ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଦ୍ଵିତୀୟ ଅନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ସ୍ଥାନ ନିରୂପିତ ହୋଇଛି। ପୁରୀ ବ୍ରହ୍ମଗିରି ରାସ୍ତାରେ ସିପସରୁବାଲିଠାରେ ଏହା ନିର୍ମାଣ କରାଯିବ। ଦୁଇଦିନ ତଳେ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆର ଅଧିକାରୀମାନେ ସ୍ଥାନ ସର୍ଭେ କରିଥିଲେ।
ଖବର ଅନୁଯାୟୀ, ବ୍ରହ୍ମଗିରି ଗିରଲା ନିକଟରେ ୧୫୦୦ଏକର ଜମିକୁ ଏୟାରପୋର୍ଟ ଅଥରିଟି ମଞ୍ଜୁରୀ ଦେଇଛି। ଏନେଇ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁରୀ ଜିଲ୍ଲାପାଳ କହିଛନ୍ତି ଯେ, ଏଏଆଇର ଅଧିକାରୀମାନେ ୪ଟି ସ୍ଥାନ ବୁଲି ଦେଖିଥିଲେ। ସେଥି ମଧ୍ୟରୁ ଗିରଲା/ସିପସରୁବାଲିକୁ ସେମାନେ ଚୂଡାନ୍ତ କରିଛନ୍ତି।
ଏଏଆଇର ଅଧିକାରୀ ଶାନ୍ତନୁ ଫଲନିକର କହିଛନ୍ତି ଯେ, ସବୁ ଦୃଷ୍ଟିରୁ ଅନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ଏହି ସ୍ଥାନଟି ହିଁ ଠିକ ହେବ। ଏହାର ଭୌଗୋଳିକ ଅବସ୍ଥିତି, ଅବତରଣ ଓ ଉଡାଣ ପାଇଁ ରନୱେ, ପବନର ଗତି, ରାସ୍ତା ସଂଯୋଗ ଓ ଅର୍ଥନୈତିକ ବିକାଶ ଦୃଷ୍ଟିରୁ ସିପସରୁବାଲିକୁ ସ୍ଥିର କରାଯାଇଛି।
ଓଡ଼ିଶାରେ ଦ୍ଵିତୀୟ ବିମାନ ବନ୍ଦର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ନୂଆବର୍ଷରେ ଚିଠି ଲେଖି ଅନୁରୋଧ କରିଥିଲେ।
















