ଓଡ଼ିଶାଲାଇଭ୍ ବ୍ୟୁରୋ

ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଚରଣଜିତ ସିଂହ ଚନ୍ନୀ। ରାଜ୍ୟପାଳ ବନୱରୀ ଲାଲ ପୁରୋହିତ ତାଙ୍କୁ ପଦ ଓ ଗୋପନୀୟତାର ସହ ସୋମବାର ଶପଥ ପାଠ କରାଇଛନ୍ତି। ଏଥିସହ ଗୋଟିଏ ଦିନରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଉପ ମୁଖ୍ୟମନ୍ତ୍ରୀ ଭାବେ ସୁଖଜିନ୍ଦର ରନ୍ଧଓ୍ବା ଓ ଓମପ୍ରକାଶ ସୋନି ମଧ୍ୟ ଶପଥ ଗ୍ରହଣ କରିଛନ୍ତି।

ଶନିବାର ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ ଅମରିନ୍ଦର ସିଂ ଇସ୍ତଫା ଦେବାପରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ୫୮ ବର୍ଷୀୟ ଚରଣଜିତ ସିଂହ ଚନ୍ନୀ। ସେ ହେଉଛନ୍ତି ପଞ୍ଜାବର ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ। ୧୯୬୬ରେ ହୋଇଥିବା ରାଜ୍ୟ ପୁନର୍ଗଠନ ପରଠାରୁ ଆଜି ପର୍ଯ୍ୟନ୍ତ କୌଣସି ବି ଦଳିତ ନେତା ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇନଥିଲେ।

ତେବେ ସୋମବାର ଶପଥ ଗ୍ରହଣ ଉତ୍ସବରେ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁଙ୍କ ସମେତ ସମସ୍ତ ବିଧାୟକ, ସାଂସଦ ଓ ନେତା ସାମିଲ ଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଉପସ୍ଥିତ ନଥିବା ସୂଚନା ରହିଛି।

ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଚରଣଜିତ ଚନ୍ନୀ ପଞ୍ଜାବର ଚମକୌର ସାହିବ ଆସନରୁ ବିଧାୟକ ଅଛନ୍ତି। ସେ ଏହି ଆସନରୁ ଲଗାତାର ୩ଥର ବିଧାୟକ ନିର୍ବାଚିତ ହୋଇଛନ୍ତି। ପୂର୍ବରୁ ସେ କ୍ୟାପଟେନ ଅମରିନ୍ଦର ସିଂଙ୍କ ଅତି ଘନିଷ୍ଠ ଥିଲେ ଏବଂ ପରେ ଚରଣଜିତ ତାଙ୍କୁ ବିରୋଧ କରି ଆସୁଥିଲେ।

ରବିବାର ଚଣ୍ଡିଗଡ଼ ଠାରେ ଅନୁଷ୍ଠିତ କଂଗ୍ରେସ ବିଧାୟକ ଦଳ ବୈଠକରେ ସର୍ବସମ୍ମତିକ୍ରମେ ଚରଣଜିତ ସିଂହ ଚନ୍ନୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଥିଲା।

Comment