ଡକ୍ଟର ଦେବୀଲାଲ ମିଶ୍ର

ପ୍ରତିବର୍ଷ ଅଗଷ୍ଟ ୪ ତାରିଖକୁ ଓଡ଼ିଶାରେ ଓଡ଼ିଆ ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଏ। କାରଣ ଏହିଦିନ ଜନ୍ମ ନେଇଥିଲା ପ୍ରଥମ ଓଡ଼ିଆ ମୁଦ୍ରିତ ସମ୍ବାଦପତ୍ର ଉତ୍କଳ ଦୀପିକା। କର୍ମବୀର ଗୌରୀଶଙ୍କର ରାୟ ଓ ବାବୁ ବିଚିତ୍ରାନନ୍ଦ ଦାସଙ୍କ ଦ୍ୱାରା ୧୮୬୬ ମସିହା ଅଗଷ୍ଟ ୪ ତାରିଖରେ ଏକ ସାପ୍ତାହିକ ସମ୍ବାଦପତ୍ର ଭାବେ ଏହାର ପ୍ରକାଶନ ଆରମ୍ଭ ହୋଇଥିଲା।

ଉତ୍କଳ ଦୀପିକାର ଆବିର୍ଭାବ ଓଡ଼ିଆ ଭାଷା ତଥା ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ଅଭ୍ୟୁଦୟକୁ ଅନେକାଂଶରେ ପ୍ରେରିତ କରିଥିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ନ’ଅଙ୍କ ଦୁର୍ଭିକ୍ଷର ବିଭୀଷିକା, ଓଡ଼ିଆ ଭାଷା ଆନ୍ଦୋଳନ ଓ ସ୍ଵାଧୀନତା ସଂଗ୍ରାମର ଆହ୍ଵାନ ମଧ୍ୟରୁ ଜନ୍ମ ନେଇଥିବା ଏହି ସମ୍ବାଦପତ୍ର ନୂତନ ଜନଜାଗରଣର ମାଧ୍ୟମ ସାଜିବାରେ ସଫଳ ହୋଇଥିଲା।

୧୯୧୭ ମସିହା ପର୍ଯ୍ୟନ୍ତ ଗୌରୀଶଙ୍କର ରାୟ ଏହାର ସମ୍ପାଦକ ଥିଲେ। ଗୌରୀଶଙ୍କରଙ୍କ ମୃତ୍ୟୁ ପରେ ନୀଳମଣି ବିଦ୍ୟାରତ୍ନ ସମ୍ପାଦନାର ଦାୟିତ୍ଵ ନେଇଥିଲେ। ଉତ୍କଳ ଦୀପିକା ଓଡ଼ିଆ ସାମ୍ବାଦିକତାର ଏକ ପ୍ରମୁଖ ପ୍ରେରଣାସ୍ରୋତ ଭାବେ କାର୍ଯ୍ୟ କରିଥିଲା। ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ସାମାଜିକ ପ୍ରସଙ୍ଗ ଉପରେ ଜନମତ ସୃଷ୍ଟି କରିବାରେ ଏହାର ଥିଲା ବିଶେଷ ଭୂମିକା।ଏକ ସମ୍ବେଦନଶୀଳ ଏବଂ ଦାୟିତ୍ଵବାନ ଗଣମାଧ୍ୟମ କିପରି ସକାରାତ୍ମକ ସାମାଜିକ ପରିବର୍ତ୍ତନ ଆଣିପାରେ ଏହା ଉତ୍କଳ ଦୀପିକାର ପ୍ରଭାବରୁ ସ୍ପଷ୍ଟ ଅନୁଭବ କରାଯାଇପାରେ। ଅନେକ ବାଧା ସତ୍ତ୍ଵେ ଉତ୍କଳଦୀପିକା କେବେ ଲକ୍ଷ୍ୟ ପଥରୁ ବିଚ୍ୟୁତି ହୋଇନଥିଲା ଏବଂ ନିଜ ଜୀବନକାଳ ଭିତରେ ଏହା ଭବିଷ୍ୟତର ଅନେକ ସାମ୍ବାଦିକ ଓ ଗଣମାଧ୍ୟମ ପାଇଁ ଏକ ଅଭୁଲା ଛାପ ସୃଷ୍ଟି କରିପାରିଥିଲା।

ସାଧାରଣ ଲୋକଙ୍କ ସମସ୍ୟାକୁ ସବୁବେଳେ ଗୁରୁତ୍ଵ ଦେଉଥିବା ଏହି ସମ୍ବାଦପତ୍ର ପ୍ରଭାବୀ ସମ୍ପାଦକୀୟ ଓ ପାଠକୀୟ ସହଭାଗିତା ଦ୍ଵାରା ସାମ୍ବାଦିକତାରେ ଅନେକ ନୂତନ ଧାରାକୁ ଜନ୍ମ ଦେଇଥିଲା। ୧୯୩୬ ମସିହାରେ ଏହାର ପ୍ରକାଶନ ବନ୍ଦ ହୋଇଗଲା, କିନ୍ତୁ ଓଡ଼ିଆ ସାମ୍ବାଦିକତାର ଇତିହାସ ଏହା ବିନା ଅସମ୍ପୂର୍ଣ୍ଣ।

(ଲେଖକ ରେଭେନ୍ସା ବିଶ୍ଵବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ଅଧ୍ୟାପକ ତଥା ମୋଟିଭେସନାଲ୍ ସ୍ପିକର)

Comment