ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ପ୍ରଖ୍ୟାତ ସାମ୍ବାଦିକ ପାଲାଗୁମ୍ମୀ ସାଇନାଥଙ୍କୁ ମିଳିଛି ଜାପାନର ଅନ୍ତର୍ଜାତୀୟ ଗ୍ରାଣ୍ଡ ପୁରସ୍କାର ‘ଫୁକୁଓକା’। ଦେଶର କୃଷି ବହୁଳ ଗାଁ’ଗୁଡିକୁ ଯାଇ ସେଠାକାର ଲୋକାମାନଙ୍କର ଜୀବନଶୈଳୀ, ସାମାଜିକ, ଅର୍ଥନୈତିକ ସମସ୍ୟା ଓ ତାଙ୍କ ସ୍ଵରକୁ ସେ ସମସ୍ତଙ୍କ ନଜରରେ ଆଣିଛନ୍ତି। ତାଙ୍କର ଏଭଳି ପ୍ରୟାସ ଓ କାର୍ଯ୍ୟ ପାଇଁ ସେ ଚଳିତ ବର୍ଷ ଜାପାନର ଅନ୍ତର୍ଜାତୀୟ ସମ୍ମାନରେ ସମ୍ମାନୀତ ହୋଇଛନ୍ତି।
ଡିଜିଟାଲ୍ ସାମ୍ବାଦିକତା ପାଇଁ ୨୦୧୪ ମସିହାରେ ସେ ‘ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆ'(ପରୀ)ରେ ସଂସ୍ଥାପକ ସମ୍ପାଦକର ଭାର ତୁଲାଉଥିଲେ।
ଚେନ୍ନାଇ(ମାଦ୍ରାସ)ରେ ସାଇନାଥଙ୍କ ଜନ୍ମ। କିନ୍ତୁ ତାଙ୍କ ପରିବାର ଆନ୍ଧ୍ରପ୍ରଦେଶର ଥିଲେ। ଭାରତର ଚତୁର୍ଥ ରାଷ୍ଟ୍ରପତି ଭି.ଭି ଗିରି ତାଙ୍କ ଜେଜେବାପା ଥିଲେ। ସାଇନାଥ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ବିଶିଷ୍ଟ ଐତିହାସିକ ପ୍ରଫେସର ରୋମିଲା ଥାପରଙ୍କ ସହ ଇତିହାସରେ ସ୍ନାତକ ହାସଲ କରିଥିଲେ। ଯିଏକି ୧୯୯୭ ମସିହାରେ ‘ଫୁକୁଓକା’ ପୁରସ୍କାର ପାଇଥିଲେ।
ୟୁନାଇଟେଡ ନ୍ୟୁଜ ଅଫ ଇଣ୍ଡିଆରେ ସାଇନାଥ ପ୍ରଥମେ ସାମ୍ବାଦିକ ଭାବରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ୧୯୮୦ରେ ସେ ନିଉଜ୍ ଏଜେନ୍ସି ତରଫରୁ ସର୍ବୋଚ୍ଚ ବ୍ୟକ୍ତିତ୍ୱ ସମ୍ମାନରେ ସମ୍ମାନୀତ ହୋଇଥିଲେ। ଏହାପରେ ସେ ରାଜନୈତିକ ପତ୍ରିକାରେ ବିଲଟ୍ସରେ କାର୍ଯ୍ୟ କରିଥିଲେ। ସେ ବିଭିନ୍ନ ରାଜ୍ୟ ଭ୍ରମଣ କରିବାସହ ସେଠାକାରେ ଲୋକମାନଙ୍କର ପ୍ରକୃତ ସ୍ଥିତି ଅନୁଧ୍ୟାନ କରୁଥିଲେ।
୧୯୯୫ ମସିହାରେ ସାମ୍ବାଦିକତା ପାଇଁ ତାଙ୍କୁ ୟୁରୋପୀୟ କମିସନରର ‘ଲୋରେଞ୍ଜୋ ନାଟାଲି’ ପୁରସ୍କାର ମିଳିଥିଲା। ସେହିପରି ୨୦୦୦ ମସିହାରେ ‘ଆମ୍ନେଷ୍ଟି ଇଣ୍ଟରନାସନାଲ ଗ୍ଲୋବାଲ ହ୍ୟୁମାନ ପୁରସ୍କାର, ୨୦୦୧ରେ ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନର ବୋଏରମା ପୁରସ୍କାର ଏବଂ ୨୦୦୭ରେ ଏସୀୟ ସାମ୍ବାଦିକତା ପାଇଁ ରାମନ୍ ମ୍ୟାଗସେସେ ପୁରସ୍କାର ପ୍ରଦାନ କରାଯାଇଥିଲା।।
ମରୁଡ଼ି ପ୍ରପୀଡିତ ରାଜ୍ୟମାନଙ୍କରେ ଭ୍ରମଣ କରି ମରୁଡିର ପ୍ରକୃତ ଅବସ୍ଥା ଉପଲବ୍ଧି କରିଥିଲେ ସାଇନାଥ। ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ହୋଇଥିବା ଗାଁ’ଗୁଡ଼ିକ ବୁଲି ଲୋକଙ୍କ ସହ କଥାବାର୍ତ୍ତା ହୋଇ ତଥ୍ୟ ସଂଗ୍ରହ କରନ୍ତି ଏବଂ ନିଜର ଫଟୋଗ୍ରାଫିରେ ବାସ୍ତବତାକୁ କାବୁ କରି ପ୍ରକାଶ କରିଥାନ୍ତି। ଏଥିସହ ଜାପାନରେ ମଧ୍ୟ ତାଙ୍କର ଅଭିଜ୍ଞତା ରହିଛି। କିଟୋ, ଓସାକା, ହିରୋସିମା ପ୍ରଭୃତି ଅନେକ ଗାଁକୁ ଯାଇ ସେଠାକାର ଲୋକମାନଙ୍କର ବାସ୍ତବ ଚିତ୍ରକୁ ନିଜର ଫଟୋଗ୍ରାଫିରେ କଏଦ କରି ବେଶ୍ ଜଣାଶୁଣା ହୋଇପାରିଛନ୍ତି ପାଲାଗୁମ୍ମୀ ସାଇନାଥ।
ଉଭୟ ଭାରତ ଓ ବିଦେଶର ବିଶ୍ୱବିଦ୍ୟାଳୟରେ ଯୁବବର୍ଗଙ୍କୁ ସାମାଜିକ ଅସମାନତା ଏବଂ ଗ୍ରାମୀଣ ସମାଜ ବିଷୟରେ ସେ ଶିକ୍ଷା ଦେଉଛନ୍ତି। ପୂର୍ବବର୍ଷ କରୋନାର ପ୍ରଥମ ଲହର ସମୟରେ ସେ ଗାଁଗୁଡ଼ିକୁ ଯାଇ ଲୋକମାନଙ୍କ ସମ୍ପର୍କରେ ପଚାରି ବୁଝିବା ସହ, ସେମାନଙ୍କ ରୋଜଗାର ଉପରେ କରୋନା କିପରି ପ୍ରଭାବ ପକାଇଛି ସେ ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ। ମହାମାରୀ ସମୟରେ ପରସ୍ପର ପରସ୍ପରକୁ ସାହାଯ୍ୟ କରିବାକୁ ମଧ୍ୟ ଉତ୍ସାହିତ କରିଥିଲେ। ତାଙ୍କର ‘ଜ୍ଞାନ’ ତଥା ସହଯୋଗ ପାଇଁ ସେ ଜାପାନର ଅନ୍ତର୍ଜାତୀୟ ଗ୍ରାଣ୍ଡ ପୁରସ୍କାର ‘ଫୁକୁଓକା’ ପାଇଁ ସେ ଯୋଗ୍ୟ ବିବେଚିତ ହୋଇପାରିଛନ୍ତି।








