ଓଡ଼ିଶାଲାଇଭ୍ ବ୍ୟୁରୋ

ସେନ ୱାର୍ଣ୍ଣ ଏବଂ ବଲ୍ ମଧ୍ୟରେ ରହିଥିବା ନିଆରା ତାଳମେଳ ତାଙ୍କୁ ବିଶ୍ୱରେ ସ୍ଵତନ୍ତ୍ର ପରିଚୟ ଦେଇଥିଲା। ଘାତକ ବୋଲିଂ ପାଇଁ ତାଙ୍କୁ ‘କିଙ୍ଗ ଅଫ୍ ସ୍ପିନ’ କୁହାଯାଉଥିଲା। ସେନ ୱାର୍ଣ୍ଣଙ୍କ ବଲ ଆଗରେ ଚିନ୍ତାରେ ପଡ଼ିଯାଉଥିଲେ ବଡ଼ ବଡ଼ ବ୍ୟାଟ୍ସମ୍ୟାନ।

ଯାଦୁଗର ସ୍ପିନ ବୋଲର ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ସେନ ଓ୍ଵାର୍ଣ୍ଣଙ୍କର ୫୨ ବର୍ଷ ବୟସରେ ହୃଦଘାତରେ ବିୟୋଗ ହୋଇଛି। ଅଷ୍ଟ୍ରେଲିଆର ଭିକ୍ଟୋରିଆଠାରେ ୧୯୬୯ ସେପ୍ଟେମ୍ବର ୧୩ରେ ଜନ୍ମ ହୋଇଥିଲେ ସେନ୍ ୱାର୍ଣ୍ଣ। ସେନ୍ ୱାର୍ଣ୍ଣ ୧୯୯୨ ମସିହାରେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ। ୧୯ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ ଜୀବନରେ ୱାର୍ଣ୍ଣ ଏବଂ ବଲ୍ ମଧ୍ୟରେ ରହିଥିବା ନିଆର ତାଳମେଳ ତାଙ୍କୁ ବିଶ୍ୱରେ ସ୍ଵତନ୍ତ୍ର ପରିଚୟ ଦେଇଥିଲା।

କ୍ରିକେଟର ସବୁ ଫର୍ମାଟରେ ତାଙ୍କର ପାରଙ୍ଗମତା ସମସ୍ତଙ୍କୁ ଚକିତ କରୁଥିଲା। ବଡ଼ ବଡ଼ ବ୍ୟାଟ୍ସମ୍ୟାନ ତାଙ୍କ ବଲ ଆଗରେ ଚିନ୍ତାରେ ପଡ଼ିଯାଉଥିଲେ। ତାଙ୍କୁ ବିଶ୍ଵର ଶ୍ରେଷ୍ଠ ସ୍ପିନ ବୋଲର ମଧ୍ୟ କୁହାଯାଉଥିଲା। ୨୦୦୭ରେ ଶେଷ ଥର ପାଇଁ ସେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ଇଂଲଣ୍ଡ କ୍ରିକେଟ ଟିମର ମୁଖ୍ୟ କୋଚ୍ ହେବାକୁ ଆଶା ରଖିଥିଲେ ୱାର୍ଣ୍ଣ। କିଛି ଦିନ ପୂର୍ବରୁ ସେ ଏହି ଆଶା ବ୍ୟକ୍ତ କରିଥିଲେ। କିନ୍ତୁ ତାଙ୍କର ଏହି ସ୍ୱପ୍ନ ଅଧୁରା ରହିଗଲା।

ଓ୍ଵାର୍ଣ୍ଣଙ୍କ ନିଆରା ଅନ୍ଦାଜ

ଉଭୟ ଟେଷ୍ଟ ଓ ଦିନିକିଆରେ ମୋଟ ୧,୦୦୧ ୱିକେଟ ନେଇ ରେକର୍ଡ କରିଥିଲେ ସେନ ୱାର୍ଣ୍ଣ। ଯେତେବେଳେ ସେନ ୱାର୍ଣ୍ଣ ବଲ ଧରି ବ୍ୟାଟ୍ସମ୍ୟାନଙ୍କ ଆଗରେ ଛିଡ଼ା ହେଉଥିଲେ ସେତେବେଳେ ବଡ଼ ବଡ଼ ବ୍ୟାଟ୍ସମ୍ୟାନଙ୍କ ଚିନ୍ତା ବଢ଼ିଯାଉଥିଲା। କାରଣ ବଲକୁ ଅଙ୍ଗୁଳିରେ ନଚାଇବାର କଳାରେ ସେ ଥିଲେ ପାରଙ୍ଗମ। ସ୍ପିନ ଯାଦୁଗର ନିଜ ବଲରେ କ୍ଲିନ ବୋଲ୍ଡ କରୁଥିଲେ ବଡ଼ ବଡ଼ ବ୍ୟାଟସ ମ୍ୟାନମାନଙ୍କୁ। ତାଙ୍କୁ ଏବଂ ତାଙ୍କ ବଲକୁ ବୁଝିବା ବ୍ୟାଟ୍ସମ୍ୟାନମାନଙ୍କ ପାଇଁ କାଠିକର ପାଠ ହୋଇପଡୁଥିଲା। ତାଙ୍କର ନିଆରା ସ୍ପିନ ବୋଲିଂ ପାଇଁ ସେ ବିଶ୍ୱ ବିଖ୍ୟାତ ହୋଇପାରି ଥିଲେ।

୧୯୯୩ ମସିହା ‘ଆସେସ ସିରିଜ’ରେ ଇଂଲଣ୍ଡର ମାଇକ ଗେଟିଂଙ୍କୁ ସେ ଯେଉଁ ବଲରେ ଆଉଟ କରିଥିଲେ। ତାହାକୁ ଇତିହାସରେ ସବୁଠାରୁ ଶ୍ରେଷ୍ଠ ବଲ ବୋଲି କୁହାଯାଉଛି। ଏହି ଘଟଣା ପରେ ଓ୍ଵାର୍ଣ୍ଣଙ୍କ କ୍ୟାରିୟର ନୂଆ ମୋଡ଼ ନେଇଥିଲା। ଅଷ୍ଟ୍ରେଲିଆ ପାଇଁ ସେ ଅନେକ ମ୍ୟାଚ ଖେଳି ବଡ଼ ବଡ଼ ବିଜୟ ହାସଲ କରିଛନ୍ତି। ୨୦୦୭ ମସିହାରେ ସେ ଇଂଲଣ୍ଡ ବିପକ୍ଷରେ ଶେଷ ଟେଷ୍ଟ ମ୍ୟାଚ ଖେଳି ଥିଲେ। ୧୯୯୯ ମସିହାରେ ସେ ଅଷ୍ଟ୍ରେଲିଆ ଦଳର ଉପ ଅଧିନାୟକ ହୋଇଥିଲେ। କିନ୍ତୁ ଅଧିନାୟକ ହେବାର ସ୍ୱପ୍ନ ତାଙ୍କର ପୂରଣ ହୋଇପାରି ନଥିଲା।

ଆଇପିଏଲ ଟ୍ରଫି ଜିତିଥିବା ପ୍ରଥମ ବିଦେଶୀ ଖେଳାଳି ସେନ ଓ୍ଵାର୍ଣ୍ଣ

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ସେନ ୱାର୍ଣ୍ଣ ଆଇପିଏଲ ଖେଳି ଥିଲେ। ଆଉ ଆଇପିଏଲ ପ୍ରଥମ ସିଜିନରେ ସେ ରାଜସ୍ଥାନ ରୟାଲ୍ସର କମାଣ ସମ୍ଭାଳିଥିଲେ। ରାଜସ୍ଥାନକୁ ତାଙ୍କ ଅଧିନାୟକତ୍ଵରେ ପ୍ରଥମ ତାଜ ହାସଲ ହୋଇଥିଲା। ସେନ ଓ୍ଵାର୍ଣ୍ଣ ହେଉଛନ୍ତି ପ୍ରଥମ ବିଦେଶୀ ଖେଳାଳି ଯିଏ ଅଧିନାୟକ ଭାବେ ଆଇପିଏଲ ଟ୍ରଫି ଜିତିଥିଲେ।

ସେ ଅଷ୍ଟ୍ରେଲିଆ ପକ୍ଷରୁ ୧୪୫ ଟେଷ୍ଟ ମ୍ୟାଚ ଖେଳିଥିବାବେଳେ ୭୦୮ ୱିକେଟ ନେଇଥିଲେ। ସେହିପରି ୧୯୪ ଦିନିକିଆ ମ୍ୟାଚ ଖେଳି ୨୯୩ ୱିକେଟ ହାସଲ କରିଥିଲେ। କେବଳ ଅନ୍ତର୍ଜାତୀୟ ମ୍ୟାଚ ନୁହେଁ ସେ ଆଇପିଏଲରେ ମଧ୍ୟ ନିଜ ଦବଦବା ବଜାୟ ରଖିଥିଲେ। ଆଇପିଏଲରେ ୫୫ଟି ମ୍ୟାଚ ଖେଳି ସେ ୫୭ ୱିକେଟ ନେଇଥିଲେ।

ବ୍ୟକ୍ତିଗତ ଜୀବନରେ ଦେଖା ଦେଇଥିଲା ବିବାଦ

ସେନ ଓ୍ଵାର୍ଣ୍ଣ ସ୍ପିନ ବୋଲିଂ ପାଇଁ ବିପ୍ଲବ ଆଣି ଥିଲେ ମଧ୍ୟ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବିଭିନ୍ନ ସମୟରେ  ବିବାଦ ମଧ୍ୟରେ ଛନ୍ଦି ହୋଇଥିଲେ। ଉଭୟ ବ୍ୟକ୍ତିଗତ ଏବଂ କ୍ୟାରିୟର କ୍ଷେତ୍ରରେ ଆସିଛି ଅନକେ ସମସ୍ୟା। ଓ୍ଵାର୍ଣ୍ଣ ୭ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିବା ପରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ। ଏହା ପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି।

୨୦୦୩ ମସିହାରେ ତାଙ୍କୁ କ୍ରିକେଟ ଜଗତରୁ ଏକ ବର୍ଷ ପାଇଁ ବାସନ୍ଦ କରାଯାଇଥିଲା। ଖେଳ ପଡ଼ିଆରେ ଖୋଲା ଖୋଲି ଭାବେ ସିଗାରେଟ ଏବଂ ପାନ ଖାଉଥିଲେ। ବେପରୁଆ ଭାବେ ଜୀବନ ବଞ୍ଚିବାକୁ ସେ ବେସ୍ ପସନ୍ଦ କରୁଥିଲେ। ବିବାହିତ ହୋଇଥିଲେ ମଧ୍ୟ ଅନ୍ୟ ଯୁବତୀମାନଙ୍କୁ ନେଇ ଓ୍ଵାର୍ଣ୍ଣ ଚର୍ଚ୍ଚାକୁ ଆସୁଥିଲେ। ଏହାକୁ ନେଇ ତାଙ୍କ ବୈବାହିତ ଜୀବନରେ ଝଡ଼ ମଧ୍ୟ ଉଠିଥିଲା। କିନ୍ତୁ କିଛି ଦିନ ପରେ ସବୁ ଆଗପରି ହୋଇଗଲା ଓ ସେ ତାଙ୍କ ପତ୍ନୀ ଏବଂ ୩ ସନ୍ତାନଙ୍କ ସହ ସୁଖରେ ରହୁଥିଲେ।

Comment