ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ସ୍ଵର୍ଗଦ୍ଵାରରେ ଶବଦାହ ଉପରେ କଟକଣା ଲାଗୁ କରାଯାଇଛି। ଏହି କଟକଣା ଆସନ୍ତା ୧୦ ତାରିଖଠାରୁ ଲାଗୁ ହେବ। ସ୍ଵର୍ଗଦ୍ଵାରରେ ବାହାର ଜିଲ୍ଲାର ଲୋକଙ୍କୁ ଶବଦାହ ପାଇଁ ଅନୁମତି ଦିଆଯାଇ ନାହିଁ। କେବଳ ପୁରୀ ଲୋକଙ୍କୁ ହିଁ ଏଠାରେ ଦାହ କାର୍ଯ୍ୟ କରିବାକୁ ଅନୁମତି ମିଳିଛି। ଯଦି କୌଣସି କୋଭିଡ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥାଏ ତେବେ ସ୍ଵର୍ଗଦ୍ଵାରରେ ସେମାନଙ୍କର ଶବଦାହ ହୋଇପାରିବ ନାହିଁ। ପରିବାର ଲୋକେ ପରିଚୟ ପତ୍ର ଦେଖାଇ ଦାହ ସଂସ୍କାର କାର୍ଯ୍ୟ କରିପାରିବେ ବୋଲି ପୁରୀ ଉପଜିଲ୍ଲାପାଳ ଭବତରଣ ସାହୁ ସୂଚନା ଦେଇଛନ୍ତି।

ଦିନକୁ ଦିନ ରାଜ୍ୟରେ କୋଭିଡ ସଂକ୍ରମଣ ବଢ଼ିବାରେ ଲାଗିଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ପରିସ୍ଥିତି ଅଣାୟତ ହେବାରେ ଲାଗିଛି। ପରିସ୍ଥିତିର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ କୋଭିଡ଼ ନିୟମକୁ କଡ଼ାକଡ଼ି କରାଯାଇଛି। ସହରାଞ୍ଚଳରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି। ପୁରୀରେ କଟକଣାକୁ କଡ଼ାକଡ଼ି କରାଯାଇଛି। ବିଭିନ୍ନ ଛକ, ରେଳଷ୍ଟେସନ, ବସଷ୍ଟାଣ୍ଡ, ଜନଗହଳିପୂର୍ଣ୍ଣ ସ୍ଥାନରେ ଯାଞ୍ଚ କାର୍ଯ୍ୟ କଡ଼ା କରାଯାଇଛି। ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ ତୀକ୍ଷ୍ନ ନଜର ରଖାଯାଇଛି। କୋଭିଡ ନିୟମ ପାଳନ କରିବାକୁ ପୁରୀବାସୀଙ୍କୁ ପରାମର୍ଶ ଦିଆଯାଇଛି।

କୋଭିଡ ସଂକ୍ରମଣ ରୋକିବା ଉଦ୍ଦେଶ୍ୟରେ ସ୍ଵର୍ଗଦ୍ଵାରରେ ଶବଦାହ ଉପରେ କଟକଣା ଲାଗୁ କରାଯାଇଛି। ଏହା ସହ ଜଗନ୍ନାଥ ମନ୍ଦିର ଆସନ୍ତା ୧୦ରୁ ୩୧ ତାରିଖ ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ପୁରୀରେ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହିପରି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ପୁରୀ ଉପଜିଲ୍ଲାପାଳ କହିଛନ୍ତି।

LEAVE A REPLY

Please enter your comment!
Please enter your name here