ଓଡ଼ିଶାଲାଇଭ୍ ବ୍ୟୁରୋ

ଇଂଲଣ୍ଡର ତୃତୀୟ ବୃହତ୍ତମ ମହାନଗର ମାଞ୍ଚେଷ୍ଟରଠାରେ ଦ୍ଵିତୀୟ ରଥଯାତ୍ରା ଉତ୍ସବ ଧୁମଧାମରେ ପାଳନ କରାଯାଇଛି। ସକାଳୁ ସକାଳୁ ମୁଖ୍ୟ ପୂଜାରୀ ପଣ୍ଡିତ ଶ୍ୟାମ ସୁନ୍ଦର ଶର୍ମାଙ୍କର ତତ୍ତ୍ଵାବଧାନରେ ଗୀତାଭବନଠାରେ ବିରାଜମାନ ମହାପ୍ରଭୁ ଜଗନ୍ନଥ, ପ୍ରଭୁ ବଳଭବ୍ର, ଦେବୀ ସୁଭଦ୍ରା ଏବଂ ପ୍ରଭୁ ସୁଦର୍ଶନଙ୍କର ସ୍ଵତନ୍ତ୍ର ପୂଜାର୍ଚ୍ଚନା ରୀତିନୀତି ସହ ସମ୍ପନ୍ନ କରାଯାଇଥିଲା।
ଦିନ ୧୨ଟା୪୫ ମିନିଟରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଧାଡ଼ି ପହଣ୍ଡି ଆରମ୍ଭ ହୋଇଥିଲା। ହରିବୋଲ, ହୁଳହୁଳି ଏବଂ ଜୟ ଜଗନ୍ନାଥ ଧ୍ଵନି ସହ ଭଜନ କୀର୍ତ୍ତନ ଓ ମୃଦ୍ୟୁମନ୍ଦ ନାଦ ମଧ୍ୟରେ ଶ୍ରଦ୍ଧାଳୁମାନେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରଥ ଉପରେ ବିରାଜିତ କରିଥିଲେ। ବିଶେଷ କରି ଏଠାରେ ମହିଳାମାନେ ରୋଷଣୀ କରି ମା’ ସୁଭଦ୍ରାଙ୍କର ପହଣ୍ଡି ବିଜେ କରାଥିଲେ। ରଥଯାତ୍ରା ପାଇଁ ଗୀତା ଭବନକୁ ଚିତ୍ତାକର୍ଷକ ଭାବରେ ସଜ୍ଜିତ କରାଯାଇଥିଲା। ରଥ ଯାତ୍ରାରେ ସାମିଲ ହୋଇଥିଲେ ପ୍ରାୟ ୫୦୦ ଓଡ଼ିଆ ଓ ଅଣଓଡ଼ିଆ ଭକ୍ତ।
ଗୀତାଭବନ ସମ୍ମୁଖରେ ଦଣ୍ଡାୟମାନ ୧୮ ଫୁଟ ଉଚ୍ଚତା ବିଶିଷ୍ଟ ସୁନ୍ଦର, ସୁଶୋଭିତ ଏବଂ ବିଭିନ୍ନ ରଙ୍ଗବେରଙ୍ଗର କପଡ଼ାରେ ସୁସଜ୍ଜିତ ରଥକୁ ମାଇକ ଓ ତାଙ୍କର ସାଥୀ ସ୍ୱେଚ୍ଛାସେବୀମାନେ ନିର୍ମାଣ କରିଥିଲେ। ରଥରେ ଶୋଭା ପାଉଥିବା ମନୋରମ ପଟ୍ଟଚିତ୍ରକୁ ବିବେକ ବାବୁ ଓ ପ୍ରଜ୍ଞାନ ବାବୁ ଅଙ୍କନ କରିଥିଲେ। ଗୀତା ଭବନର ବରିଷ୍ଠ ଟ୍ରଷ୍ଟି ରାଜ କୌଶଳ ପାରମ୍ପରିକ ଛେରା ପହଁରା କାର୍ଯ୍ୟ ସମାପନ କରିବା ପରେ ଦିନ ୧ଟା ୧୫ରେ ରଥଟଣା ଆରମ୍ଭ ହୋଇଥିଲା।
ରଥାରୁଢ଼ ଚତୁର୍ଦ୍ଧା ମୂର୍ତ୍ତିକୁ ୱିଲବ୍ରହମ ରୋଡ, ସେଣ୍ଟୱେରବ୍ରୋ ରୋଡ, ବ୍ରଣ୍ଟିଂହମ୍ ରୋଡ ଓ ୱିଦିନଟଙ୍ଗ ରୋଡ ଆଦି ଦେଇ ପରିକ୍ରମା କରାଯାଇ ପୁଣି ଗୀତା ଭବନ ନିକଟକୁ ଫେରାଇ ଅଣାଯାଇଥିଲା। ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ମାଞ୍ଚେଷ୍ଟର ଗୋର୍ଟନର ସାଂସଦ ଆଫଜଲ୍ ଖାନ, ଷ୍ଟକପୋର୍ଟର ସାଂସଦ ନଭେନ୍ଦୁ ମିଶ୍ର ଏବଂ ପ୍ରଖ୍ୟାତ ଚିକିତ୍ସାବିତ ଡାକ୍ତର ବିଭୁ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।
Tags: #Culture #Festival #OdishaCulture #RathaYatra #Manchester


















