ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉ ଦୁଇଦିନ ପରେ ବିଶ୍ଵ ପ୍ରସିଦ୍ଧ ଘୋଷ ଯାତ୍ରା। ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୁକ୍ରବାର ଦିନ ସିଂହାସନ ବେଦି ପାଇଁ ତିନି ରଥର ପ୍ରଭା ଉଠି ଧୂଳି ଦଣ୍ଡାରେ ଲାଗି ହୋଇଛି। ଅନ୍ୟପଟେ ତିନି ରଥରେ ମଣ୍ଡଣି(କନା) କାର୍ଯ୍ୟ ଆରମ୍ଭ ହୋଇ ତିନି ରଥର ୪ଟି ଲେଖାଏଁ ଦ୍ଵାର ବେଢ଼ାରେ କନା ପଡ଼ିବା କାର୍ଯ୍ୟ ଶେଷ ହୋଇଯାଇଛି।
ଆଜି ରୂପକାର ସେବକମାନେ ମୂର୍ତ୍ତିମାନଙ୍କ ରୂପ ଦେବା କାର୍ଯ୍ୟରେ ଲାଗିପଡ଼ିଛନ୍ତି। ହାତରେ ବଟାଳି ଧରି ରଥ କାଠକୁ ଖୋଦନ କରୁଛନ୍ତି ଏବଂ ରଥର ଚାରିପାଖରେ ଲାଗିବାକୁ ଥିବା ମୂର୍ତ୍ତିକୁ ସଜାଡ଼ୁଛନ୍ତି।ଦର୍ଜୀ ସେବକଙ୍କ ଦ୍ୱାରା ହୋଇଥିବା ମଣ୍ଡଣି କନାକୁ କୋଠସୁଆଁସିଆ ସେବକମାନେ ରଥରେ ଲଗାଇଛନ୍ତି। ଆଜି ରଥରେ ପିତ୍ତଳ ସାଜ ଲାଗିବାର ବ୍ୟବସ୍ଥା ରହିଛି। ମହାପ୍ରଭୁଙ୍କ ଅବସ୍ଥାନ ପାଇଁ ବେଦି ସିଂହାସନ କାର୍ଯ୍ୟ ଜୋରସୋରରେ ଚାଲିଛି। ମହାପ୍ରଭୁଙ୍କ ସମସ୍ତ କାର୍ଯ୍ୟ କରୋନା କଟକଣା ଭିତରେ ସୁରୁଖୁରୁରେ ଚାଲିଛି।
ଅନ୍ୟପଟେ ଆଜି ପୁରୀରେ ଲାଗିଥିବା ସଟଡାଉନ୍ କଟକଣାକୁ ଉଠାଇ ଦିଆଯାଇଛି। ଜୁଲାଇ ୧୧ ତାରିଖ ସକାଳ ୮ଟାରୁ ଜୁଲାଇ ୧୩ ତାରିଖ ରାତି ୮ଟା ପର୍ଯ୍ୟନ୍ତ ସହରରେ ୧୪୪ଧାରା ଜାରି କରାଯିବା ସହ କର୍ଫ୍ୟ ଜାରି କରାଯିବ। ଯେଉଁ ପୋଲିସ କର୍ମଚାରୀ ଏବଂ ସେବାୟତମାନେ ରଥ କାର୍ଯ୍ୟରେ ନିୟୋଜିତ କେବଳ ସେମାନେ ଉପସ୍ଥିତ ରହିବେ।