ଓଡ଼ିଶାଲାଇଭ୍ ବ୍ୟୁରୋ

ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳର ୨୭ ପ୍ରତିଶତ ଓବିସି ସଂରକ୍ଷଣକୁ କଡ଼ା ସମାଲୋଚନା କରିଛି ବିରୋଧୀ ବିଜେପି। ଓଡ଼ିଶା ବିଜେପିର ମୁଖପାତ୍ର ପୀତାମ୍ଵର ଆଚାର୍ଯ୍ୟ ଶନିବାର ଦିନ ଏକ ସାମ୍ଵାଦିକ ସମ୍ମିଳନୀ କରି ଏ ପ୍ରସଙ୍ଗରେ ବିଜେଡି ଉପରେ ଜୋର୍‌ସୋର୍ ବର୍ଷିଛନ୍ତି। ପଛୁଆ ବର୍ଗଙ୍କ ସ୍ଵାର୍ଥ ରକ୍ଷା କରିବାରେ ବିଜେଡି ସବୁବେଳେ ବିଫଳ ରହିଛି ବୋଲି ସେ କହିଛନ୍ତି।

ପଞ୍ଚାୟତ ନିର୍ବାଚନରେ ୨୭ ପ୍ରତିଶତ ପଛୁଆ ବର୍ଗର ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବା ଓଡ଼ିଶା ପାଇଁ କିଛି ନୂଆ କଥା ନୁହେଁ। ରାଜ୍ୟରେ ପୂର୍ବରୁ ମଧ୍ୟ ଏହି ବ୍ୟବସ୍ଥା ରହିଥିଲା। କିନ୍ତୁ ବିଜେଡି ସରକାର ଏହାକୁ ସଠିକ୍ ପ୍ରକ୍ରିୟାରେ ବ୍ୟବସ୍ଥିତ କରି ନ ପାରିବାରୁ ତାହା ଭୁଷୁଡ଼ି ପଡ଼ିଥିବା ବିଜେପି ଅଭିଯୋଗ କରିଛି। ଦଳୀୟ ମୁଖପାତ୍ର ପୀତାମ୍ଵର ଆଚାର୍ଯ୍ୟଙ୍କ କହିବା ମୁତାବକ ପୂର୍ବରୁ ଗ୍ରାମ ପଞ୍ଚାୟତ, ପୌରପାଳିକା ଏବଂ ଜିଲ୍ଲା ପରିଷଦ ନିର୍ବାଚନରେ ୨୭ ପ୍ରତିଶତ ପଛୁଆବର୍ଗଙ୍କୁ ଭାଗ ନେବାର ପ୍ରାବଧାନ ଓଡ଼ିଶା ଆଇନରେ ରହିଥିଲା। ୨୦୧୨ ପଞ୍ଚାୟତ ନିର୍ବାଚନ ବେଳକୁ ମଧ୍ୟ ଏହି ବ୍ୟବସ୍ଥା ରହିଥିଲା। କିନ୍ତୁ ସେ ସମୟରେ କ୍ଷମତାରେ ଥିବା ବିଜେଡି ସରକାର ତାହା ପ୍ରୟୋଗ କରିବାରେ ବିଫଳ ହୋଇଥିଲେ।ପୌର ନିର୍ବାଚନରେ ୨୭ ପ୍ରତିଶତ ପଛୁଆବର୍ଗଙ୍କୁ ସାମିଲ କରାଯାଇ ପାରିବ କି ନାହିଁ, ଏହି ପ୍ରସଙ୍ଗ ନେଇ ରାଜ୍ୟର ଜଣେ ବ୍ୟକ୍ତି ସୁବାଷ ଚନ୍ଦ୍ର ବିଶ୍ଵାଳ ୨୦୧୭ ମସିହାରେ ଓଡ଼ିଶା ହାଇକୋର୍ଟରେ ଏକ ମାମଲା କରିଥିଲେ। ଏଥିରେ ସେ ରାଜ୍ୟ ସରକାରଙ୍କ ବିପକ୍ଷରେ ମାମଲା ଲଢ଼ିଥିଲେ। କିନ୍ତୁ ସେ ସମୟରେ ମଧ୍ୟ ରାଜ୍ୟ ସରକାର ଅଦାଲତରେ କୌଣସି ତଥ୍ୟ ପ୍ରମାଣ ଦାଖଲ କରିପାରି ନଥିଲେ। ଫଳରେ ଅଦାଲତ ସୁପ୍ରିମକୋର୍ଟଙ୍କ ରାୟକୁ ଆଧାର କରି ଶୁଣାଣି କରିଥିଲେ। କିନ୍ତୁ ଏବେ ବିଜେଡି ପଞ୍ଚାୟତ ନିର୍ବାଚନରେ ୨୭ ପ୍ରତିଶତ ପଛୁଆବର୍ଗଙ୍କୁ ସାମିଲ କରି ଐତିହାସିକ ନିଷ୍ପତ୍ତି ନେଇଥିବା ନେଇ ଯେଉଁ ଦାବି କରୁଛି ତାହା ଦଳର ମୁର୍ଖାମୀ ବୋଲି କହି ବିଜେପି ସମାଲୋଚନା କରିଛି।ପଞ୍ଚାୟତ ସମେତ ଅନ୍ୟ ସମସ୍ତ ନିର୍ବାଚନରେ ଓବିସି ଏବଂ ଏସ୍‌ଇବିସି ବର୍ଗରୁ ସର୍ବନିମ୍ନ ୨୭ ପ୍ରତିଶତ ପ୍ରାର୍ଥୀ କରିବାକୁ ଅଗଷ୍ଟ ୧୩ରେ ବିଜେଡି ଘୋଷଣା କରିଥିଲା। ରାଜ୍ୟରେ ପ୍ରଥମ ରାଜନୀତିକ ଦଳ ଭାବେ ପଛୁଆ ବର୍ଗଙ୍କ ସ୍ଵାର୍ଥ ପାଇଁ ଏଭଳି ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଥିବା ଦଳ କହିଥିଲା। ଏଥିସହ ଅନ୍ୟ ରାଜନୀତିକ ଦଳମାନେ ବିଜେଡିଠାରୁ ଶିକ୍ଷା ଗ୍ରହଣ କରନ୍ତୁ ବୋଲି ଦଳୀୟ ନେତାମାନେ କହିଥିଲେ, ଯାହାକୁ ନେଇ ବିରୋଧୀ ଶିବିରରେ ବେସ୍ ଚର୍ଚ୍ଚା ହୋଇଥିଲା।

LEAVE A REPLY

Please enter your comment!
Please enter your name here