ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତ ବର୍ଷ ରଥଯାତ୍ରା ପାଇଁ ଜୁଲାଇ ୧୧ତାରିଖ ରାତି ଆଠଟାରୁ ପୁରୀରେ ଜାରି ହେବ କର୍ଫ୍ୟୁ। ଏହି କଟକଣା ଜୁଲାଇ ୧୩ ତାରିଖ ରାତି ୮ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଏଥିସହ ସାରା ସହରରେ ୧୪୪ ଧାରା ଜାରି କରାଯିବ। ପୁରୀବାସୀଙ୍କ ସୁବିଧା ନିମନ୍ତେ ଶନିବାର ସଟଡାଉନ୍କୁ ଉଠାଇ ଦିଆଯାଇଛି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।
ଚଳିତ ବର୍ଷ କରୋନା ମହାମାରୀ ପାଇଁ ମଧ୍ୟ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେବ। ଗତବର୍ଷ ଭଳି ଏବର୍ଷ ବି ନବଯୌବନ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ।ଅନ୍ୟପଟେ କରୋନା କଟକଣା ଭିତରେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ଅନ୍ୟ ଅର୍ଥରେ କହିବାକୁ ଗଲେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ରଥ କାର୍ଯ୍ୟ। କନକ ମୁଣ୍ଡି ଚାନ୍ଦୁଆ, ଉଡା ଚାନ୍ଦୁଆ, ସାରଥୀ ପୋଷାକ ପ୍ରସ୍ତୁତି ସହ ବିଜେ ପାଇଁ ବନାରସୀ ଜରୀ କନା ଖୋଳ ଏବଂ ଠାକୁରଙ୍କ ପିଠି ଏବଂ ମସ୍ତକ ପଛ ଭାଗ ପାଇଁ ଅପସର ତକିଆ ତିଆରି ଶେଷ ହୋଇଛି। ଏଥିସହ ଚତୁର୍ଦ୍ଦଶୀ ତିଥିରେ ଶ୍ରୀନଅରକୁ ଖଡ଼ିପ୍ରସାଦ ବିଜେନୀତି ସମାପନ ହୋଇଛି।କରୋନା କାଳରେ ରଥଯାତ୍ରା ହେଉଥିବାରୁ ଶୃଙ୍ଖଳାକୁ ଦୃଷ୍ଟିରେ ଦେଇ ପୋଲିସ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ରଥଯାତ୍ରା ଡ୍ୟୁଟିରେ ନଥିବା କୌଣସି ପୋଲିସ କର୍ମଚାରୀ ଜୁଲାଇ ୨୪ତାରିଖ ପର୍ଯ୍ୟନ୍ତ ପୁରୀ ଯାଇପାରିବେ ନାହିଁ। ଯଦି କୌଣସି ସରକାରୀ କାର୍ଯ୍ୟରେ ଯିବାକୁ ହୁଏ, ତେବେ ସେହି କ୍ଷେତ୍ରରେ ସେମାନେ ଏଡିଜିଙ୍କ ଅନୁମତି ନେବେ।