ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ଵରର ଦଶମ ଶ୍ରେଣୀ ଛାତ୍ର ଡ୍ରେନରେ ଭାସିଯିବା ଘଟଣାର ଦୀର୍ଘ ୧୯ ଘଣ୍ଟା ପରେ ମିଳିଛି ଛାତ୍ରଙ୍କ ମୃତ ଦେହ। ଦମକଳ ବାହିନୀ ମୃତ ଦେହକୁ ସୋମବାର ଦିନ ପଞ୍ଚସଖା ନଗର ଡ୍ରେନରୁ ଉଦ୍ଧାର କରିଛି। ଉଦ୍ଧାର ପରେ ମୃତ ଦେହକୁ ଏମ୍ସ ନିଆଯାଇଥିଲା। ସେଠାରେ ଛାତ୍ରଙ୍କର ସମ୍ପର୍କୀୟ ପହଞ୍ଚି ଶବ ଚିହ୍ନଟ କରିଛନ୍ତି।
ସୂଚନା ଥାଉକି, ରବିବାର ଭୁବନେଶ୍ଵର ବରମୁଣ୍ଡାସ୍ଥିତ ଶତାବ୍ଦୀ ନଗର ଅଞ୍ଚଳରେ ଥିବା ଡ୍ରେନରେ ଜ୍ୟୋତି ପ୍ରକାଶ ବେହେରା ନାମକ ଜଣେ ଦଶମ ଶ୍ରେଣୀ ଛାତ୍ର ଭାସିଯାଇଥିଲେ। ସେ ସାଇକେଲ ଧରି ଟ୍ୟୁସନ ଯିବା ସମୟରେ ଏଭଳି ଅଘଟଣ ଘଟିଥିଲା। ସେହି ସମୟରେ ତାଙ୍କୁ ଉଦ୍ଧାର କରିବା ପାଇଁ ଦୁଇ ଜଣ ଚେଷ୍ଟା କରିଥିଲେ ମଧ୍ୟ ପାଣିର ସୁଅ ଅଧିକ ଥିବାରୁ ସେମାନେ ଉଦ୍ଧାର କରିପାରିନଥିଲେ। ଘଟଣା ସମ୍ପର୍କରେ ଖବରପାଇ ପୋଲିସ ଓ ଦମକଳ ବାହିନୀ ସେଠାରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ। କିନ୍ତୁ ବିଳମ୍ବିତ ରାତି ହୋଇଯାଇଥିବାରୁ ନିଖୋଜ ଛାତ୍ରଙ୍କୁ ଖୋଜି ପାଇନଥିଲେ।
ସୋମବାର ସକାଳୁ ଦମକଳ ବାହିନୀ ନିଖୋଜ ଛାତ୍ରଙ୍କୁ ଖୋଜାଖୋଜି କରୁଥିବାବେଳେ ପଞ୍ଚସଖା ନଗର ଡ୍ରେନ ପାଖରୁ ଏକ ମୃତ ଦେହ ମିଳିଥିଲା। ପରେ ନିଖୋଜ ଛାତ୍ରଙ୍କର ସମ୍ପର୍କୀୟ ଆସି ଶବଟି ଜ୍ୟୋତି ପ୍ରକାଶ ବେହେରାଙ୍କର ବୋଲି ଚିହ୍ନଟ କରିଥିଲେ। ଶବ ଚିହ୍ନଟ ହେବାପରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।