ଓଡ଼ିଶାଲାଇଭ ବ୍ୟୁରୋ

ଆଜି ପବିତ୍ର ମହାଳୟା ଅମାବାସ୍ୟା। ଆଜି ଦିନରେ ପିତୃପୁରୁଷଙ୍କୁ ପିଣ୍ଡ ଦାନ କରିବାର ପରମ୍ପରା ରହିଛି। ଏହି ଅବସରରେ ଶ୍ରୀମନ୍ଦିର ବାଇଶିପାହାଚରେ ପିଣ୍ଡଦାନ କରିଥାନ୍ତି ଲୋକେ। ଏଥିସହ ଭୁବନେଶ୍ଵର ବିନ୍ଦୁ ସାଗରରେ ମଧ୍ୟ ପିଣ୍ଡଦାନ କରାଯାଇଥାଏ। କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ଭୟ ସମ୍ପୂର୍ଣ୍ଣ ରୂପେ ଟଳି ନଥିବାରୁ ଏସବୁ ସ୍ଥାନରେ ପିଣ୍ଡ ଦାନ କରିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି।

ପରମ୍ପରା ଅନୁଯାୟୀ ଆଶ୍ୱିନ ମାସ କୃଷ୍ଣ ପକ୍ଷରେ ମହାଳୟା ଅମାବାସ୍ୟା ପଡ଼ିଥାଏ। ଏହି ଦିନ ପିତୃପୁରୁଷଙ୍କୁ ପିଣ୍ଡଦାନ କଲେ ଆର୍ଶିବାଦ ମିଳିଥାଏ ବୋଲି ବିଶ୍ୱାସ ରହିଛି। କୋଭିଡ କଟକଣା ପାଇଁ ଶ୍ରୀମନ୍ଦିର ବାଇଶିପାହାଚରେ ଶ୍ରାଦ୍ଧ ବନ୍ଦ ରହିଥିବାବେଳେ ଉତ୍ତରଦ୍ୱାର ସମ୍ମୁଖରେ ଶ୍ରାଦ୍ଧ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁମାନେ ଆସି ଏଠାରେ  ଶ୍ରାଦ୍ଧ ଦେଉଛନ୍ତି।

ଏପେଟ ବିନ୍ଦୁସାଗରରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି। କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ କଟକଣା ଲାଗୁ କରାଯାଇଛି। ଲୋକମାନେ ନିଜ ନିଜ ଘରେ ବ୍ରାହ୍ମଣଙ୍କୁ ଡାକି ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇଛନ୍ତି।

ମହାଳୟା ଅବସରରେ ସମ୍ବଲପୁର ସମଲେଶ୍ଵରୀ ମନ୍ଦିରରେ ମା’ଙ୍କ ଧବଳମୁଖୀ ବେଶ ହୋଇଛି। ବର୍ଷକରେ ଥରେ ମା’ ଏହି ବେଶରେ ଦର୍ଶନ ଦେଇଥାନ୍ତି। ଏହି ବେଶ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ମଧ୍ୟାହ୍ନ ୧୨ଟା ଯାଏଁ ଏବଂ ପରେ ୧୨ଟା ୩୦ରୁ ସନ୍ଧ୍ୟା ୭ଟା ୩୦ ଯାଏଁ ସର୍ବସାଧାରଣ ଦର୍ଶନ କରିପାରିବାର ବ୍ୟବସ୍ଥା ରହିଛି।

LEAVE A REPLY

Please enter your comment!
Please enter your name here