-ଲ’ ପ୍ରତ୍ୟାହାର ହେବା ପରେ ଶ୍ରେୟର ମୁକୁଟ ପିନ୍ଧିବା ପାଇଁ ବିଜେଡି-ବିଜେପି ଟୁଇଟର ରାଜନୀତି କରିଥିଲେ। କିନ୍ତୁ ଏକାମ୍ର କ୍ଷେତ୍ରରେ ଦୁଇ ଦଳର ନେତା ଏବେ ମୁହାଁମୁହିଁ ହୋଇଛନ୍ତି। ବାଇ-ଲ’ ପ୍ରସଙ୍ଗରେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ କରିଛନ୍ତି ଶାସକ ଦଳର ମନ୍ତ୍ରୀ ଅଶୋକ ପଣ୍ଡା।

“ବାଇ-ଲ’ ଲଗାଯାଇ ଏକାମ୍ର କ୍ଷେତ୍ର ପ୍ରକଳ୍ପକୁ ପ୍ରଭାବିତ କରିବାକୁ ଚେଷ୍ଟା କରାଯାଉଛି। କିନ୍ତୁ ଏହି ପ୍ରସଙ୍ଗରେ ସାଂସଦ ଅପରାଜିତା ନିରବ ରହିଛନ୍ତି। ଏହା ଭୁବନେଶ୍ଵର ବିକାଶ ପାଇଁ ସେ କରିଥିବା ପ୍ରତିଶ୍ରୁତିର ଅସଲ ପ୍ରମାଣ ଦେଇଛି। ଏକାମ୍ର କ୍ଷେତ୍ର ପ୍ରକଳ୍ପରେ ଯେଉଁମାନେ ବାଧା ଦେଉଛନ୍ତି ଭୁବନେଶ୍ଵରବାସୀ କେବେ ବି ସେମାନଙ୍କୁ କ୍ଷମା କରିବେ ନାହିଁ”, କହିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା।

Comment