ଅଭିପ୍‌ସା ବରାଳ

କୋଭିଡ୍ ମହାମାରୀ ସମୟରେ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେଉଥିବା ‘ୱାନଲାଇଫ୍‌’ ଷ୍ଟାର୍ଟଅପ୍ କମ୍ପାନିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁମୋନ ପାତ୍ରଙ୍କ ସହିତ ଓଡ଼ିଶାଲାଇଭ୍‌ର ସ୍ୱତନ୍ତ୍ର ସାକ୍ଷାତକାର।

ସମଗ୍ର ଦେଶ ଏବେ ଭୟଙ୍କର କରୋନା ମହାମାରୀ ବିପତ୍ତି ଦେଇ ଗତି କରୁଛି। ସବୁଆଡ଼େ ସଂକ୍ରମଣର ଡର। ପ୍ରତିଦିନ ପୁଳା ପୁଳା କରୋନା ରୋଗୀ ଚିହ୍ନଟ ହେଉଛନ୍ତି। କରୋନାକୁ ନେଇ ଲୋକମାନଙ୍କ ମନରେ ଭୟ ସୃଷ୍ଟି ହେଉଥିବାବେଳେ ମାନସିକ ଚାପ ଓ ଅବସାଦ ବଢ଼ିବାରେ ଲାଗିଛି। ବର୍ତ୍ତମାନ ପରିସ୍ଥିତିରେ ଜଣେ ସୁସ୍ଥ ଲୋକ ଓ କରୋନା ରୋଗୀ ପାଇଁ ମୁଖ୍ୟ ହେଉଛି ତା’ର ମାନସିକ ସ୍ୱାସ୍ଥ୍ୟ। କୋଭିଡ୍ ସମୟରେ ‘ୱାନଲାଇଫ୍‌’ ନାମକ ଏକ ଷ୍ଟାର୍ଟଅପ୍ କମ୍ପାନି ବିନା ମୂଲ୍ୟରେ ଫୋନ କଲ୍ ମାଧ୍ୟମରେ ଫ୍ରି କାଉନସେଲିଙ୍ଗ କରୁଛି।

‘ୱାନଲାଇଫ୍‌’ ଷ୍ଟାର୍ଟଅପ୍ କମ୍ପାନିର ମୂଳ ଲକ୍ଷ୍ୟ, ଉଦ୍ଦେଶ୍ୟ ଓ କୋଭିଡ୍ ସମୟରେ କିପରି ଲୋକମାନଙ୍କ କାମରେ ଆସୁଛି, ସେ ସମ୍ପର୍କରେ ଓଡ଼ିଶାଲାଇଭ୍‌କୁ ସାକ୍ଷାତକାର ଦେଇ କହିଛନ୍ତି ଏହାର ସିଇଓ ସୁମୋନ ପାତ୍ର।

କାହିଁକି ‘ୱାନଲାଇଫ୍‌’?

‘ୱାନଲାଇଫ୍‌’ର ଅର୍ଥ ‘ଗୋଟିଏ ଜୀବନ’। ପ୍ରତ୍ୟେକ ଜୀବନ ଅତ୍ୟନ୍ତ ମୂଲ୍ୟବାନ ଓ ଗୁରୁତ୍ୱପୂର୍ଣ୍ଣ। ମଣିଷ ହୋଇ ଜନ୍ମ ନେଇଛେ ମାନେ ସମସ୍ତେ କିଛି ନା କିଛି ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ତେଣୁ ଅସୁବିଧା ଆସିଲେ ବିଚଳିତ ନହୋଇ ସମାଧାନ ବିଷୟରେ ଚିନ୍ତା କର। ଯେଉଁ ବ୍ୟକ୍ତି ସମାଧାନର ରାସ୍ତା ନଖୋଜି ଅସୁବିଧା ବିଷୟରେ ବାରମ୍ବାର ଭାବିଥାଏ, ସେହି କ୍ଷେତ୍ରରେ ତାକୁ କାଉନସେଲିଙ୍ଗର ଦରକାର ପଡ଼େ। ଜୀବନରେ ଭାବପ୍ରବଣତା ବା ଇମୋସନ୍‌ର ମୂଲ୍ୟକୁ ବୁଝାଇବା ସହ ମାନସିକ ସ୍ତରରେ ଜଣେ ବ୍ୟକ୍ତି କିଭଳି ସୁସ୍ଥ ରହିବ ସେ ସମ୍ପର୍କରେ ସଚେତନ କରିଥାଏ ‘ୱାନଲାଇଫ୍‌’।

‘ୱାନଲାଇଫ୍‌’ ଷ୍ଟାର୍ଟଅପ୍ କମ୍ପାନି କାହା ଉପରେ କାମ କରୁଛି?

ବର୍ତ୍ତମାନ ସମୟରେ ଏହି ଷ୍ଟାର୍ଟଅପ୍ କମ୍ପାନି ମଣିଷର ମାନସିକ ସ୍ୱାସ୍ଥ୍ୟ ଉପରେ କାମ କରୁଛି। ମାନସିକ ସ୍ୱାସ୍ଥ୍ୟ କହିଲେ, କେତେବେଳେ ମଣିଷ ଚାପରେ ରହୁଛି, ପୁଣି କେତେବେଳେ ଚିନ୍ତାଗ୍ରସ୍ତ ହୋଇ ଆତ୍ମହତ୍ୟା ଭଳି ଅପରାଧ କରିବାକୁ ମଧ୍ୟ ପଛାଉ ନାହିଁ। ସାଧାରଣତଃ ମଣିଷ ଯେତେବେଳେ ଗୋଟିଏ ଜିନିଷକୁ ନେଇ ଗଭୀର ଭାବରେ ଚିନ୍ତା କରିଥାଏ, ସେତେବେଳେ ମଣିଷ ଭିତରେ ଉଦାସୀନତା ଭାବ ବା ଡିପ୍ରେସନ ସୃଷ୍ଟି ହୋଇଥାଏ। ଫଳରେ ମଣିଷ ନିଜର ହିତାହିତ ଜ୍ଞାନ ହରାଇ, ତା’ ନିଜର କିମ୍ବା ଅନ୍ୟର କ୍ଷତି କରିବା ଆରମ୍ଭ କରିଥାଏ। ଏହି କ୍ଷେତ୍ରରେ ଅନ୍ୟର ପରାମର୍ଶ ଏକାନ୍ତ ଆବଶ୍ୟକ। ମଣିଷକୁ ଏଭଳି ଦିଗରୁ ନିବୃତ୍ତ କରି ତା’ ଭିତରେ ଉତ୍ତମ ମାନସିକତା ସୃଷ୍ଟି କରାଇବା ହେଉଛି ‘ୱାନଲାଇଫ୍‌’ ଷ୍ଟାର୍ଟଅପ୍ କମ୍ପାନିର ମୂଳ ଲକ୍ଷ୍ୟ।

କୋଭିଡ୍ ସମୟରେ ‘ୱାନଲାଇଫ୍‌’ କିପରି ଲୋକଙ୍କ କାମରେ ଆସୁଛି?

‘ୱାନଲାଇଫ୍‌’ କମ୍ପାନି ଫୋନ୍ କାଉସେଲିଙ୍ଗ ମାଧ୍ୟମରେ ଲୋକଙ୍କୁ ସାହାଯ୍ୟ କରିଥାଏ। କୋଭିଡ୍ ମହାମାରୀର ଶିକାର ହୋଇ ଅନେକ ବ୍ୟକ୍ତି ଆଇସୋଲେସନ୍‌ରେ ରହିଛନ୍ତି। କିଛି ବ୍ୟକ୍ତି ଚାକିରି ହରାଇ ଘରେ ବସିଛନ୍ତି, ଆଉ କିଛି ବ୍ୟକ୍ତି ଲକ୍‌ଡାଉନ୍ ସଟ୍‌ଡାଉନ୍ କାରଣରୁ ବାହାରକୁ ନଯାଇପାରି ଘରେ ନିଃସଙ୍ଗ ଜୀବନ ବିତାଉଛନ୍ତି। ଏହି ସମୟରେ ଲୋକମାନଙ୍କ ମନରେ ଅନେକ ଦୁଃଶ୍ଚିନ୍ତା ଏବଂ ଯନ୍ତ୍ରଣା ରହିଥାଏ। ଆଉ ଏହି ଅସୁବିଧାକୁ ଦୂର କରିବା ହେଉଛି ଆମର ଦାୟିତ୍ୱ। ଫୋନ୍ ଆସିବା ମାତ୍ରେ ଆମେ ଲୋକର ମାନସିକ ସ୍ତରକୁ ଭଲ ଭାବରେ ଅନୁଧ୍ୟାନ କରି, ତାକୁ କାଉନସେଲିଙ୍ଗ କରିଥାଉ।‘ୱାନଲାଇଫ୍‌’ ସହ ଜଣେ କିପରି ଯୋଡ଼ି ହୋଇପାରିବ?

ଯଦି ଜଣେ ବ୍ୟକ୍ତି ମାନସିକ ସ୍ତରରେ ଅସୁସ୍ଥ ଅଛନ୍ତି କିମ୍ବା ଅନ୍ୟ କିଛି ସମ୍ପର୍କରେ ପରାମର୍ଶ ନେବାପାଇଁ ଚାହୁଁଛନ୍ତି, ତେବେ onelife.net.in ୱେବସାଇଟ୍‌କୁ ଯାଇ ପଞ୍ଜୀକରଣ କରିପାରିବେ। ଏଥିସହ ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ ଓ ଟୁଇଟର ମାଧ୍ୟମରେ ମଧ୍ୟ ‘ୱାନଲାଇଫ୍‌’ ସହ ଯୋଗାଯୋଗ କରିପାରିବେ। ଚାଟ୍‌, ଭିଡିଓ କଲ୍‌, କଲ୍ ଏବଂ ସାମ୍ନା ସାମ୍ନି ରୋଗୀଙ୍କୁ କାଉନସେଲିଙ୍ଗ କରାଯାଇଥାଏ।

ଫେସ୍‌ବୁକ୍ ପେଜର onelife6

ଟୁଇଟର @OneLife_global

ଇନ୍‌ଷ୍ଟାଗ୍ରାମ OneLife_global

ଫୋନ୍ ନମ୍ବର ୮୩୬୮୨୮୮୮୪୬/୮୭୬୩୮୮୮୯୩୩‘ୱାନଲାଇଫ୍‌’ କେଉଁ କେଉଁ କାଉନସେଲିଙ୍ଗ ଯୋଗାଇଥାଏ ଏବଂ କେଉଁ ବର୍ଗର ବ୍ୟକ୍ତିଙ୍କୁ ବେଶି ଦରକାର ପଡ଼େ?

ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ କାଉନସେଲିଙ୍ଗ, ଉଦାସୀନତା, କ୍ୟାରିୟର, ବିବାହ, ସମ୍ପର୍କ, ପରିବାର, ଆତ୍ମହତ୍ୟା ରୋକିବା, ଚାପ ପରିଚାଳନା, ଚିନ୍ତା, ଅଟିଜିମ୍‌, ଆଘାତ ଇତ୍ୟାଦି କାଉନସେଲିଙ୍ଗ ‘ୱାନଲାଇଫ’ କମ୍ପାନି ଫୋନ୍ କିମ୍ବା ସିଧାସଳଖ ଭାବରେ ଯୋଗାଇଥାଏ। ସବୁ ବର୍ଗର ଲୋକମାନେ କାଉନସେଲିଙ୍ଗ ପାଇଁ କଲ୍ କରିଥାନ୍ତି । କିନ୍ତୁ ୧୮ ରୁ ୪୫ ବର୍ଷର ବୟସ୍କଙ୍କ ଫୋନ୍ ବେଶି ଆସିଥାଏ।

କୋଭିଡ୍ ସମୟରେ ସମଗ୍ର ଭାରତବର୍ଷରୁ କାଉନସେଲିଙ୍ଗ ପାଇଁ ଫୋନ୍ ଆସୁଛି। ଏହି ସମୟରେ ‘ୱାନଲାଇଫ୍‌’ ବିନା ମୂଲ୍ୟରେ କାଉନସେଲିଙ୍ଗ ଯୋଗାଉଛି। ପୂର୍ବବର୍ଷ କରୋନା କାଳରେ ପ୍ରାୟ ୭ଶହର ୮ଶହ ବ୍ୟକ୍ତି କାଉନସେଲିଙ୍ଗ ପାଇଁ କଲ୍ କରିଥିଲେ। ଚଳିତ ବର୍ଷ ମଧ୍ୟ ଏହି ସୁବିଧା ଜାରି ରହିଛି।କେତେବେଳେ ଜଣେ ବ୍ୟକ୍ତି କାଉନସେଲିଙ୍ଗ କରାଇବା ନିହାତି ଆବଶ୍ୟକ?

ସର୍ଭେ ଅନୁସାରେ, ପ୍ରାଇଭେଟ୍ କମ୍ପାନି କିମ୍ବା କର୍ପୋରେଟ ସେକ୍ଟରରେ କାମ କରୁଥିବା ଯୁବବର୍ଗଙ୍କ ଭିତରୁ ପ୍ରାୟ ୪୮ପ୍ରତିଶତ ଡିପ୍ରେସନରେ ରହିଥାନ୍ତି। ଏହାର ମୁଖ୍ୟ କାରଣ ସେମାନେ ନିଜ ମନର ଭାବକୁ ଅନ୍ୟ ଆଗରେ ସହଜରେ ପ୍ରକାଶ କରିନଥାନ୍ତି। ଏହି ସମୟରେ ଜଣେ ବ୍ୟକ୍ତି ନିହାତି କାଉନସେଲିଙ୍ଗ କରାଇବା ଜରୁରୀ। ଏଭଳି ପରିସ୍ଥିତିରେ କଲ୍ ଆସିଲେ, ଆମେ ପ୍ରଥମେ ତାଙ୍କ ଅସୁବିଧା ସମ୍ପର୍କରେ ଟିକିନିଖି ତଥ୍ୟ ତାଙ୍କଠାରୁ ପଚାରି ବୁଝିବା ପରେ ପରିସ୍ଥିତିକୁ ଦେଖି ତାଙ୍କୁ ମନସ୍ତତ୍ତ୍ୱବିତ୍ କିମ୍ବା ମାନସିକ ରୋଗ ବିଶେଷଜ୍ଞଙ୍କ ସହ ଯୋଗଯୋଗ କରାଇଥାଉ।

ଯେତେବେଳେ ଜଣେ ବ୍ୟକ୍ତି କାଉନସେଲିଙ୍ଗ ପାଇଁ ନିଜେ ପ୍ରସ୍ତୁତ ହୋଇନାହିଁ, ସେହି କ୍ଷେତ୍ରରେ କେହି କାଉନସେଲିଙ୍ଗ କରିପାରିବେନି। ପ୍ରଥମେ ରୋଗୀକୁ ପ୍ରସ୍ତୁତ ହେବାକୁ ପଡ଼ିବ। ଯଦି ସେ ପ୍ରସ୍ତୁତ ନୁହଁନ୍ତି ତେବେ ତାଙ୍କ ପରିବାର ସଦସ୍ୟ ତାଙ୍କୁ ବୁଝାସୁଝା କରି ପ୍ରସ୍ତୁତ କରାଇବେ।

LEAVE A REPLY

Please enter your comment!
Please enter your name here