ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ମାଟିର ଲୋକପ୍ରିୟ ନେତା ସ୍ୱର୍ଗତ ଭାଗବତ ବେହେରାଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଛି। ନୟାଗଡ଼ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱର୍ଗତ ନେତାଙ୍କର ଏକବିଂଶତମ ଶ୍ରାଦ୍ଧ ଦିବସ ପାଳନ କରାଯାଇଛି। ଭାଗବତ ବେହେରା ଜଣେ ନିସ୍ୱାର୍ଥପର ତଥା ଦକ୍ଷ ରାଜନେତା ଭାବେ ପରିଚିତ ଥିଲେ।
୧୯୭୪ ମସିହାରୁ ସ୍ୱର୍ଗତ ବେହେରାଙ୍କ ରାଜନୀତି ଜୀବନ ଆରମ୍ଭ ହୋଇଥିଲା। ପ୍ରଥମେ ପ୍ରଜା ସୋସାଲିଷ୍ଟ ପାର୍ଟି, ଜନତା ଦଳ ଓ ପରେ ବିଜୁ ଜନତା ଦଳର ସକ୍ରିୟ ନେତା ଭାବେ କାର୍ଯ୍ୟ କରିଥିଲେ। ବିଚକ୍ଷଣ ବୁଦ୍ଧି ଏବଂ ରାଜନୈତିକ ଦକ୍ଷତା ଯୋଗୁଁ ତାଙ୍କର ରାଜ୍ୟ ଓ କେନ୍ଦ୍ର ସ୍ତରରେ ମଧ୍ୟ ସ୍ୱତନ୍ତ୍ର ପରିଚୟ ଥିଲା। ଗଠନମୂଳକ କାର୍ଯ୍ୟରେ ତାଙ୍କର ଅତୁଳନୀୟ ଅବଦାନ ରହିଥିଲା। ସ୍ୱର୍ଗତ ବେହେରାଙ୍କୁ ଅନ୍ୟତମ କ୍ରାନ୍ତିକାରୀ ନେତା ଭାବେ ମଧ୍ୟୟ ବିବେଚନା କରାଯାଏ।
ତାଙ୍କ ନେତୃତ୍ୱରେ ଜିଲ୍ଲା ଗଠନ ଆନ୍ଦୋଳନର ସଫଳତା ନୟାଗଡ଼କୁ ଏକ ଜିଲ୍ଲାର ମାନ୍ୟତା ପ୍ରଦାନ କରିପାରିଥିଲା। ନୟାଗଡ଼ ବିଧାନସଭା ଆସନରୁ ଏକାଧିକ ବାର ନିର୍ବାଚିତ ହୋଇ ଭାଗବତ ବେହେରା ରାଜ୍ୟ ଶାସନର ବିଭିନ୍ନ ବିଭାଗ ମନ୍ତ୍ରୀ ପଦ ସମ୍ଭାଳି ଥିଲେ। ବିଜେଡି ସରକାରରେ ଶିକ୍ଷାମନ୍ତ୍ରୀ ଥିବା ଅବସ୍ଥାରେ ୨୦୦୨ ଜୁନ ୩ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା। ଏକବିଂଶତମ ଶ୍ରାଦ୍ଧ ବାର୍ଷିକ ଅବସରରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅରୁଣ କୁମାର ସାହୁ ତାଙ୍କ ପ୍ରତିମୂର୍ତ୍ତିରେ ପୂଷ୍ପମାଲ୍ୟ ଅର୍ପଣ କରିଥିଲେ। ବିଜେଡିର ଅନେକ ଲୋକ ପ୍ରତିନିଧି ଓ କର୍ମୀ ମଧ୍ୟ ସ୍ୱର୍ଗତ ବେହେରାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
Tags: #Nayagarh #TributeToBhagwatBehera #RevolutionaryLeader

















