ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶିବ ଶଙ୍କର ନାୟକ। ଭୁବନେଶ୍ୱରରେ ‘କମ୍ପିଟେଟିଭ୍‌ ଚାଏଓ୍ୱାଲା’ରେ ନାଁରେ ତାଙ୍କୁ ଜାଣନ୍ତି ଲୋକେ। ଶିବଙ୍କ ଚା’ଷ୍ଟଲର ନାଁ ଯେମିତି ନିଆରା ତାଙ୍କ ଚା’ ମଧ୍ୟ ସେମିତି ନିଆରା। କାରଣ ଏଠାରେ ଆପଣ ଚା’ ତ ପିଇବେ ତା’ସାଙ୍ଗରେ କପ୍‌ ମଧ୍ୟ ଖାଇପାରିବେ।

ଭୁବନେଶ୍ୱରର ବୁଦ୍ଧ ଜୟନ୍ତୀ ପାର୍କରେ ନିକଟରେ ରହିଛି ଶିବଙ୍କ ଏହି ଚା’ ଷ୍ଟଲ। ବିସ୍କୁଟ୍‌ କପ୍‌ରେ ଚକଲେଟ୍‌ ସିରପ୍‌ ଦେଇ ଗ୍ରାହକଙ୍କ ହାତକୁ ଚା’ କପ୍‌ ବଢ଼ାଇ ଦେଉଛନ୍ତି ସେ। ଭୁବନେଶ୍ୱରରେ ପ୍ରଥମ କରି ଏଭଳି ଚା’ ମିଳୁଥିବାରୁ ପ୍ରତିଦିନ ସନ୍ଧ୍ୟାରେ ଶିବଙ୍କ ଦୋକାନରେ ଜମୁଛି ଭିଡ଼।

୨୫ ବର୍ଷୀୟ ଶିବ ଶଙ୍କରଙ୍କ ଘର ବ୍ରହ୍ମପୁରରେ୨୦୧୮ରେ ଦିଗପହଣ୍ଡିର ଖେମୁଣ୍ଡି କଲେଜରୁ ଗ୍ରାଜୁଏସନ୍‌ ପାସ୍‌ କରିଥିଲେ। ଗ୍ରାଜୁଲସନ ପରେ କମ୍ପିଟେଟିଭ ପରୀକ୍ଷା ଲାଗି ପ୍ରସ୍ତୁତ ହେବାକୁ ରାଜଧାନୀ ଭୁବନେଶ୍ୱର ଆସିଥିଲେ। ଆସିବାର କିଛି ଦିନ ପରେ କରୋନା ଆସିବାରୁ ସେ ପୁଣି ଘରକୁ ଚାଲି ଯାଇଥିଲେ। ସେହି ସମୟରେ ଏହି ଚା’ ଷ୍ଟଲ କଥା ତାଙ୍କ ମନକୁ ଆସିଥିଲା।

‘‘ଭୁବନେଶ୍ୱରରେ ରହିବାକୁ ଟଙ୍କା ଦରକାର। କିନ୍ତୁ ମୁଁ ବାପାଙ୍କଠାରୁ ଆଣିବାକୁ ଚାହୁଁନଥିଲି। ସେଥିପାଇଁ ନିଜେ କିଛି କରିବି ବୋଲି ଭାବିଲି। ୟୁଟ୍ୟୁବରେ ଏମବିଏ ଚାଏଓ୍ୱାଲାଙ୍କୁ ଦେଖି ମୁଁ ଅନୁପ୍ରାଣୀତ ହେଲି। ଭୁବନେଶ୍ୱରରେ ଆସି ଏହି ଚା’ ଷ୍ଟଲ ଖୋଲିଲି’’, କହନ୍ତି ଶିବଶଙ୍କର।

ଏବେ ବଜାରରେ ଭିନ୍ନ ଭିନ୍ନ ସ୍ୱାଦରୁ ଚା’ମିଳୁଥିବାରୁ ଚା’ପ୍ରତି ଲୋକଙ୍କ ଆଦର ବଢ଼ିଛି। ସେଥିପାଇଁ ଗାଁରୁ ନେଇ ସହର ଯାଏଁ ପ୍ରତି ଗଳି, ଛକଠୁ ଆରମ୍ଭ କରି ରେଳଷ୍ଟେସନ, ବସ୍‌ଷ୍ଟାଣ୍ଡ ସବୁଠି ଦେଖିବାକୁ ମିଳୁଛି ଚା’ ଷ୍ଟଲ। କିଏ ମସଲା ଚା’ ଦେଉଛି ତ ଆଉ କିଏ ଲେମନ୍‌ ଟି ଦେଇ ଗ୍ରାହକଙ୍କୁ ଆକୃଷ୍ଟ କରୁଛି। କିନ୍ତୁ ରାଜଧାନୀ ଭୁବନେଶ୍ୱରରେ ଶିବଙ୍କ ବିସ୍କୁଟ କପ୍‌ରେ ଚା’ ଗ୍ରାହକଙ୍କୁ ଭିନ୍ନ ଭାବେ ଆକର୍ଷିତ କରୁଛି।

ପ୍ରଥମେ ଶିବ ତାଙ୍କ ସାଙ୍ଗମାନଙ୍କଠାରୁ ୨୫ ହଜାର ଟଙ୍କା ଧାର ନେଇ ତାମିଲନାଡୁରୁ ବିସ୍କୁଟ କପ୍‌ ମଗାଇ ଚା’ ଦୋକାନ ଖୋଲିଲେ। ନିଜେ ପାଠ ପଢ଼ିବା ସହିତ ବ୍ୟବସାୟ କରୁଥିବାରୁ ଶିବଙ୍କ ଷ୍ଟଲର ନାଁ ରଖିଲେ ‘କମ୍ପିଟେଟିଭ ଚାଏଓ୍ୱାଲା’।

‘‘ମୋର ଆଗକୁ ଗୋଟିଏ ଭଲ ଚାକିରି କରିବାକୁ ଲକ୍ଷ୍ୟ ରହିଛି। ସେଥିପାଇଁ ମୁଁ କଠିନ ପରିଶ୍ରମ କରୁଛି। ମୋ ପରିବାର ଲୋକ ମଧ୍ୟ ମତେ ବେଶ୍‌ ସମର୍ଥନ କରିଛନ୍ତି। ଆଗାମୀ ଦିନରେ ମୁଁ ଚାକିରି କଲେ ବି ଏହି ଚା’ଷ୍ଟଲକୁ ଏକ ବଡ଼ ବ୍ୟବସାୟରେ ପରିଣତ କରିବାକୁ ଚେଷ୍ଟା ଜାରି ରଖିବି’’, କହନ୍ତି ଶିବ ଶଙ୍କର।

ଏବେ ଶିବ ଦିନ ବେଳା ପାଠ ପଢ଼ୁଥିବା ବେଳେ ୪ଟା ବାଜିଲେ ବେପାରକୁ ବାହାରି ପଡ଼ୁଛନ୍ତି ସେ। ତାଙ୍କର ଏହି ପ୍ରଚେଷ୍ଟା ଯୋଗୁଁ ଅନେକ ପିଲାଙ୍କ ପାଇଁ ଆଜି ଉଦାହରଣ ପାଲଟିଛନ୍ତି ଶିବ।

ଶିବ ଶଙ୍କର କେବଳ ନିଆରା ଚା’ ଦେଉନାହାନ୍ତି ବରଂ ତାଙ୍କ ଷ୍ଟଲ ପରିବେଶ ସୁରକ୍ଷାର ବାର୍ତ୍ତା ଦେଉଛି। କାରଣ ପ୍ଲାଷ୍ଟିକ ଓ କାଗଜ କପ୍‌ ପରିବେଶ ପାଇଁ କ୍ଷତିକାରକ ହେଉଥିଲା ବେଳେ ଶିବଙ୍କ ବିସ୍କୁଟ କପ୍‌ରେ ଚା’ କୁ ଗ୍ରାହକ ଅଧିକ ପସନ୍ଦ କରୁଛନ୍ତି।

Comment