ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ବୁଧବାର ଦିନ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ମନ୍ଦିର ରାଜସ୍ୱ ବୃଦ୍ଧି ପାଇଁ ବିମାନ ବନ୍ଦରରେ ଓ ଷ୍ଟେସନମାନଙ୍କରେ ହୁଣ୍ଡି ବସାଯିବ। ଶ୍ରୀମନ୍ଦିର ପରିଚାଳନା ପାଇଁ  ଏକ ହଜାର କୋଟି ଟଙ୍କାର ଏକ ବଡ଼  ରାଜସ୍ୱ ଟାର୍ଗେଟ ରଖାଯାଇଛି।

ବାର୍ଷିକ ବଜେଟ ବୈଠକ ପରେ ଶ୍ରୀମନ୍ଦିର ପ୍ରଶାସନ ମୁଖ୍ୟ କ୍ରିଷନ କୁମାର କହିଛନ୍ତି ଯେ ଶ୍ରୀ ଜଗନ୍ନାଥଙ୍କ  ଦୈନନ୍ଦିନ ପରିଚାଳନା ପାଇଁ ବ୍ୟାଙ୍କରେ  ଯେଉଁ ଫିକ୍ସଡ୍‌ ଡିପୋଜିଟ ରହିଛି ସେ ବାବଦକୁ ଆସୁଥିବା ସୁଧ ଯଥେଷ୍ଟ ନୁହେଁ। ଏଣୁ ଅଧିକ ରାଜସ୍ୱ ଆଦାୟ ସକାଶେ ବିକଳ୍ପ ପନ୍ଥା ଅବଲମ୍ବନ କରିବା ପାଇଁ ହେବ।

ବର୍ତ୍ତମାନ ପୁରୀ ମନ୍ଦିର ପରିସରରେ ଥିବା ହୁଣ୍ଡିରୁ ବାର୍ଷିକ ପ୍ରାୟ ୧୨ କୋଟି ଟଙ୍କା ଆଦାୟ ହୋଇଥାଏ। ଏଣୁ ବିମାନ ବନ୍ଦର ଓ ଷ୍ଟେସନମାନଙ୍କରେ ହୁଣ୍ଡି ବସିବ ଯାହା ଫଳରେ କି ଅଧିକ  ରାଜସ୍ୱ ଆଦାୟ ହୋଇପାରିବ। ତା’ଛଡ଼ା କିଛି ବଡ଼ ବଡ଼ କମ୍ପାନି ମଧ୍ୟ ଦାନ ଦକ୍ଷିଣା ଦେବାକୁ ଇଛୁକ। ଏଣୁ ବିଭିନ୍ନ କମ୍ପାନି ପରିସରରେ ମଧ୍ୟ ହୁଣ୍ଡି ସ୍ଥାପନ କରାଯିବ।

କ୍ରିଷନ କୁମାର ଆହୁରି ମଧ୍ୟ କହିଛନ୍ତି ଯେ ବିଭିନ୍ନ ଜିଲ୍ଲାରେ ଶ୍ରୀ ଜଗନ୍ନାଥଙ୍କ ଜମି ଉପରେ ଯେଉଁ ପଥର କ୍ୱାରି ବସା ଯାଇଛି ସେଥିରୁ ବି ରାଜସ୍ୱ ଆଦାୟ କରାଯିବ। ଚଳିତ ଆର୍ଥିକ ବର୍ଷ ଭିତରେ ଏ ବାବଦକୁ ୧୦ କୋଟି ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ନିଷ୍ପତ୍ତି ନିଆଯାଇଛି ଯେ କ୍ୱାରିଗୁଡ଼ିକୁ ଏବେ ଲିଜ୍‌ ଦିଆଯିବ।

କ୍ରିଷନ କୁମାରଙ୍କ କହିବା ଅନୁଯାୟୀ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ପାଣ୍ଠିରେ ଏହିକ୍ଷଣି  ପ୍ରାୟ ୬୫୦ କୋଟି ଟଙ୍କା ରହିଛି। ଆସନ୍ତା ବର୍ଷ ମଧ୍ୟରେ ଏହାକୁ ୭୫୦ କୋଟି ଟଙ୍କାକୁ ବୃଦ୍ଧି କରାଯିବ। ୨୦୨୮ ରଥଯାତ୍ରା ବେଳକୁ ଏହି ପାଣ୍ଠି ୧୦୦୦ କୋଟି ଟଙ୍କାରେ ପହଞ୍ଚିବା ଆଶା କରାଯାଉଛି।

Comment