ଓଡ଼ିଶାଲାଇଭ୍ ବ୍ୟୁରୋ

ବିଧାନସଭା ନିର୍ବାଚନ ୨୦୨୨ରେ  ବିପୁଳ ଜନ ସମର୍ଥନ ପାଇଥିବା ଆମ ଆଦମୀ ପାର୍ଟି(ଆପ)ର ଭଗବନ୍ତ ସିଂ ମାନ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଆପ୍‌ର ବିପୁଳ ବିଜୟ ପରେ ପଞ୍ଜାବର ୧୭ତମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଭଗବନ୍ତ ସିଂ ମାନ।

ସହିଦ ଭଗତ ସିଂ ଖଟକରଠାରେ ଶପଥ ଗ୍ରହଣ ଉତ୍ସବ ପାଇଁ ଭବ୍ୟ ସମାରୋହର ଆୟୋଜନ କରାଯାଇଥିଲା। ଶପଥ ଉତ୍ସବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲ ଓ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଯୋଗ ଦେଇଥିଲେ। ପ୍ରଥମେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଭଗବନ୍ତ ସିଂ ମାନ। ଏହା ପରେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀଙ୍କ କ୍ୟାବିନେଟ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ।

ପଞ୍ଜାବର ମୋଟ ୧୧୭ଟି ଆସନରୁ ୯୨ଟି ଆସନରେ ବିଜୟ ଲାଭ କରି ପଞ୍ଜାବରେ ନୂଆ ଇତିହାସ ରଚିଛି ଆମ ଆଦମୀ ପାର୍ଟି। ଆପ୍‌ର ଏହି ବିପୁଳ ବିଜୟ ପାଇଁ ଜନତାଙ୍କୁ ଶ୍ରେୟ ଦେଇଛନ୍ତି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂ ମାନ। ପୂର୍ବରୁ ମାନ ସଂଗରୁର ଆସନରେ ଦୁଇ ଥର ସାଂସଦ ରହିସାରିଛନ୍ତି।

ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଭଗବନ୍ତ ସିଂ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପଞ୍ଜାବର ବିକାଶ ଏବଂ ଜନମଙ୍ଗଳ ପାଇଁ ମିଳିମିଶି କାମ କରିବାକୁ ନୂଆ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଏପଟେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଭଗବନ୍ତ ସିଂ ମାନ କହିଛନ୍ତି “ମୋ ଉପରେ ଆପଣମାନଙ୍କ ଭରସା ଆଜି ମୋତେ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇଛି। ପଞ୍ଜାବ ଏବଂ ପଞ୍ଜାବବାସୀଙ୍କ ବିକାଶ ମୋ ସରକାରର ପ୍ରଥମ ଦାୟିତ୍ଵ ରହିବ। ଯେଉଁମାନେ ମୋତେ ଭୋଟ ଦେଇନାହାନ୍ତି ମୁଁ ସେମାନଙ୍କର ମଧ୍ୟ ସରକାର। ସେମାନଙ୍କ ପାଇଁ ମଧ୍ୟ ମୋର ଦାୟିତ୍ଵ ଏବଂ କର୍ତ୍ତବ୍ୟ ରହିବ”।

Tag: #PanjabElection #PunjabAssemblyElection #AssemblyElection2022 #BhagwantSinghMann #PunjabNewCM #AAP #Congress #PMNarendraModi

LEAVE A REPLY

Please enter your comment!
Please enter your name here