ଓଡ଼ିଶାଲାଇଭ୍ ବ୍ୟୁରୋ

ଟିକଟକ ଷ୍ଟାର ତଥା ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କର ସୋମବାର ରାତିରେ ଗୋଆଠାରେ ହୃଦଘାତରେ ମୃତ୍ୟୁ ହୋଇଛି। ମାତ୍ର ୪୨ ବର୍ଷ ବୟସରେ ତାଙ୍କର ଅକାଳ ବିୟୋଗକୁ ନେଇ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।

ଟିକଟକ୍ ଷ୍ଟାର ଭାବେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସୋନାଲି ଫୋଗାଟ ୨୦୧୯ ମସିହାରେ ହରିୟାଣା ନିର୍ବାଚନରେ ବିଜେପି ଟିକେଟରେ ଆଦମପୁର ଅସନରୁ ବିଧାନସଭା ନିର୍ବାଚନ ଲଢ଼ିଥିଲେ। କିନ୍ତୁ ଜିତି ପାରିନଥିଲେ। ଏହା ପରେ ୨୦୨୦ ମସିହାରେ ତାଙ୍କର ଏକ ଭାଇରାଲ ଭିଡିଓ ତାଙ୍କୁ ଅନ୍ୟ ପରିଚୟ ଦେଇଥିଲା। ସେ ଜଣେ ଅଧିକାରୀଙ୍କୁ ଚପଲରେ ମାଡ଼ ମାରିବା ଭିଡିଓ ଭାଇରାଲ ହେବା ପରେ ଚର୍ଚ୍ଚାକୁ ଆସିଥିଲେ। ଏହା ପରେ ବିଗବସ ସିଜିନ ୧୪ରେ ସୋନାଲିଙ୍କୁ ସାମିଲ ହେବା ପାଇଁ ଡକରା ଆସିଥିଲା। ବିଗବସ ଘରେ ସାମିଲ ହୋଇଥିଲେ ସୋନାଲି। ଅଭିନୟ କ୍ଷେତ୍ରରେ ମଧ୍ୟ ସେ ସଫଳତା ହାସଲ କରିଛନ୍ତି। ଅନେକ ମ୍ୟୁଜିକ ଆଲବମରେ ନଜର ଆସିଛନ୍ତି ସୋନାଲି ଫୋଗଟ।

କିଛି ବିଜେପି ନେତାଙ୍କ ସହ ସୋନାଲି ଫୋଗାଟ ଗୋଆ ଯାଇଥିଲେ। ମୃତ୍ୟୁ ପୂର୍ବରୁ ସୋନାଲି ସେମାନଙ୍କ ସହ ଉଠାଇଥିବା ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିବା ସହ ନିଜ ଟୁଇଟର ଆକାଉଣ୍ଟରେ ପ୍ରୋଫାଇଲ ଫଟୋ ବଦଳାଇ ଦେଇଥିଲେ। ସୋମବାର ରାତିରେ ସେ ହୃଦଘାତର ଶିକାର ହୋଇଥିଲେ। ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Tags: #Politician #Actress #SonaliPhogat #Death #HeartAttack

Comment