ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ଜିଲ୍ଲା ହସ୍ପିଟାଲରେ ଜନ୍ମିତ ଶିଶୁପୁତ୍ରକୁ ନିଖୋଜ ହେବାର ୭ ଦିନ ପରେ ଭୁବନେଶ୍ୱରରୁ ଉଦ୍ଧାର କରାଯାଇଛି। ଉଦ୍ଧାର ଶିଶୁକୁ ଚିକିତ୍ସା ପାଇଁ ବର୍ତ୍ତମାନ ଜିଲ୍ଲା ଡାକ୍ତରଖାନାରେ ରଖାଯାଇଛି। ନବଜାତ ଶିଶୁ ନୟାଗଡ଼ରୁ ଭୁବନେଶ୍ୱର କେମିତି ପହଞ୍ଚିଲା ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଶିଶୁପତ୍ରକୁ ଭୁବନେଶ୍ୱରରୁ ପୋଲିସ୍ କାହାପାଖରୁ ଉଦ୍ଧାର କରିଛି ସେ ସମ୍ପର୍କରେ କୌଣସି ସୂଚନା ମଧ୍ୟ ନାହିଁ। ସନ୍ଦେହ ଘେରରେ ରହିଥିବା ଏହି ଘଟଣାକୁ ଚାପି ଦେବାକୁ ଉଦ୍ୟମ କରାଯାଉଥିବା ସାଧାରଣରେ ଅଭିଯୋଗ ହେଉଛି।

ନୟାଗଡ଼ ବ୍ଲକ ନୋତର ଗାଁର ରବିନ୍ଦ୍ର କୁମାର ସ୍ୱାଇଁଙ୍କ ପତ୍ନୀ ଗତ ଜାନୁୟାରୀ ୨୮ ତାରିଖରେ ନୟାଗଡ଼ ଜିଲ୍ଲା ହସ୍ପିଟାଲରେ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। କିଛି ସମୟ ପରେ ରବିନ୍ଦ୍ର ସ୍ୱାଇଁଙ୍କ ପୁଅ ନିଖୋଜ ହୋଇଯାଇଥିଲା। ବହୁ ଖୋଜାଖୋଜି ପରେ ମଧ୍ୟ ପୁଅକୁ ପାଇନଥିଲେ ବାପା ମା’।

ଘଟଣା ସମ୍ପର୍କରେ ସ୍ଥାନୀୟ ଆଶାକର୍ମୀ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏବଂ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କୁ ଜଣାଇଥିଲେ। ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ କରି ଗତ ଗୁରୁବାର ଭୁବନେଶ୍ୱରରୁ ଶିଶୁପୁତ୍ରକୁ ଉଦ୍ଧାର କରି ନୟାଗଡ଼ ଜିଲ୍ଲା ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କରିଥିଲା। ଘଟଣା ସମ୍ପର୍କରେ ଶିଶୁର ବାପା ମା’ଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ରବିନ୍ଦ୍ର ସ୍ୱାଇଁଙ୍କର ପୂର୍ବରୁ ଦୁଇ ଜଣ ସନ୍ତାନ ଅଛନ୍ତି। ରବିନ୍ଦ୍ର ଗରିବ ଶ୍ରେଣୀର ହୋଥିବାରୁ ଅଭାବ ଅନଟନରେ ତାଙ୍କର ଦିନ କଟେ। ତୃତୀୟ ସନ୍ତାନ ଜନ୍ମ ହେବାର କିଛି ଘଣ୍ଟା ମଧ୍ୟରେ ଡାକ୍ତରଖାନା ପରିସରରୁ ଆଖି ପିଛୁଳାକେ ଗାଏବ ହୋଇଯିବା ଘଟଣା ଏବେ ସନ୍ଦେହ ଘେରରେ ରହିଛି। ଏହି ନିଖୋଜ ଘଟଣାରେ ଶିଶୁପୁତ୍ରର ବାପା ମା’ ଓ ଜଣେ ଷ୍ଟାଫ ନର୍ସଙ୍କ ସମ୍ପର୍କୀୟ ସମ୍ପୃକ୍ତ ରହିଥିବା ଅଭିଯୋଗ ହେଉଛି। ତେବେ ଘଟଣାର ତଦନ୍ତ ପରେ ସମସ୍ତ ସତ୍ୟାସତ ସାମ୍ନାକୁ ଆସିବ ବୋଲି କୁହାଯାଉଛି।

LEAVE A REPLY

Please enter your comment!
Please enter your name here