ଓଡ଼ିଶାଲାଇଭ୍ ବ୍ୟୁରୋ

ତେଲ ଦର ବୃଦ୍ଧିକୁ ନେଇ ଅଭିନବ ଢ଼ଙ୍ଗରେ ପ୍ରତିବାଦ କରିଛି ରାଜ୍ୟ କଂଗ୍ରେସ। ମଙ୍ଗଳବାର ସାଇକେଲ ଚଳାଇ ସିଧା ବିଧାନସଭାରେ ପହଞ୍ଚିଛନ୍ତି କଂଗ୍ରେସ ବିଧାୟକ ତାରା ବହିନୀପତି, ଅଧିରାଜ ପାଣିଗ୍ରାଣୀ, ସୁରେଶ ରାଉତରାୟ। ଅନ୍ତର୍ଜାତୀୟ ବଜାରରେ ତେଲ ଦର କମ୍ ଥିବାବେଳେ, ରାଜ୍ୟରେ କାହିଁକି ଲଗାତର ବଢ଼ିବାରେ ଲାଗିଛି ତେଲ ଦର, ବିଧାନସଭାରେ ପ୍ରଶ୍ନ ଉଠାଇଛି କଂଗ୍ରେସ।

ରାଜ୍ୟର ଅନେକ ଜିଲ୍ଲାରେ ପେଟ୍ରୋଲ ଦର ୧୦୦ ପାରି ହୋଇଥିବାବେଳେ, ଆଉ କିଛି ଜିଲ୍ଲାରେ ୯୦ ଛୁଇଁଛି ତେଲ ଦର। ଏହାକୁ ପ୍ରତିବାଦ କରି ବିରୋଧୀ ଦଳ କଂଗ୍ରେସର ବିଧାୟକମାନେ ସାଇକେଲ ଚଳାଇ ବିଧାନସଭାରେ ପହଞ୍ଚିଛନ୍ତି।

“ ଲଗାତର ତେଲ ଦର ବୃଦ୍ଧି ପାଉଛି। ଚାଷୀ ଓ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗରିବ ଲୋକଙ୍କ ଚିନ୍ତା ବଢ଼ିଛି”, କହିଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତରାୟ।

ଅନ୍ୟପଟେ ଭୁବନେଶ୍ୱରରେ ଥିବା ପେଟ୍ରୋଲ ପମ୍ପ ବୁଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟର ଚିରିବା ସହ ଫଟୋରେ କାଳି ମାଡ଼ କରିଛି ଛାତ୍ର ଯୁବ କଂଗ୍ରେସ। ପେଟ୍ରୋଲ ପମ୍ପରେ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର ଲଗାଇବାକୁ ବିରୋଧ କରିଛି ଯୁବ କଂଗ୍ରେସ। ପ୍ରଥମେ ୟୁନିଟ୍‌-୨ ସ୍ଥିତ ପେଟ୍ରୋଲ ପମ୍ପକୁ ଯାଇ ପୋଷ୍ଟର ଚିରି ଥିଲେ ଓ ପରେ ରାମମନ୍ଦିର ନିକଟରେ ଥିବା ପେଟ୍ରୋଲ ପମ୍ପରୁ ପୋଷ୍ଟର ଚିରିଛନ୍ତି। ଏଭଳି ଭାବରେ ଆଜି ୫ ରୁ ୬ ପେଟ୍ରୋଲ ପମ୍ପ ବୁଲି ଏମିତି କାର୍ଯ୍ୟକଳାପ କରିବ କହିଛି, ଛାତ୍ର କଂଗ୍ରେସ।

“ଆଗାମୀ ଦିନରେ ଯଦି ରାଜ୍ୟରେ ତେଲ ଦର ନକମେ, ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କାଳି ମାଡ଼ କରି ସ୍ୱାଗତ କରାଯିବ”, କହିଛନ୍ତି ଛାତ୍ର କଂଗ୍ରେସର ଜଣେ କର୍ମୀ।

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନେଇ ରାଜ୍ୟର ବିଭିନ୍ନ ମହଲରେ ଦେଖା ଦେଇଛି ଅସନ୍ତୋଷ। ଭିନ୍ନ ଭିନ୍ନ ଢ଼ଙ୍ଗରେ ତେଲ ଦର ବୃଦ୍ଧିକୁ ପ୍ରତିବାଦ କରାଯାଉଛି। ଦେଶରେ ତେଲ ଦର ଦୁଇ ଦିନ ସ୍ଥିର ରହିବାପରେ ମଙ୍ଗଳବାର ପେଟ୍ରୋଲ ୨୫ ପଇସା ଓ ଡିଜେଲ ୩୫ ପଇସା ବୃଦ୍ଧି ପାଇଛି। ଏହାରି ମଧ୍ୟମରେ ରାଜ୍ୟର ମାଲକାନଗିରି ଜିଲ୍ଲାରେ ସର୍ବାଧିକ ପେଟ୍ରୋଲ ଦର ଲିଟର ପିଛା ୯୬.୩୧ ପଇସା ଥିବାବେଳେ, ଡିଜେଲ ଦର ୯୩.୧୩ ପଇସାରେ ପହଞ୍ଚିଛି।

LEAVE A REPLY

Please enter your comment!
Please enter your name here