ଓଡ଼ିଶାଲାଇଭ୍ ବ୍ୟୁରୋ

ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲା ତଥା ଏହାର ଆଖପାଖ ଜିଲ୍ଲାର ଜନସାଧାରଣଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ସୁନ୍ଦରଗଡ଼ ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ଆଧୁନିକ ଭିତ୍ତିଭୂମିର ନିର୍ମାଣ କରାଯାଇଛି। ମଙ୍ଗଳବାର ଦିନ ମେଡିକାଲ କଲେଜ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏନ୍ଟିପିସି ପକ୍ଷରୁ ଏହି ଭିତ୍ତିଭୂମିକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯାଇଛି।
ଏନଟିପିସି ଜେନେରାଲ ମ୍ୟାନେଜର ପରେଶ ଗଜଲେୱାର ବିଧିବଦ୍ଧ ଭାବେ ରାଜ୍ୟ ସରକାରଙ୍କୁ ଭିତ୍ତିଭୂମି ହସ୍ତାନ୍ତର କରିଥିଲେ। ସରକାରଙ୍କ ପକ୍ଷରୁ ମେଡିକାଲ କଲେଜ ଡିନ୍ ପ୍ରଫେସର ଡାକ୍ତର ଦୈତାରୀ ରାଉତରାୟ ଏବଂ ପୂର୍ତ୍ତ ଓ ଗୃହ ନିର୍ମାଣ ଅଧୀକ୍ଷଣ ଯନ୍ତ୍ରୀ ନାରାୟଣ ପଟେଲ ଆନୁଷଙ୍ଗିକ କାଗଜପତ୍ର ଓ ମେଡିକାଲ କଲେଜ ହସ୍ପିଟାଲର ଏକ ପ୍ରତିକୃତି ଗ୍ରହଣ କରିଥିଲେ।
ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ଭିତ୍ତିଭୂମିରେ ସବୁ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା ରହିଛି। ମେଡିକାଲ କଲେଜ ପରିସରରେ ପରୀକ୍ଷା ହଲ୍, ଗବେଷଣାଗାର, ସ୍ମାର୍ଟ କ୍ଲାସ୍ ରୁମ୍, ପାଠାଗାର, ରେଷ୍ଟୁରାଣ୍ଟ ଓ କନଫରେନ୍ସ ହଲର ସୁବିଧା ରଖାଯାଇଛି। ସେହିପରି ମେଡିକାଲ କଲେଜ ଡିନ୍ଙ୍କ ପାଇଁ ସ୍ୱତନ୍ତ୍ର ବଙ୍ଗଳା, ସୁପରିଣ୍ଟେଣ୍ଡେଣ୍ଟଙ୍କ ପାଇଁ ବଙ୍ଗଳା, ବିଭାଗୀୟ ମୁଖ୍ୟ ଓ ପ୍ରଫେସରମାନଙ୍କ ପାଇଁ କ୍ୱାର୍ଟର, ଆସୋସିଏଟ୍ ପ୍ରଫେସରଙ୍କ ପାଇଁ କ୍ୱାର୍ଟର, ରେସିଡେଣ୍ଟ ଡାକ୍ତରଙ୍କ ପାଇଁ ହଷ୍ଟେଲ, ଛାତ୍ରଛାତ୍ରୀଙ୍କ ପାଇଁ ପୃଥକ୍ ହଷ୍ଟେଲ, ଅନ୍ୟ କର୍ମଚାରୀଙ୍କ ପାଇଁ କ୍ୱାର୍ଟର ବ୍ୟବସ୍ଥା କରାଯାଇଛି। ଏହାସହ ବିଭିନ୍ନ ବିଭାଗରେ ରୋଗୀମାନଙ୍କୁ ଚିକିତ୍ସା ସେବା ପ୍ରଦାନ କରାଯିବ।
୨୦୧୪ ମସିହାରେ ଏନଟିପିସି ପକ୍ଷରୁ ସୁନ୍ଦରଗଡ଼ଠାରେ ୨୧ ଏକର ଜମିରେ ଏକ ଅତ୍ୟାଧୁନିକ ହସ୍ପିଟାଲ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୨୦୨୧ ମସିହାରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ରାଜ୍ୟ ସରକାର ଗତ ବର୍ଷ ଏହାକୁ ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଭାବରେ ମଞ୍ଜୁରୀ ଦେଇଥିଲେ। ଏହି ମେଡିକାଲ କଲେଜ ପାଇଁ ଡିନ୍ ଓ ଆଡିଶନାଲ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ମଧ୍ୟ ନିଯୁକ୍ତି ମିଳିସାରିଛି।
ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ହସ୍ପିଟାଲ କାର୍ଯ୍ୟକ୍ଷମ ଓ ଏହାର ସୁପରିଚାଳନା ପାଇଁ ଗତ ଏପ୍ରିଲ ୮ ତାରିଖରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ମେଡିକାଲ କଲେଜ ପରିସରରେ ଆୟୋଜିତ ଏହି ବୈଠକରେ ନ୍ୟାସନାଲ ମେଡିକାଲ କାଉନସିଲର ନିୟମାବଳୀ ସମ୍ପର୍କରେ ସମସ୍ତଙ୍କୁ ସୂଚନା ଦେବା ସହିତ ମେଡିକାଲ କଲେଜକୁ ସଫଳ ଭାବେ କାର୍ଯ୍ୟକ୍ଷମ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ ଲୋଡ଼ିଥିଲେ।
ମଙ୍ଗଳବାର ଏହି ହସ୍ତାନ୍ତର ପ୍ରକ୍ରିୟା ପୂବର୍ରୁ ଏନଟିପିସିର ଅଧିକାରୀମାନେ ଉପସ୍ଥିତ ଜିଲ୍ଲା ପ୍ରଶାସନ ଓ ମେଡିକାଲ କଲେଜର ଅଧିକାରୀମାନଙ୍କୁ ସମସ୍ତ ଭିତ୍ତିଭୂମି ବୁଲି ଦେଖାଇଥିଲେ।
Tags: #NTPC #Sundargarh #MedicalCollegeAndHospital #StateGovt
















