ଓଡ଼ିଶାଲାଇଭ୍ ବ୍ୟୁରୋ
- ସୁନ୍ଦରଗଡ଼ରେ ୭୬ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ
- ଜନସାଧାରଣଙ୍କ ଉଦ୍ୟମ ଯୋଗୁଁ ସାରା ବିଶ୍ୱରେ ଆମ ଦେଶ ନିଜର ସ୍ୱତନ୍ତ୍ର ପରିଚୟ ପାଇପାରିଛି: ମନ୍ତ୍ରୀ ପ୍ରତାପ କେଶରୀ ଦେବ
ସୁନ୍ଦରଗଡ଼ ରିଜର୍ଭ ପୋଲିସ ପଡ଼ିଆଠାରେ ୭୬ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶିଳ୍ପ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଶକ୍ତି ବିଭାଗର ମନ୍ତ୍ରୀ ପ୍ରତାପ କେଶରୀ ଦେବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ।
ଏହି ଅବସରରେ ମନ୍ତ୍ରୀ ଦେଶ ତଥା ରାଜ୍ୟର ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶା ଏବଂ ସୁନ୍ଦରଗଡ଼ ଜିଲ୍ଲାର ସଂଗ୍ରାମୀମାନଙ୍କର ଅବଦାନକୁ ମନ୍ତ୍ରୀ ମନେପକାଇଥିଲେ।
‘‘ଆମ ଦେଶ ଭାରତ ଆଜି ସ୍ୱାଧୀନତାର ୭୫ ବର୍ଷ ଅତିକ୍ରମ କରିଛି। ଏହାକୁ ଆମେ ସ୍ୱାଧୀନତାର ଅମୃତ ମହୋତ୍ସବ ଭାବେ ପାଳନ କରୁଛୁ। ସମସ୍ତ ଜନସାଧାରଣଙ୍କ ଉଦ୍ୟମ ଯୋଗୁଁ ସାରା ବିଶ୍ୱରେ ଆମ ଦେଶ ନିଜର ସ୍ୱତନ୍ତ୍ର ପରିଚୟ ପାଇପାରିଛି। ଏହି ୭୫ ବର୍ଷ ଭିତରେ ଓଡ଼ିଶା ମଧ୍ୟ ବିଭିନ୍ନ କ୍ଷେତ୍ରରେ ଆଗକୁ ଯାଇଛି। ଏହି ଧାରାକୁ ଆହୁରି ଆଗକୁ ନେବା ପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ’’, ସ୍ୱାଧୀନତା ଦିବସ ଅବସରରେ ଅଭିବାଦନ ଗ୍ରହଣ କରି ଏହା କହିଥିଲେ ମନ୍ତ୍ରୀ ପ୍ରତାପ କେଶରୀ ଦେବ।
ମନ୍ତ୍ରୀ ଆହୁରି କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାରେ ବିକାଶର ଧାରା ଜାରି ରହିଛି। ସୁନ୍ଦରଗଡ଼ ଜିଲ୍ଲା ମଧ୍ୟ ଏହି ଧାରାରେ ଯୋଡ଼ି ହୋଇଛି। ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ବୈଷୟିକ ଶିକ୍ଷା, ଦକ୍ଷତା ବିକାଶ, ଉଦ୍ୟୋଗ ବିକାଶ, ଗମନାଗମନ ଏବଂ କ୍ରୀଡ଼ା ଆଦି କ୍ଷେତ୍ରରେ ସୁନ୍ଦରଗଡ଼ ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛି।’’
ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ଏସପି ସାଗରିକା ନାଥ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭୈରବ ସିଂ ପଟେଲ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ଶିବ ଶଙ୍କର ଟପ୍ପୋ, ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ପ୍ରମୁଖ ଉପସ୍ଥିତ ଥିଲେ। ରିଜର୍ଭ ପୋଲିସ ପକ୍ଷରୁ ପରେଡ୍ ପ୍ରଦର୍ଶନ କରାଯାଇଥିଲା।
ସ୍ୱାଧୀନତା ଦିବସ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସକାଳୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସହର ମଧ୍ୟରେ ରାମଧୂନ ପରିବେଷଣ କରାଯାଇଥିଲା। ସୁନ୍ଦରଗଡ଼ ସହରର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହିତ ବିଭିନ୍ନ ସରକାରୀ ଅଫିସ୍ ଏବଂ ସ୍କୁଲ, କଲେଜରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା।
ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଏବଂ ରେଡକ୍ରସ କାର୍ଯ୍ୟାଳୟରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ମହାତ୍ମା ଗାନ୍ଧୀ, ଲାଲବାହାଦୂର ଶାସ୍ତ୍ରୀ ଏବଂ ସୁନ୍ଦରଗଡ଼ର ରାଜା ରଘୁନାଥ ଶେଖର ଦେଓଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
Tags: #IdependenceDay #Celebration #Sundargarh #PratapKeshariDev #SundargarhCollector