ଗୀତା ଦାସ

କୋଭିଡ କାଳରେ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଗୁରୁତ୍ଵ ଦେଇ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରାଯାଇଥିଲା। ତେଣୁ ଏହାର ପରବର୍ତ୍ତୀ ସମୟରେ ଛାତ୍ରଛାତ୍ରୀଙ୍କ ମନରେ ଦମ୍ଭ ଆଣିବା ପାଇଁ ସ୍କୁଲ କାଉନସେଲରଙ୍କୁ କ’ଣ କରିବାକୁ ପଡ଼ିବ, ସେନେଇ ପରାମର୍ଶ ଦେଇଛନ୍ତି ବିଶିଷ୍ଟ ମନୋବିଜ୍ଞାନୀ ଗୀତା ଦାସ।

ବର୍ତ୍ତମାନ ଯେଉଁମାନେ କାଉନସେଲର ଭାବରେ ସ୍କୁଲରେ କାଉନସେଲିଂ ଦେଉଛନ୍ତି, ସେମାନେ ସାଧାରଣତଃ କ୍ୟାରିୟର କାଉନସେଲର ଟ୍ରେନିଂ ପାଇଛନ୍ତି। ସେମାନେ ଅତି ସହଜରେ ଅଧିକା ଟ୍ରେନିଂ ନେଇ ମାନସିକ ସ୍ଵାସ୍ଥ୍ୟ କାଉନସେଲର ହୋଇପାରିବେ। ବିଶେଷକରି ଗ୍ରୁପ୍ କାଉନସେଲିଂର ପଦ୍ଧତି ଶିଖି ସେମାନେ ପ୍ରତି କ୍ଲାସରେ ପିଲାମାନଙ୍କୁ ନିଜର ମାନସିକ ଅବସ୍ଥା ନିର୍ଣ୍ଣୟ କରିବାକୁ ଶିଖାଇ ପାରିବେ।

ଆମେ ଯେମିତି ଜ୍ୱର, କାଶ, ଶୁଙ୍ଘିବା ଶକ୍ତି ଚାଲିଗଲେ କୋଭିଡ ଟେଷ୍ଟ ପାଇଁ ଯାଉଛେ ଓ ଡାକ୍ତର ପରାମର୍ଶ ନେଉଛେ, ଠିକ୍ ସେମିତ ପିଲାମାନଙ୍କର ଟେନସନ୍ ବଢ଼ିଲେ, ନର୍ଭସ ଲାଗିଲେ କିମ୍ବା ରାତିରେ ଦୁଃସ୍ୱପ୍ନ ଦେଖିଲେ, ମନରେ ଦୁଃଶ୍ଚିନ୍ତା ବଢ଼ିଲେ କାଉନସେଲରଙ୍କ ସହିତ ପରାମର୍ଶ କରି କେମିତି ନିଜର ମନର ଅବସ୍ଥା ଭଲ ଆଡ଼କୁ ଆସିବ, କ’ଣ କଲେ ମନ ସବୁବେଳେ ଭୟରେ ଆତଙ୍କିତ ନ ହୋଇ ଧୀର ସ୍ଥିର ରହିବ ସେ ଉପାୟ ସ୍ଥିର କରି ଅଭ୍ୟାସ କରିବା ଆବଶ୍ୟକ।ଅନେକ ପିଲା ନିଜର ମନର ଭୟ ମନରେ ଚାପି ବିଷୟଟାକୁ ଅସ୍ୱୀକାର ଅର୍ଥାତ୍ ମୁଁ ଡରେ ନାହିଁ, କି ଟିକେ କଥାରେ ମୁଁ ବ୍ୟସ୍ତ ହୁଏ ନାହିଁ କହି ବିଷୟଟା ହସରେ ଉଡ଼େଇ ଦିଅନ୍ତି। ମାତ୍ର ଅନ୍ୟ କାରଣ ଯୋଗୁଁ ପାଠ ବୁଝିପାରୁନାହାନ୍ତି କିମ୍ବା ମୁଣ୍ଡ ବିନ୍ଧୁଛି, ପେଟ ବଥା ହେଉଛି ବୋଲି କୁହନ୍ତି। କାରଣ ମନ ସହିତ ଦେହର ସମ୍ବନ୍ଧ ବିଷୟରେ ଆମେ ସଚେତନ ନୋହୁ। ଆମର ଧାରଣା ମନ ଦେହଠାରୁ ସମ୍ପୂର୍ଣ୍ଣ ଅଲଗା। କେବଳ ଦେହକୁ ଆଶ୍ରୟ କରିଥାଏ। ଫଳରେ ମନରେ ଦେହ ଉପରେ ପ୍ରଭାବ କହିଲେ ଲୋକେ ବୁଝନ୍ତି ମନ ଉପରେ ପ୍ରେସର ପଡ଼ିଲେ ବ୍ଲଡପ୍ରେସର ବଢ଼େ। କେବଳ ବ୍ଲଡ ପ୍ରେସର ଛଡ଼ା ଦେହର ଅନ୍ୟାନ୍ୟ ସବୁ କ୍ରିୟା ପ୍ରକ୍ରିୟାକୁ ମନର ଅବସ୍ଥା ପ୍ରଭାବିତ କରିଥାଏ ବୋଲି ଜଣା ନାହିଁ।

ମନ ଯେ ସବୁବେଳେ ମଣିଷର ଆୟତ୍ତାଧୀନ ନୁହେଁ, ସେକଥା ଜାଣିଲେ ସୁଦ୍ଧା ଆମେ କହୁ ମନଟାଣ କଲେ ସବୁ ଠିକ୍ ହୋଇଯିବ। ଅର୍ଥାତ୍ ମନର ଦୁଃଖ, କଷ୍ଟ, ବିହ୍ୱଳତା, କାତରତା, ଦୁଃଶ୍ଚିନ୍ତା ଏସବୁ ଅଗ୍ରାହ୍ୟ କରି ନିଜର ଅନୁଭୂତିକୁ ଅଗ୍ରାହ୍ୟ କରି ଅସ୍ୱୀକାର କରି ଚଳିବାକୁ ଶିଖିଲେ ସବୁ ଠିକ୍ ହୋଇଯିବ। ବାସ୍ତବରେ ଡିନାଏଲ ବା ସମସ୍ୟାକୁ ଅସ୍ୱୀକାର କରିବାଟା ହେଲା ଭୁଲ ଉପାୟ। ତେଣୁ ନିଜର ଅନୁଭୂତିକୁ କେମିତି ନିୟନ୍ତ୍ରଣ କରିବ, ମନରେ କେମିତି ଆଶାର ସଞ୍ଚାର କରିବ, ସମସ୍ୟାର କେମିତି ସମାଧାନ କରି ଚଳିବ ସେ ସବୁ କାଉନସେଲରମାନେ ଶିଖେଇ ପାରିବେ।ଅଧିକାଂଶ କ୍ଷେତ୍ରରେ ଲୋକେ କ’ଣ ଭାବିବେ, ଲୋକେ କ’ଣ କହିବେ ଭାବି ଆମେ ସମସ୍ତେ ନିଜର ଚିନ୍ତା, ଦକ, ଭୟକୁ ମନ ଭିତରେ ଚାପି ଦେଉ। ଏଥିପାଇଁ କ୍ଲାସରେ କାଉନସେଲର ପିଲାଙ୍କୁ କହିବେ ନାଁ ନ ଲେଖି କେବଳ କୋଭିଡ ବେଳେ ନିଜର ଅନୁଭୂତି କ’ଣ ଲେଖ ଓ ତା’ ପରେ ନିଜେ ଜାଣିବା ପାଇଁ ଚିନ୍ତାର ୧୦ଟି ଲକ୍ଷଣ ଓ ଡିପ୍ରେସନର ୧୦ଟି ଲକ୍ଷଣ ଲେଖି କହିବେ କେତୋଟି ଲକ୍ଷଣ ଅନୁଭବ କରିଛ ଲେଖ।

ପିଲା ନିଜଠାରେ ଯେଉଁସବୁ ଲକ୍ଷଣ ଦେଖିଛନ୍ତି ସେଥିରେ ସଠିକ ଚିହ୍ନ ଦେଇ ଜାଣିବେ ଯେ ଲକ୍ଷଣ ସବୁ ସାମାନ୍ୟ ନା ଗୁରୁତର। ଏହାପରେ ନିଜେ ସ୍ଥିର କରିବେ ତାଙ୍କର କାଉନସେଲିଂ ପରାମର୍ଶ ଦରକାର କି ନାହିଁ। କାରଣ ନିଜେ ନିଜ ଅବସ୍ଥାର ପ୍ରତିକାର ନ ଖୋଜିଲେ, କେବଳ ପରାମର୍ଶ ଶୁଣି କେହି ନିଜ ସମସ୍ୟାର ସମାଧାନ କରିପାରିବେ ନାହିଁ। ପରାମର୍ଶ ଅନୁସାରେ କାମ ନ କଲେ କେମିତି ସୁଫଳ ମିଳିବ? ଡାକ୍ତର ଔଷଧ ଦେବେ, କିନ୍ତୁ ରୋଗୀ ଔଷଧ ନ ଖାଇଲେ କେମିତି ଭଲ ହେବ? ତେଣୁ ପ୍ରାର୍ଥୀର ସହଯୋଗିତା ଉପରେ  ପରାମର୍ଶର ସୁଫଳତା ନିର୍ଭର କରେ।

ଅଧିକ ପଢ଼ନ୍ତୁ

କୋଭିଡ ଯୋଗୁଁ ପିଲାଙ୍କର ସମସ୍ୟା : କ’ଣ କରିହେବ?
କୋଭିଡର ପରବର୍ତ୍ତୀ ସ୍ଥିତି : ଛାତ୍ରଛାତ୍ରୀଙ୍କର ଟେନସନ୍ ଓ ମନର ଅବସ୍ଥା

(ଗୀତା ଦାସ ଜଣେ ଜଣାଶୁଣା ମନୋବିଜ୍ଞାନୀ। ଦୀର୍ଘଦିନରୁ ସେ କାନାଡ଼ାରେ ରହୁଛନ୍ତି। କୋଭିଡ ସମୟରେ ଲୋକଙ୍କ ମାନସିକ ସ୍ଥିତି ଓ ଏହାର ମୁକାବିଲା ପାଇଁ ବାଟ ବତାଇ ‘ଓଡ଼ିଶାଲାଇଭ୍’ ପାଇଁ ସେ ନିୟମିତ ଲେଖି ଆସୁଛନ୍ତି। – ସମ୍ପାଦକ, ଓଡ଼ିଶାଲାଇଭ୍)

LEAVE A REPLY

Please enter your comment!
Please enter your name here