ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଚମ୍ପାବତ ବିଧାନସଭା ଉପନିର୍ବାଚନରେ ବିପୁଳ ବିଜୟ ହାସଲ କରିଛନ୍ତି। ଧାମୀ ୫୫,୦୨୫ ଖଣ୍ଡ ଭୋଟରେ ବିଜୟ ହାସଲ କରିଛନ୍ତି। ଏହି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ନିର୍ମଳ ଗୋହତୋଡ଼ିଙ୍କୁ ମାତ୍ରକୁ ୩,୨୩୩ ଖଣ୍ଡ ଭୋଟ ମିଳିଛି। ପୁଷ୍କର ସିଂ ଧାମୀଙ୍କ ବିଜୟ ପରେ ଉତ୍ତରାଖଣ୍ଡରେ ବିଜେପି ପ୍ରାର୍ଥୀମାନେ ବିଜୟ ଉତ୍ସବ ପାଳନ କରିଛନ୍ତି।
ପୁଷ୍କର ସିଂ ଧାମୀଙ୍କ ନେତୃତ୍ୱରେ ବିଜେପି ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ଲଢ଼ିଥିଲା। ବିଜେପି ଏଥିରେ ବିଜୟୀ ମଧ୍ୟ ହୋଇଥିଲା। କିନ୍ତୁ ଏହି ନିର୍ବାନରେ ନିଜେ ଧାମୀ ପରାଜିତ ହୋଇଥିଲେ। ପୁଷ୍କର ସିଂ ଧାମୀ ଖଟିମା ବିଧାନସଭା ଆସନରୁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। ଏହି ପରାଜୟ ପରେ ବି ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ପୁଷ୍କର ସିଂ ଧାମୀଙ୍କୁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଗାଦିରେ ବସାଇଥିଲା।
ଗତ ମେ’ ମାସ ୩୧ ତାରିଖରେ ଚମ୍ପାବତ ବିଧାନସଭା ଆସନ ପାଇଁ ଉପନିର୍ବାଚନ ହୋଇଥିଲା। ଗତ ମାସରେ ମୁଖ୍ୟମନ୍ତ୍ରୀ ଧାମୀଙ୍କ ପାଇଁ ଚମ୍ପାବତ ବିଧାୟକ ପଦବୀରୁ କୈଳାଶ ଗହଲୋଡି ଇସ୍ତଫା ଦେଇଥିଲେ। ଏହା ପରେ ଚମ୍ପାବତ ବିଧାନସଭା ଆସନ ପାଇଁ ଉପନିର୍ବାଚନ ହୋଇଥିଲା।
ଚମ୍ପାବତ ବିଧାନସଭା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ନିର୍ମଲ ଗହତୋଡି, ସମାଜବାଦୀ ପାର୍ଟିର ମନୋଜ କୁମାର ଭଟ୍ଟ ଏବଂ ସ୍ଵାଧୀନ ପ୍ରାର୍ଥୀ ଭାବେ ହିମାଂଶୁ ଗଡକୋଟି ପ୍ରାର୍ଥୀ ହୋଇଥିଲେ। ଚମ୍ପାବତ ବିଧାନସଭା ଆସନ ପାଇଁ ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ଏହି ନିର୍ବାଚନରେ ବାଜି ମାରିଛନ୍ତି ବିଜେପି ପ୍ରାର୍ଥୀ ତଥା ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ।
Tags: #Politics #Election #ByElection #Uttarakhand #ChampabatAssemblyByElection

















