ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ୩୪ଟି ଶିଶୁ ଅନୁକୂଳ ପୋଲିସ ଷ୍ଟେସନ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଅନେକ ସମୟରେ ବିଭିନ୍ନ କାରଣରୁ  ଆଇନର ପରିସରକୁ ଆସୁଥିବା ଅନେକ ପିଲା ତଥା ସହାୟତା ଆବଶ୍ୟକତା କରୁଥିବା ପିଲାମାନଙ୍କ ପାଇଁ ଥାନା ଭିତରେ ସ୍ବତନ୍ତ୍ର ପରିବେଶର ଆବଶ୍ୟକତାକୁ ଅନୁଭବ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଏହିସବୁ ପୋଲିସ ଷ୍ଟେସନରେ ଶିଶୁ ମାନଙ୍କ ପାଇଁ ସ୍ବତନ୍ତ୍ର ସୁବିଧା କରାଯିବ। ଏହିସବୁ ଥାନାରେ ସ୍ବତନ୍ତ୍ର ଲୋଗୋ ଓ ଫଳକ ରହିବା ସହିତ ପିଲାଙ୍କ ପାଇଁ ଛୋଟ ପୁସ୍ତକାଗାର ମଧ୍ୟ କରାଯିବ । ଏଥିରେ ବିଭିନ୍ନ ରୁଚି ସଂପନ୍ନ ପୁସ୍ତକ, ପତ୍ରପତ୍ରିକା ଓ ସମ୍ବାଦପତ୍ର ରଖାଯିବ। ପିଲାମାନଙ୍କ ସୁବିଧା ପାଇଁ  ବିଛଣା, ଚୌକି ଓ ଟେବୁଲ ମଧ୍ୟ ରଖାଯିବ। ଏହାସହିତ ଶିଶୁମାନଙ୍କ ଅଧିକାର ସଂପର୍କିତ ଫଳକ ଏବଂ ପୋଲିସ ପାଇଁ ‘କଣ କରିବେ ବା ନ କରିବେ’ ( Do’s and Don’ts)  ସେ ସଂପର୍କରେ ମଧ୍ୟ ସୂଚନା ଫଳକ ରହିବ।

ଶିଶୁକଲ୍ୟାଣ ଅଧିକାରୀଙ୍କୁ ଯୋଗାଯୋଗ କରିବା ପାଇଁ ତାଙ୍କ ନାମ ଓ ଅନ୍ୟାନ୍ୟ ସୂଚନା ସଂପର୍କରେ ଏକ ସ୍ବତନ୍ତ୍ର ଫଳକ ରହିବ। ଏହାସହିତ ପିଲାଙ୍କ ପାଇଁ ଖେଳନା ମଧ୍ୟ ରଖାଯିବ। ଥାନା କାନ୍ଥ ଗୁଡିକରେ ସୁନ୍ଦର ଚିତ୍ର ରହିବା ସହିତ ବିଭିନ୍ନ ଶିକ୍ଷଣୀୟ ବିଷୟ ସ୍ଥାନିତ ହେବ।

ସାଧାରଣ ଥାନା ଗୁଡିକଠାରୁ ଏହାର ପରିବେଶକୁ ସମ୍ପୂର୍ଣ୍ଣ ଭିନ୍ନ ଭାବରେ ଗଢ଼ା ଯିବା ଦ୍ବାରା  ଥାନାକୁ ଯାଉଥିବା ଶିଶୁମାନଙ୍କ ମାନସିକ ଚାପ ହ୍ରାସ କରିବା ରେ ସହାୟକ ହେବବୋଲି  ଆଶା କରାଯାଏ ।

Comment