ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ଲୋକମାନେ ଘରେ ବସି ଅନଲାଇନ୍ ରେ ପାଇପାରିବେ ଆରଟିଓ ସେବା। ଆରଟିଓ କାର୍ଯ୍ୟାଳୟ ସମ୍ମୁଖରେ ଲମ୍ବା ଧାଡ଼ିରେ ଘଣ୍ଟାଘଣ୍ଟା ଛିଡ଼ା ହେବାକୁ ପଡ଼ିବ ନାହିଁ। ନିଜର ଆଧାର କାର୍ଡ ଜରିଆରେ ଯେକୌଣସି ସ୍ଥାନରେ ରହି ପରିବହନ ବିଭାଗର ଅନେକ ସେବା ପାଇପାରିବେ। ଏନେଇ ସଡ଼କ ଓ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଏଥିରେ ଡ୍ରାଇଭିଙ୍ଗ ଲାଇସେନ୍ସ ନବୀକରଣ, ଲର୍ଣ୍ଣର ଲାଇସେନ୍ସ, ଡୁପ୍ଲିକେଟ ପଞ୍ଜୀକରଣ ପ୍ରମାଣପତ୍ର ଇତ୍ୟାଦି ୧୮ ପ୍ରକାରର ସେବା ରହିଛି।

ଗାଡ଼ି ସଂକ୍ରାନ୍ତୀୟ ଅନେକ କାର୍ଯ୍ୟ ଏବେ ଅନଲାଇନ୍ ମାଧ୍ୟମରେ କରାଯିବ। ଲୋକମାନଙ୍କ ସୁବିଧା ଓ ଆରଟିଓ କାର୍ଯ୍ୟାଳୟକୁ ପେପର୍‌ଲେସ୍ କରିବା ପାଇଁ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ସୁବିଧା ଜାରି କରାଯାଇଛି। ଭାରତ ସରକାରଙ୍କର ବାହନ ପୋର୍ଟାଲରେ ଏହି ସମସ୍ତ ସେବା ଆରମ୍ଭ ହୋଇସାରିଛି। ଆରଟିଓ କାର୍ଯ୍ୟାଳୟ ସେବାକୁ ଉନ୍ନତମାନର କରିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ପ୍ରୟାସ ଜାରି ରହିଛି।

ଆଧାରକାର୍ଡ ଥିବା ଏବଂ ନଥିବା ବ୍ୟକ୍ତି କେମିତି ପାଇବେ ସେବା

ଘରେ ବସି ଆଧାରକାର୍ଡ ଅଥେଣ୍ଟିକେସନ୍ ମାଧ୍ୟମରେ ଲୋକମାନେ ୧୮ ପ୍ରକାରର ଆରଟିଓ ସେବା ପାଇପାରିବେ। ବାହାନ ପୋର୍ଟାଲରେ ନିଜର ଆଧାରକାର୍ଡ଼ ନମ୍ବର ଏଣ୍ଟ୍ରି ଏବଂ ଯାଞ୍ଚ କରି ଲଗଇନ୍ କରିବାକୁ ପଡ଼ିବ। କିନ୍ତୁ ଯେଉଁ ବ୍ୟକ୍ତିମାନଙ୍କର ଆଧାରକାର୍ଡ ନାହିଁ କିମ୍ବା ସେମାନେ ଆବେଦନ କରିଛନ୍ତି, ସେହି କ୍ଷେତ୍ରରେ ସେମାନେ ନିଜର ଆଧାର ଏନରୋଲମେଣ୍ଟ ନମ୍ବର ବା ତାଙ୍କ ସ୍ଲିପ୍ ଆଇଡିରେ ଏହି ସୁବିଧା ପାଇପାରିବେ।

ଅନଲାଇନ୍‌ରେ ୧୮ ପ୍ରକାର ଆରଟିଓ ସେବାର ତାଲିକା

  • ଲର୍ଣ୍ଣିଂ ଲାଇସେନ୍ସ
  • ଡ୍ରାଇଭିଙ୍ଗ ଲାଇସେନ୍ସ ନବୀକରଣ
  • ନକଲି ଡ୍ରାଇଭିଙ୍ଗ ଲାଇସେନ୍ସ ତିଆରି
  • ଡ୍ରାଇଭିଙ୍ଗ ଲାଇସେନ୍ସରେ ଠିକଣା ପରିବର୍ତ୍ତନ
  • ଅନ୍ତର୍ଜାତୀୟ ଡ୍ରାଇଭିଙ୍ଗ ପରମିଟ୍‌
  • ଗାଡ଼ିର ଅସ୍ଥାୟୀ ପଞ୍ଜୀକରଣ
  • ଲାଇସେନ୍ସରୁ ଯେକୌଣସି ପ୍ରକାରର ଯାନ ଅପସାରଣ
  • ସମ୍ପୂର୍ଣ୍ଣ ଯାନର ପଞ୍ଜୀକରଣ
  • ନକଲି ପଞ୍ଜୀକରଣ ସାର୍ଟିଫିକେଟ
  • ପଞ୍ଜୀକରଣ ସାର୍ଟିଫିକେଟ ପାଇଁ ଏନଓସି ଆବେଦନ
  • ଗାଡ଼ିର ମାଲିକାନା ପରିବର୍ତ୍ତନ ପାଇଁ ନୋଟିସ୍ ଦେବା
  • ଆର୍‌ସି ପେପର୍‌ରୁ ଠିକଣା ପରିବର୍ତ୍ତନ
  • ଡ୍ରାଇଭିଙ୍ଗ ଟ୍ରେନିଂ ଇଷ୍ଟିଚ୍ୟୁଟର ପଞ୍ଜୀକରଣ ପାଇଁ ଆବେଦନ
  • କୂଟନୈତିକ ଅଧିକାରୀଙ୍କ ପାଇଁ ଯାନ ପଞ୍ଜୀକରଣ ଆବେଦନ
  • କୁଟନୈତିକ ଯାନ ପାଇଁ ଏକ ସ୍ୱତନ୍ତ୍ର ସଙ୍କେତର କ୍ରମାଙ୍କ ପ୍ରୟୋଗ
  • ଗାଡ଼ି କିଣିବା ଓ ଭଡ଼ା ଦେବା ପାଇଁ ଏଗ୍ରିମେଣ୍ଟ କରିବା
  • ଗାଡ଼ି କିଣିବା ଓ ଭଡ଼ା ଦେବା ପାଇଁ ତିଆରି ହୋଇଥିବା ଏଗ୍ରିମେଣ୍ଟ ପେପର୍‌କୁ ନଷ୍ଟ କରିବା

Comment