ଅଭିପ୍ସା ବରାଳ

କରୋନା ସଙ୍କଟ ସମୟରେ ଦେଶର ୪ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ସରିଛି। ଅନ୍ୟପଟେ ନିର୍ବାଚନ ରାଲି, ଦେଶରେ ଦ୍ରୁତ କରୋନା ସଂକ୍ରମଣର କାରଣ ବୋଲି ଚର୍ଚ୍ଚା ହେଉଛି।
କରୋନା କାଳରେ ନିର୍ବାଚନ ତାରିଖ ଘୋଷଣା କରାଗଲା। ଦ୍ୱିତୀୟ ଲହର ସଂକ୍ରମଣରେ ଭାରତକୁ ବିଶ୍ୱର କରୋନା ରାଜଧାନୀ କୁହାଯାଉଥିବା ବେଳେ, ଆସାମ, କେରଳ, ପଶ୍ଚିମବଙ୍ଗ ତାମିଲନାଡ଼ୁ ଓ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ଚାଲିଥିଲା ମତଦାନ ପ୍ରକ୍ରିୟା। ଏହି ନିର୍ବାଚନ ଯୁଦ୍ଧରେ କିଏ ଜିତିବ, କିଏ ହାରିବ, ସେ ନେଇ ଦଳୀୟ ପ୍ରାର୍ଥୀମାନେ କସରତ କରୁଥିଲେ। ଦଳ-ମେଳ ହୋଇ, କୋଭିଡ୍ କଟକଣାକୁ ନମାନି ନିର୍ବାଚନୀ ଶୋଭାଯାତ୍ରା ବା ରାଲିରେ ମସଗୁଲ ହେଉଥିଲେ। ଯେଉଁଥିପାଇଁ ଆଜି ଦେଶ ଏତେ ବଡ଼ ସଙ୍କଟ ଦେଇ ଗତି କରୁଛି ବୋଲି ସବୁଠି ଚର୍ଚ୍ଚା ହେଉଛି।
ଅନ୍ୟପକ୍ଷରେ ଦେଶରେ ବଢ଼ୁଥିବା ସଂକ୍ରମଣ ପାଇଁ ନିର୍ବାଚନକୁ ହିଁ ଅନେକାଂଶରେ ଦାୟୀ କରାଯାଉଛି। କେବଳ ଜନସାଧାରଣ ନୁହଁନ୍ତି ନିକଟରେ ମାଡ୍ରାସ ହାଇକୋର୍ଟ ମଧ୍ୟ ନିର୍ବାଚନ କମିସନକୁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ, “ଆଜି ଦେଶ ଯେଉଁ ପରିସ୍ଥିତି ଦେଇ ଗତି କରୁଛି, ଏଥିପାଇଁ କେବଳ ନିର୍ବାଚନ ଆୟୋଗ ହିଁ ଦାୟୀ। ଏଥିପାଇଁ ତାଙ୍କ ବିରୋଦ୍ଧରେ ହତ୍ୟା ମାମାଲା ଦାୟର କରାଯିବା ଉଚିତ।”ନିର୍ବାଚନ ନହେଲେ କ’ଣ ଅସୁବିଧା?
ଦେଶରେ ନିର୍ବାଚନ ହେବା ନିହାତି ଦରକାର। ଭାରତରେ ଯଦି ନିର୍ବାଚନ ସଠିକ୍ ସମୟରେ ନହୁଏ, ତେବେ ଦେଶରେ ଦେଖା ଦେବ ସାମ୍ବିଧାନିକ ସଙ୍କଟ। କିନ୍ତୁ କରୋନା ମହାମାରୀ ସମୟରେ ନିର୍ବାଚନ ପୂର୍ବରୁ ଯୋଜନା କରାଇଯାଇଥିଲେ, ବୋଧହୁଏ ଆଜି ଦେଶରେ ଏଭଳି ପରିସ୍ଥିତି ଉପୁଜିନଥାନ୍ତା।
କରୋନା କବଳରୁ ମୁକୁଳିବା ପାଇଁ ସାରା ପୃଥିବୀ ନୂଆ ରାସ୍ତା ଖୋଜୁଥିବାବେଳେ, ନିର୍ବାଚନ କରିବାକୁ ନିର୍ବାଚନ କମିସନର କିଭଳି ଅନୁମତି ଦେଲେ, ସେହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କିମାରୁଛି। ଭାରତର ବଡ଼ ବଡ଼ ରାଜନୈତିକ ଦଳ ପାଇଁ କରୋନାକୁ ହରାଇବା ଠାରୁ ଊର୍ଦ୍ଧ୍ୱରେ ରହିଛି ନିର୍ବାଚନ ରାଜନୀତି। ଆଜିକା ଦିନରେ ନିର୍ବାଚନ ଜିତିବା ହେଉଛି ରାଜନୈତିକ ଦଳମାନଙ୍କ ପାଇଁ ବେଶି ଗୁରୁତ୍ୱପୂର୍ଣ୍ଣ। ଅନ୍ୟ ଅର୍ଥରେ କହିବାକୁ ଗଲେ ଜାତୀୟ ସ୍ତରରେ ଥିବା ଦଳଗୁଡ଼ିକ ପାଇଁ ଭାରତୀୟଙ୍କ ଜୀବନଠାରୁ ବେଶି ମୂଲ୍ୟବାନ୍ ନିର୍ବାଚନ ଜିତିବ ପରି ମନେହୁଏ। ଯଦି ଏଭଳି ପରିସ୍ଥିତିରେ ନିର୍ବାଚନ ଆୟୋଗ ଜୀବନକୁ ବେଶି ଗୁରୁତ୍ୱ ଦେଇଥାନ୍ତେ, ତେବେ ନିର୍ବାଚନର ବିକଳ୍ପ ବାହାରି ପାରିଥାନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।କରୋନା ଲଢ଼େଇରେ ଫେଲ୍ ମାରିଛି ଭାରତ
ଦେଶ କେଉଁଠି ନାଁ କେଉଁଠି କରୋନା ଲଢ଼େଇରେ ଫେଲ୍ ମାରିଛି। ଯେଉଁ ସମୟରେ ସତର୍କ ରହି କରୋନା ସହ ଲଢ଼ିବା ପାଇଁ ପ୍ରୟାସ କରାଯାଇପାରିଥାନ୍ତା, ସେହି ସମୟରେ ଆମ ରାଜନେତାମାନେ ନିର୍ବାଚନରେ ମାତିଲେ। ଯାହାଫଳରେ କରୋନା ସଂକ୍ରମଣ କମିବା ବଦଳରେ ଦିନକୁ ଦିନ ବଢ଼ିବାରେ ଲାଗିଲା। ରିପୋର୍ଟ ଅନୁସାରେ ପ୍ରଥମ ଲହର ସଂକ୍ରମଣରେ ଭାରତ ଏତେ ମାତ୍ରାରେ ପ୍ରଭାବିତ ହୋଇନଥିଲା। ଏଥିସହ ଭାରତ ଅନ୍ୟ ଦେଶମାନଙ୍କ ପାଇଁ କରୋନା ନିୟନ୍ତ୍ରଣରେ ଉଦାହରଣ ମଧ୍ୟ ପାଲଟିଥିଲା।
ଚଳିତ ବର୍ଷ ଦେଶରେ କରୋନର ଚିତ୍ର ପୁରା ଅଲଗା। ଯେଉଁ ଦେଶମାନେ ପୂର୍ବ ବର୍ଷ ଭାରତକୁ ପ୍ରଶଂସା କରୁଥିଲେ, ଆଜି ସେଇ ଦେଶମାନେ ମୋଦିଙ୍କ ଆତ୍ମନିର୍ଭର ଭାରତକୁ ସହାୟତାର ହାତ ବଢ଼ାଉଛନ୍ତି। ବର୍ତ୍ତମାନ ସମୟରେ ଦେଶ ସବୁଠାରୁ ଭୟଙ୍କର ପରିସ୍ଥିତି ଦେଇ ଗତି କରୁଛି। ପ୍ରତିଦିନ ମାଳ ମାଳ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ମୃତ୍ୟୁ ସଂଖ୍ୟାବି ବଢ଼ିବାରେ ଲାଗିଛି । କରୋନାର ତାଣ୍ଡବ ଏତେ ଭୟଙ୍କର ହୋଇଛି ଯେ, ସକାଳ ପାଇବା ମାତ୍ରେ ଦୁଃଖଦ ଖବର ଶୁଣିବାକୁ ମିଳୁଛି। କେଉଁଠି ପୁଅକୁ ହରାଇ ମା’ କାନ୍ଦୁଛି, ତ ଆଉ କେଉଁଠି ନିଜ ଆତ୍ମୀୟସ୍ୱଜନଙ୍କୁ ହରାଇ ଝୁରୁଛନ୍ତି ପରିବାର ଲୋକ।ଗୋଷ୍ଠୀ ସଂକ୍ରମଣ ପାଇଁ ଦାୟୀ ନିର୍ବାଚନ ରାଲି
ନିର୍ବାଚନ ତାରିଖ ଘୋଷଣା ହେବାପରଠାରୁ ରାଜନୈତିକ ଦଳମାନେ ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଆରମ୍ଭ କରି ଦେଇଥିଲେ ପ୍ରଚାର। ରାଜନେତାମାନେ ଗାଁ କୁ ଗାଁ, ସହରକୁ ସହର ବୁଲି ସଭାସମିତି କରୁଥିଲେ। ସେମାନଙ୍କର ଏହିସବୁ କାର୍ଯ୍ୟକଳାପ ଆଜି ଭାରତୀୟଙ୍କ ଉପରେ ଭାରି ପଡ଼ିଛି। କିଛି କିଛି ରାଜ୍ୟରେ ରାଲି ପାଇଁ ଗୋଷ୍ଠୀ ସଂକ୍ରମଣ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ତଥ୍ୟ ଅନୁସାରେ ନିର୍ବାଚନ ଡ୍ୟୁଟି କରି ଅନେକ ସ୍ଥାନରେ ଅଧିକାରୀମାନେ କରୋନା ଆକ୍ରାନ୍ତ ହୋଇଥିବାବେଳେ, ସେମାନଙ୍କ ମଧ୍ୟରୁ କିଛି ଜଣଙ୍କର କରୋନାରେ ଦେହାନ୍ତ ହୋଇଛି। ଆଉ କିଛି ସ୍ଥାନରେ ପ୍ରାର୍ଥୀମାନେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି।
ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ୍ ଶାହା ଅନେକ ଥର ବିଶାଳ ସମାବେଶ କରି ରାଲି କରିଥିଲେ। ପ୍ରତ୍ୟକ୍ଷରେ ହେଉ କିମ୍ବା ପରୋକ୍ଷରେ ସେହି ରାଲି ପରବର୍ତ୍ତୀ ସମୟରେ ପଶ୍ଚିମବଙ୍ଗ ପାଇଁ ଘାତକ ପାଲଟିଛି ବୋଲି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ ଦାୟୀ କରିଛନ୍ତି। ଏସବୁ ଦୃଶ୍ୟକୁ ଦେଖିଲେ ମନେ ହେଉଛି ଦେଶ ଗଠନ କରିବାରେ ମୁଖ୍ୟ ଭୂମିକା ତୁଲାଉଥିବା ରାଜନେତାମାନେ, ଆଜି କେଉଁଠି ନାଁ କେଉଁଠି ଦେଶ ବରବାଦିର କାରଣ ହୋଇଛନ୍ତି।
ରାଲିରେ କରୋନା ପ୍ରୋଟକଲର ଖୋଲାଖୋଲି ଉଲ୍ଲଙ୍ଘନ କରାଯାଉଥିଲା। ଦ୍ୱିତୀୟ ଲହରରେ କେନ୍ଦ୍ର ତଥା ରାଜ୍ୟଗୁଡ଼ିକରେ ସରକାରଙ୍କ ଭିତ୍ତିଭୂମି ଅଭାବ ଏବଂ ପ୍ରସ୍ତୁତିର ଅଭାବ ଦେଖିବାକୁ ମିଳିଥିଲା। ବିଶେଷଜ୍ଞମାନଙ୍କ ମତରେ ଦେଶର ସାମୂହିକ ବିଫଳତା ପାଇଁ ପ୍ରଧାନମନ୍ତ୍ରୀ ଓ ନିର୍ବାଚନ ଆୟୋଗଙ୍କୁ ଦୋଷୀ କରାଯାଇଛି।