ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ଷ ବର୍ଷ ଧରି ଭୁବନେଶ୍ଵର ୟୁନିଟ ୧ରେ ଚାଲିଆସୁଥିବା ହୋଲସେଲ ପରିବା ହାଟର ଠିକଣା ବଦଳିବାକୁ ଯାଉଛି। ୟୁନିଟ ୧ରୁ ଏହି ପରିବା ହାଟକୁ ଭୁବନେଶ୍ଵର ଉପକଣ୍ଠସ୍ଥିତ ଭଗବାନପୁରକୁ ସ୍ଥାନାନ୍ତର କରାଯିବ। ଏଥିପାଇଁ ୧୦ ଏକର ଜାଗା ଚିହ୍ନଟ ହୋଇଛି। ଗୁରୁବାର ଭୁବନେଶ୍ଵର ମହାନଗର ନିଗମ(ବିଏମସି) କାର୍ଯ୍ୟାଳୟରେ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ବସି ଏହି ନିଷ୍ପତ୍ତି ହୋଇଛି। ଜନଗହଳିପୂର୍ଣ୍ଣ ସ୍ଥାନରୁ ଭିଡ଼ କମାଇବା ଏବଂ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ବିଏମସି ପକ୍ଷରୁ କୁହାଯାଇଛି। ବିଏମସିର ଏହି ନଷ୍ପତ୍ତିକୁ ୟୁନିଟ ୧ କଞ୍ଚା ପରିବା ବ୍ୟବସାୟୀ ମହାସଂଘ ସ୍ଵାଗତ କରିଛି।

ଦୀର୍ଘ ବର୍ଷ ହେଲା ୪ ଏକର ଜାଗାରେ ୟୁନିଟ ୧ରେ ପରିବା ବ୍ୟବସାୟ ଚାଲିଆସୁଛି। ଏଠାରେ ପ୍ରାୟ ୪୯ ଜଣ ହୋଲସେଲର ରହିଛନ୍ତି। ପ୍ରତିଦିନ ପନିପରିବା କିଣିବାକୁ ଏଠାକୁ ଭୁବନେଶ୍ଵରର ବିଭିନ୍ନ ଅଞ୍ଚଳରୁ ଲୋକଙ୍କ ଭିଡ଼ ଜମେ। ପ୍ରତିଦିନ ଏଠାକୁ ୨୦୦ରୁ ଅଧିକ ପରିବା ଟ୍ରକ୍ ମଧ୍ୟ ଆସିଥାଏ। ଫଳରେ ଏହି ଅଞ୍ଚଳରେ ଟ୍ରାଫିକ୍ ସମସ୍ୟା ଯୋଗୁଁ ସାଧାରଣ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ସହର ମଝିରେ ଭିଡ଼ ନିୟନ୍ତ୍ରଣ କରିବାକୁ ବିଏମସି ପକ୍ଷରୁ ୧ ନମ୍ବର ପରିବା ହାଟକୁ ସ୍ଥାନାନ୍ତର କରିବାକୁ ନୋଟିସ ଜାରି କରାଯାଇଥିଲା।

ଏହାର ପ୍ରତିବାଦ କରି ୨୦୦୭ ମସିହାରେ କଞ୍ଚା ପରିବା ବ୍ୟବସାୟୀ ମହାସଂଘ ଉଚ୍ଚ ନ୍ୟାୟାଳୟଙ୍କ ଦ୍ଵାରସ୍ଥ ହୋଇଥିଲା। ହାଟ ସ୍ଥାନାନ୍ତର ପାଇଁ ସଂଘ ପକ୍ଷରୁ କେତୋଟି ସର୍ତ ରଖାଯାଇଥିଲା। ଏହି ସର୍ତ୍ତ ଗୁଡ଼ିକ ହେଲା ୧୦ ଏକର ଜମି ସହ ରାସ୍ତା, ପାଣି ଏବଂ ବିଜୁଳି ଆଦି ସମସ୍ତ ଆବଶ୍ୟକୀୟ ସୁବିଧା କରିବା। ବ୍ୟବସାୟୀ ମହାସଂଘର ସର୍ତ୍ତ ଅନୁଯାୟୀ ବିଏମସି ପକ୍ଷରୁ ହୋଇଥିବା ମାର୍କେଟ ସ୍ଥାନାନ୍ତର ନିଷ୍ପତ୍ତିକୁ ଆମେ ସ୍ଵାଗତ କରୁଛୁ ବୋଲି କହିଛନ୍ତି କଞ୍ଚା ପରିବା ବ୍ୟବସାୟୀ ମହାସଂଘ ସଭାପତି।

“ପରିବା ହାଟ ଯୋଗୁଁ ଭୁବନେଶ୍ଵରର ପ୍ରମୁଖ ସ୍ଥାନ ୟୁନିଟ ୧ରେ ଭିଡ଼ ଯୋଗୁଁ ସାଧାରଣ ଲୋକ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସହର ମଧ୍ୟରୁ ଭିଡ଼ କମାଇବା ପାଇଁ ଏଠାରୁ ପରିବା ହାଟକୁ ସ୍ଥାନାନ୍ତର କରିବାକୁ ଭଗବାନପୁରରେ ସ୍ଥାନ ଚିହ୍ନଟ କରାଯାଇଛି। ସମସ୍ତ ବ୍ୟବସ୍ଥା କରାଯିବା ପରେ ପରିବା ହାଟକୁ ସ୍ଥାନାନ୍ତର କରାଯିବ”, କହିଛନ୍ତି ବିଏମସି ଅତିରିକ୍ତ କମିଶନର ବିନୟ କୁମାର ଦାସ।

LEAVE A REPLY

Please enter your comment!
Please enter your name here