ଡକ୍ଟର ରବି ନାରାୟଣ ମିଶ୍ର

 ‘ସଞ୍ଜୟ ଉବାଚ’ ଡକ୍ଟର ରବି ନାରାୟଣ ମିଶ୍ରଙ୍କ ଲିଖିତ ଓଡ଼ିଶାଲାଇଭରେ ପ୍ରକାଶିତ ଏକ ନିୟମିତ ସ୍ତମ୍ଭ। ଏଥିରେ ଡକ୍ଟର ମିଶ୍ର  ବିଭିନ୍ନ ସାମାଜିକ ଓ ଅର୍ଥନୈତିକ ପ୍ରସଙ୍ଗରେ ନିଜର ଦୃଷ୍ଟିଭଙ୍ଗୀ ଉପସ୍ଥାପନ କରୁଛନ୍ତି।

ଭାଗ -୧

ହଁ ଆଜ୍ଞା! ମୁଁ ସେଇ ସଞ୍ଜୟ କହୁଛି। ନୟନ ବିହୀନ ମହାରାଜ ଧୃତରାଷ୍ଟ୍ରର ନୟନ। ମହାଭାରତ ଯୁଦ୍ଧର ପ୍ରତିଟି ଘଟଣାର ସାକ୍ଷୀ। କିଛିଟିର ମୁକ ସାକ୍ଷୀ ବି। ସେ କାଳର ପରିସ୍ଥିତିକୁ ଦେଖି ମୁଁ ମୁହଁ ଖୋଲି ନଥିଲି। ମୋ ନିଜର ମତ ଜଣାଇ ନଥିଲି। ନୟନ ଓ ବିବେକ ରହିତ ମହାରାଜ ଧୃତରାଷ୍ଟ୍ର ମୋ’ଠୁ ଆଖି ଦେଖା ଖବର ଚାହୁଁଥିଲେ, ମୋ ବ୍ୟକ୍ତିଗତ ମତ ନୁହେଁ। ଏ ଭିତରେ ଯୁଗ ବିତିଗଲାଣି। ଭାବିଲି ଡେରିରେ ହେଲେ ହେଉ, ଏବେ ମୋ ମନର କଥା ବଖାଣିବି। ମୁଁ ଏଇଲେ ବୁଝୁଛି, ମାତା ଗାନ୍ଧାରୀ ନିଜ ଆଖି ଉପରେ ପଟି ବାନ୍ଧି ଦେଇଥିଲେ କାହିଁକି?

ସେ ଜାଣିଥିଲେ ବୋଧେ ଆଗକୁ କ’ଣ ହେବାକୁ ଯାଉଛି। ନା ଚୁପ୍‌ ରହି ହେବ ନା ଚାହିଁଲେ କିଛି କହିହେବ। ତେଣୁ ନଦେଖି, ନଶୁଣି ଛାତିରେ ପଥର ରଖି ରହି ଯିବା ହିଁ ତାଙ୍କ ଆଗରେ ଥିଲା ଏକମାତ୍ର ବାଟ।

ଏବେ ବି ମୁଁ ବୁଝିପାରୁନି ସତୀ ନାରୀର ପ୍ରତୀକ ଦେବୀ ଦ୍ରୌପଦୀଙ୍କୁ କେଉଁ ହକ୍‌ରେ ତାଙ୍କ ସ୍ୱାମୀମାନେ ବାଜିରେ ଲଗାଇଲେ? ଏବଂ ହାରିଲେ? ସ୍ତ୍ରୀର ବସ୍ତ୍ରହରଣ ଦୃଶ୍ୟକୁ ଦେଖି ନ ଦେଖିଲା ଭଳି ବସି ରହିଲେ? ପୁରୁଷ ଓ ନାରୀ – ପତି ଓ ପତ୍ନୀର ସେଇ ଅଶୌରିକ ସମ୍ପର୍କ ତାଙ୍କ ଜ୍ଞାନର ପରିସୀମା ବାହାରେ କେମିତି ଥିଲା? ‘ଆଦାମ’ ଓ ‘ଇଭ୍‌’ର କାହାଣୀ କ’ଣ ସେ ଶୁଣି ନଥିଲେ? ପତ୍ନୀ ଯେ ପତିର ଅଧା ଅଙ୍ଗ ବୋଲି ତାଙ୍କୁ ଧାରଣା ନଥିଲା? ମୋ ପାଇଁ ସେଇଟା ଥିଲା ନାରୀ ଜାତିର ଅବମାନନା ଇତିହାସର ପ୍ରଥମ ଅଧ୍ୟାୟ। ମୁଁ ମନେ ମନେ ରକ୍ତ କାନ୍ଦିଥିଲି। କିନ୍ତୁ ମୋ କଥା ମାନିବା ଦୂର କଥା ଶୁଣିବାକୁ ବି କେହି ଆଗ୍ରହୀ ନଥିଲେ।

ଆଜି ବି ନାରୀ ସେଇ ଦୁଃଖରେ ଯିଉଁଛି। ମନ ଉପରେ ଛାଡ଼, ନିଜ ଦେହ ଉପରେ ବି ତା’ର ଅଧିକାର ନାହିଁ। ଯାହାକି ସେ ନଅ ମାସ ଗର୍ଭରେ ରଖି ଏତେ କଷ୍ଟ ପାଇ ସଂସାରକୁ ଆଣୁଛି – ସେଇ ପୁରୁଷ ବି ଦୁଃଶାସନ ସାଜୁଛି। ତା’ ମନ ଭିତରର ସେଇ ସାଇତା ଜ୍ୱାଳା, ଟିକିଏ ଇଜ୍ଜତ ପାଇବାର ଅଭିଳାଷା, ମା’ ରୂପ ଦେଖାଇ ପୁରୁଷର ସମ୍ମାନ ଲାଭ କରିବାର ଲାଳସା – କାଇଁ ଏ ପୁରୁଷ ବୁଝିପାରୁଛି? ଦୁଃଶାସନର ଦୈହିକ କାମନାର ରକ୍ତକୁ ଯୁଗ ଯୁଗ ଧରି ପୁରୁଷ ନିଜ ଧମନୀରେ କୋଳେଇ, କାଖେଇ ଚାଲିଛି। ଦ୍ରୌପଦୀର ଲୁହ ତା’ ପାଇଁ ଏବେ ବି ମନୋରଞ୍ଜନର ଏକ ସାମଗ୍ରୀ। ତେବେ ବି ନିଜର ଇଜ୍ଜତ ଢାଙ୍କିବାବୁ ଦ୍ରୌପଦୀକୁ ଈଶ୍ୱରଙ୍କ ସାହା ମାଗିବାକୁ ପଡ଼ିଥିଲା। ଏବେ ବି ରାଜରାସ୍ତାରେ ଅର୍ଦ୍ଧନଗ୍ନ ନାରୀ, ଅସଂଯତ କେଶ, ପୁରା ଖାଲି ହାତ/ବେକ ନେଇ ବିକଳ ହୋଇ ଲୁହ ଗଡ଼ାଉଛି। ନିଜକୁ ପେଟର ଭୋକ ଏବଂ ପୁରୁଷର କାମନା ନିଆଁରୁ ବଞ୍ଚାଇ ରଖିବା ପାଇଁ।

ସେତେବେଳେ ରାଜ ରାଜୁଡ଼ା ଥିଲା। ରାଜା ଥିଲେ ଅକଲରେ ଅନ୍ଧ। ଖାଲି ଅତ୍ୟାଚାର କରି ଶିଖିଥିଲେ। କିନ୍ତୁ ଏବେ? ୭୫ ବର୍ଷ ହୋଇଗଲାଣି, ଆମେ କୁଆଡ଼େ ସ୍ୱାଧୀନ ଭାରତ ଗର୍ବୀତ ସନ୍ତାନ। କିନ୍ତୁ ସ୍ୱାଧୀନତା କ’ଣ କେବଳ ପୁରୁଷଙ୍କୁ ମିଳିଲା। ଦୁଃଶାସନର ବଂଶକୁ ଆଗେ ବଢ଼ାଇବାକୁ? ଦ୍ରୌପଦୀକୁ ତେବେ ଲୁଗା ଖଣ୍ଡେ ଯାଚିବାକୁ ଈଶ୍ୱରଙ୍କ ଛଡ଼ା ଏବେ ବି ଆଉ କେହି ନାହିଁ?

ଟ୍ରାଫିକ ଛକ ଆଡ଼କୁ ଟିକିଏ ଆଖି ପକାନ୍ତୁ। ଶୁଖା ଥନ ମୁଣ୍ଡିରେ ହାଡ଼ ଗଣି ହୋଇଯାଉଥିବା କୁନି ଝିଅଟାର ପାଟିଟାକୁ ମାଡ଼ି ଦେଇ ଲଙ୍ଗଳା ମୁତରା ହୋଇ ହାତ ପତାଉ ଥାଏ ନାରୀ ଏବେବି।

ଆମ ପୁରାଣ କୁଆଡ଼େ ଆମକୁ ପିଲାବେଳୁ ଶିଖାଇଛି – ନାରୀ ଶକ୍ତି ହିଁ ମହିଷାସୁରର ମରଣର କାରଣ ହୋଇଥିଲା। ନାରୀ ଆଜି ବି ସେଇ ଦୁର୍ଗାର ରୂପକୁ ସ୍ୱପ୍ନରେ ଦେଖି ଦେଖି ମନ ମାରି ଶୋଉଛି। ପୁରୁଷ ତ କାଇଁ ମହିଷାସୁରର ପତନର ସେ ହୃଦୟ ଚିରା ଦୃଶ୍ୟକୁ ମନେ ପକାଇ ଡରୁନି? ଏଇ ପ୍ରଶ୍ନ ହିଁ ନାରୀ ପାଇଁ ଏ ଯାଏ ଅବୁଝା ରହିଛି। ଜନସଂଖ୍ୟାର ଅଧା ଥାଇ ବି, ମା’ ଭଉଣୀ, ପତ୍ନୀର ସମସ୍ତ ଦାୟିତ୍ୱ ତୁଲାଇ କରିବି, ତା’ ଶାଢ଼ୀ କାନି ଏବେ ବି ଏତେ ଛୋଟ ଯେ ଲୁହ ପୋଛିବାକୁ ତା’ ଆଖି ତକ ପହଁଚିପାରୁନି।half brunt women

ଏବେ କୁଆଡ଼େ ମହିଳା ବିକାଶ କାର୍ଯ୍ୟକ୍ରମ ବହୁତ ଜୋର୍‌ ଧରିଛି। ଗାଁ ଗହଳ, ସହର ସବୁଠି ଚର୍ଚ୍ଚାର ବିଷୟ ହୋଇଛି? ଆରକ୍ଷଣ ଦେଇ ନାରୀକୁ ଶାସନର ଚଉକିରେ ବସିବାକୁ ଦିଆଯାଉଛି? ନିଜେ ସ୍ୱାବଲମ୍ବଶୀଳା ହେବା ପାଇଁ ଅର୍ଥ ଏବଂ ସମ୍ବଳ ଯୋଗାଇ ଦିଆଯାଉଛି? ଝିଅମାନଙ୍କ ଶିକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି। ମା’ ପେଟରେ କୁନି ଝିଅକୁ ବଞ୍ଚାଇବାର କାନୁନ ତିଆରି ହୋଇଛି? ପୁଅ ଓ ଝିଅ ଭିତରେ ଫରକ କରାଯାଉନାହିଁ? ଯଦି, ଏସବୁ ହେଉଛି, ତେବେ ମହିଳାଙ୍କ ଉପରେ ଅତ୍ୟାଚାର କାହିଁକି କମୁନି? କାହିଁକି ଏବେ ବି ପ୍ରତିଟି ନାରୀ ନିଜ ଦେହ ଢାଙ୍କିବାକୁ ବି ଅକ୍ଷମା? ତାକୁ ରୋଷେଇ ଘରେ ଛୁପେଇ ତା’ କ୍ଷମତା ଭାର ‘‘ସରପଞ୍ଚ -ପତି’’ ଉପଭୋଗ କରୁଛି? ପ୍ରତି ମୁହୂର୍ତ୍ତରେ ନାଳ ଭିତରୁ ସଦ୍ୟ ଜନ୍ମା ଶିଶୁ କନ୍ୟା କାହିଁକି ମିଳୁଛନ୍ତି? ଆଉ ପ୍ରତିଟି କ୍ଷଣରେ ‘ନିର୍ଭୟା’ ମାନେ ନିଜର ସଂଖ୍ୟା ବଢ଼ାଇ ଚାଲିଛନ୍ତି।

ନାରୀ ସଶକ୍ତିକରଣ ଯୋଜନା ସବୁରେ ରାଜସ୍ୱ ଧନ ଯଦି ପାଣି ପରି ବହି ଚାଲିଛି, ତେବେ ନାରୀର ମୂଲ୍ୟ ଏବେ ବି ତା’ ରୂପ ଦେଖି ଆକଳନ କରାଯାଉଛି କାହିଁକି? କାହିଁକି ତା’ବୁଦ୍ଧି ବିବେକର ଅନ୍ଦାଜ କାହାକୁ ହେଉନି। କାହିଁକି ଏବେ ବି ସେ ନିଜ ଇଜତ ଢାଙ୍କିବାକୁ ସକ୍ଷମ ନୁହେଁ। ଯେଉଁ ସମାଜର ସ୍ଥିତି ଏବେ ବି ଏମିତି ତାକୁ ଆମେ ଏକ ସଭ୍ୟ ଓ ସମୃଦ୍ଧ ଜାତି ବା ଦେଶ କହିପାରିବା କି?

ଆଉ ମୁଁ ହତଭାଗା ସଞ୍ଜୟ ଏବେ ବି ସବୁ ଜାଣି କିଛି ନ ଜାଣିବାର ଅଭିନୟ କରୁଛି। ମୋ ଆଖି ଉପରେ ନା ଗାନ୍ଧାରୀ ମାତାଙ୍କ ପଟ ଚଢ଼ିଛି ନା ଧ୍ରୁତରାଷ୍ଟ୍ରଙ୍କ ଭଳି ନେତ୍ରହୀନ। ସେ ଯୁଗେ ଯାହା ଦେଖୁଥିଲି, ତାହା ବଖାଣୁଥିଲି। ଆଜି ବି ସେଇୟା କରୁଛି। ଦୁର୍ଯୋଧନର ଭୟରେ ବୋଧ ହୁଏ

(ଲେଖକ ହେଉଛନ୍ତି ଜଣେ ଅର୍ଥନୀତିଜ୍ଞ ଓ ସମାଜ ସୁଧାରକ। ଏବେ ଭାରତୀୟ ରିର୍ଜଭ ବ୍ୟାଙ୍କର ‘କଲେଜ୍‌ ଅଫ୍‌ ସୁପରଭାଇଜର୍ସ’ର ନିର୍ଦ୍ଦେଶକ ଅଛନ୍ତି। ପୂର୍ବରୁ ସେ ଆରବିଆଇରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିଲେ। ମତାମତ ନିଜସ୍ୱ)

Comment