ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁଜନ ସମାଜ ପାର୍ଟି(ବିଏସପି) ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବ। ଏ ନେଇ ଶନିବାର ବିଏସପି ମୁଖ୍ୟ ମାୟାବତୀ ଘୋଷଣା କରିଛନ୍ତି। ସେ କହିଛନ୍ତି ଦଳର ନିଷ୍ପତ୍ତି ଅନୁସାରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରାଯିବ।
ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ। ବିଜେପି ଓଡ଼ିଶାର ଆଦିବାସୀ ନେତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଛି। ଶୁକ୍ରବାର ଦିନ ଦ୍ରୌପଦୀ ମୁର୍ମୁ ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ନିର୍ବାଚନ ଜିତିବା ପାଇଁ ଅନ୍ୟ ଦଳଗୁଡ଼ିକର ସହଯୋଗ ଲୋଡ଼ିଛନ୍ତି ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ।
ବିଜେପି ଆଦିବାସୀ କାର୍ଡ କାମ ଦେଇଛି। ବହୁଜନ ସମାଜ ପାର୍ଟିର ମୁଖ୍ୟ ମାୟାବତୀ ଏନଡିଏ ପ୍ରାର୍ଥୀ ଓଡ଼ିଶାର ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବେ ବୋଲି ଘୋଷଣା କରିଛନ୍ତି। ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ମାୟାବତୀ ଏହି ଘୋଷଣା କରିଛନ୍ତି।
ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିଏସପିର ସମର୍ଥନକୁ ନେଇ ଅନେକ ପ୍ରଶ୍ନ ଉଠିବା ପରେ ଏହାର ଜବାବ ଦେଇଛନ୍ତି ମାୟାବତୀ। ସେ କହିଛନ୍ତି, “ଆମର ଏହି ନିଷ୍ପତ୍ତି ବିଜେପି କିମ୍ବା ଏନଡିଏ ସପକ୍ଷରେ କିମ୍ବା ବିରୋଧୀଙ୍କ ବିପକ୍ଷରେ ନୁହେଁ। ଆମ ଦଳ ଏବଂ ଆମ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି”।
ଦଳିତମାନଙ୍କ ଆନ୍ଦୋଳନରୁ ଜନ୍ମ ନେଇଥିବା ଦଳ ହେଉଛି ବିଏସପି। ଦଳର ଭୋଟ ବ୍ୟାଙ୍କ ମଧ୍ୟ ଦଳିତଙ୍କର। ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ତାଙ୍କୁ ସମର୍ଥନ କରିବାକୁ ମାୟାବତୀ ଘୋଷଣା କରିଛନ୍ତି।
ଶୁକ୍ରବାର ଦିନ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିସାରିବା ପରେ ଦ୍ରୌପଦୀ ମୁର୍ମୁ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଫୋନ ଯୋଗେ କଥା ହୋଇ ସମର୍ଥନ ଲୋଡ଼ିଥିଲେ। ମମତା ବାନାର୍ଜୀ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇବା ସହ ଏ ସମ୍ପର୍କରେ ଦଳ ସହ ଆଲୋଚନା କରିବେ ବୋଲି କହିଥିଲେ।
ସଂଖ୍ୟା ଦୃଷ୍ଟିରୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚନ ଜିତିବାର ଅଧିକ ସମ୍ଭାବନା ରହିଛି। ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ହେବ। ଜୁଲାଇ ୨୧ ତାରିଖରେ ଭୋଟ ଗଣତି ହେବ। ଆସନ୍ତା ଜୁଲାଇ ୨୪ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର କାର୍ଯ୍ୟକାଳ ପୂର୍ଣ୍ଣ ହେବାକୁ ଯାଉଛି। ଏହା ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନ ହେବ।
Tags: #Politics #IndianPolitics #Election #PresidentialElection #BSPSupport #Mayabati #DraupadiMurmu

















