ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠାରୁ ଆରମ୍ଭ ହେଲା ବିଶ୍ଵପ୍ରସିଦ୍ଧ ପବିତ୍ର ଘୋଷଯାତ୍ରା। ଭକ୍ତଙ୍କ ସମାଗମରେ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ ଏକାଠି ହୋଇଛନ୍ତି ଭକ୍ତ ଆଉ ଭଗବାନ। ଲକ୍ଷାଧିକ ଭକ୍ତଙ୍କ ସମାବେଶରେ ଜୟ ଜଗନ୍ନାଥ ଧ୍ଵନିରେ କମ୍ପୁଛି ଶ୍ରୀକ୍ଷେତ୍ର। ପୁରୀକୁ ଆସୁଥିବା ଭକ୍ତମାନଙ୍କୁ ପ୍ରଶାସନ ପକ୍ଷରୁ ମାସ୍କ ପ୍ରଦାନ କରାଯାଇଛି। ଏଥର ସୁରକ୍ଷିତ ଏବଂ ଶୃଙ୍ଖଳିତ ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।
ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଭୋର ୩ଟାରେ ମଙ୍ଗଳ ଆଳତି ଓ ୩ଟା ୩୦ ମିନିଟରେ ମଇଲମ ନୀତି ଶେଷ ହୋଇ ରଥ ପ୍ରତିଷ୍ଠା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ମହାପ୍ରଭୁଙ୍କ ନୀତିକାନ୍ତି ୩ ଘଣ୍ଟା ଆଗୁଆ ଚାଲିଥିବାରୁ ସକାଳ ସାଢ଼େ ୬ଟାରୁ ଆରମ୍ଭ ହୋଇଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ। ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନଙ୍କ ପହଣ୍ଡି ହୋଇଛି। ଗୋଟି ପହଣ୍ଡିରେ ଆସି ଶ୍ରୀ ସୁଦର୍ଶନ ରଥାରୂଢ଼ ହୋଇଛନ୍ତି। ପହଣ୍ଡି ବିଜେ ପରେ ଅପରାହ୍ଣ ୨ଟା୩୦ରୁ ୩ଟା ୩୦ ମଧ୍ୟରେ ଛେରାପହଁରା ନୀତି ଶେଷ ହେବ ଏବଂ ୪ଟାରେ ରଥାଟଣା କାର୍ଯ୍ୟ ଆରମ୍ଭ ହେବ।
ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଧାର୍ଯ୍ୟ ସମୟ ପୂର୍ବରୁ ମହାପ୍ରଭୁଙ୍କ ନୀତିକାନ୍ତି କରାଯାଇଥିଲା। ପ୍ରଥମେ ଶ୍ରୀସୁଦର୍ଶନଙ୍କ ପହଣ୍ଡି ବିଜେ ହେବା ପରେ ବଡ଼ ଭାଇ ବଳଭଦ୍ରଙ୍କ ପହଣ୍ଡି ହୋଇଥିଲା। ଏହା ପରେ ମା’ ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଶେଷରେ କାଳିଆ ସାଆନ୍ତଙ୍କ ପହଣ୍ଡି କରାଯାଇ ରଥାରୁଢ଼ କରାଯାଇଥିଲା। ଘଣ୍ଟ, ଘଣ୍ଟା ଓ ଶଙ୍ଖ ନାଦରେ ପ୍ରକମ୍ପିତ ହେଉଛିଶ୍ରୀକ୍ଷେତ୍ର। ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ।
କୋଭିଡ ମହାମାରୀ ଯୋଗୁଁ ଦୁଇ ବର୍ଷ ହେଲା ରଥଯାତ୍ରାରେ ଭକ୍ତମାନେ ବଞ୍ଚିତ ହୋଇଥିଲେ। ଚଳିତ ବର୍ଷ ରଥଯାତ୍ରାରେ ଭକ୍ତଙ୍କୁ ସାମିଲ ହେବା ପାଇଁ ଅନୁମତି ମିଳିଥିବାରୁ ଚଳିତ ଥର ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି। ସୁରକ୍ଷିତ ଏବଂ ଶୃଙ୍ଖଳିତ ରଥଯାତ୍ରା ପାଇଁ ପୋଲିସ, ଜିଲ୍ଲା ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ୧୮୦ ପ୍ଲାଟୁନ ଫୋର୍ସ, ୧ ହଜାର ପୋଲିସ ଅଧିକାରୀଙ୍କ ଉପରେ ଆଇନଶୃଙ୍ଖଳା ଦାୟିତ୍ୱ ଦିଆଯାଇଛି। ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି।
Tags: #PuriRathYatra #ShreeGundichaYatra #Culture #Festival

















