ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ସହରରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଖୁବ୍ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏହାକୁ ନଜରରେ ରଖି ସହରରେ କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି। ଏହି କଟକଣା ନିଷ୍ପତ୍ତି ସରକାର କିମ୍ବା କୌଣସି ପ୍ରଶାସନ ପକ୍ଷରୁ ନ ନିଆଯାଇ, କଟକର ବ୍ୟବସାୟୀ ସଂଘ ପକ୍ଷରୁ ନିଆଯାଇଛି। ମେ’ ୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ସହରରେ ଦିନ ୨ଟା ପରଠାରୁ ସମସ୍ତ ଦୋକାନ ବଜାର ବନ୍ଦ ରହିବ। ବନ୍ଦ ସମୟରେ କେବଳ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯିବ ବୋଲି ବ୍ୟବସାୟୀ ସଂଘ ପକ୍ଷରୁ ସୂଚନା ରହିଛି।
କଟକରେ ବ୍ୟବସାୟୀ ସଂଘ ତରଫରୁ ଲାଗୁ ହୋଇଥିବା ସ୍ୱେଚ୍ଛାକୃତ ବନ୍ଦ ନିଷ୍ପତ୍ତିକୁ ସିଏମସି ସ୍ୱାଗତ କରିଛି। ଏଭଳି କରିବା ଦ୍ୱାରା କଟକରେ ସଂକ୍ରମଣର ଚେନ୍କୁ ଭଙ୍ଗାଯାଇପାରିବ ବୋଲି କହିଛନ୍ତି ସିଏମସି କମିସନର ଅନନ୍ୟା ଦାସ। ସେ ଆଉ ମଧ୍ୟ କହିଛନ୍ତି, “ସମସ୍ତେ କୋଭିଡ୍ ନିୟମକୁ ସଠିକ୍ ଭାବରେ ପାଳନ କରନ୍ତୁ। ମାସ୍କ ପିନ୍ଧନ୍ତୁ, ଜରୁରୀ ନଥିଲେ ବାହାରକୁ ଯାଆନ୍ତୁ ନାହିଁ ଏବଂ ଅଯଥା କୌଣସି ସ୍ଥାନରେ ଗହଳି କରନ୍ତୁ ନାହିଁ। ଏଥିସହ ଆସନ୍ତା ସାତ ଦିନ ମଧ୍ୟରେ ଏସସିବି ମେଡିକାଲରେ ୧୦୦ଶଯ୍ୟା ବିଶିଷ୍ଟ ଏକ ସ୍ୱତନ୍ତ୍ର ୱାର୍ଡ କରାଯିବ ଏବଂ ସେହି ୱାର୍ଡରେ ୪୧ଟି ଆଇସିୟୁର ବ୍ୟବସ୍ଥା ରହିବ।”
ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ, ଶୁକ୍ରବାର କଟକରୁ ୫୭୦ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ, ଗୁରୁବାର ୫୧୭, ବୁଧବାର ୪୯୬ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସହରରେ ନାଇଟ କର୍ଫ୍ୟୁ ସାଙ୍ଗକୁ ସପ୍ତାହାନ୍ତ ସଟ୍ଡାଉନ୍ ବଳବତ୍ତର ରହିଛି। ସଂକ୍ରମଣ ଚେନ୍କୁ ଭାଙ୍ଗିବା ପାଇଁ ସରକାର ଓ ପ୍ରଶାସନ ପକ୍ଷରୁ ପ୍ରାୟାସ କରାଯାଉଥିବା ବେଳେ, ଏବେ ବ୍ୟବସାୟୀ ସଂଘ ପକ୍ଷରୁ ଦୋକାନ ବଜାର ବନ୍ଦ କରିବା ପାଇଁ ସ୍ୱେଚ୍ଛାକୃତ ନିଷ୍ପତ୍ତି ନିଆଯାଇଛି।








