ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀର୍ଘ ୧୨୦ ବର୍ଷ ଧରି କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରେ ଭର୍ତ୍ତି ହୋଇରହିଥିବା ବାଲି ବାହାର କରାଯିବ। ଏନେଇ ପ୍ରତ୍ନତତ୍ତ୍ୱ ବିଭାଗ(ଏଏସଆଇ) ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ସୂଚନା ଦେଇଛନ୍ତି। ଗର୍ଭଗୃହରୁ ବାଲିକଢ଼ା କାମ ୩ ବର୍ଷରେ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଉନ୍ନତ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରି ବାଲି କଢ଼ାଯିବ। ବୈଷୟିକ ଜ୍ଞାନ କୌଶଳ ଯୋଗାଇବାକୁ ଘରୋଇ କମ୍ପାନୀକୁ ଟେଣ୍ଡର ଦିଆଯାଇଛି।
ତେବେ ବିଡିଆର ନିର୍ମାଣ ପ୍ରାଇଭେଟ ଲିମିଟେଡ କମ୍ପାନୀକୁ ଏହି ଟେଣ୍ଡର ମିଳିଛି। ଘରୋଇ କମ୍ପାନି ଦ୍ୱାରା ପ୍ରଦତ୍ତ ବୈଷୟିକ ଜ୍ଞାନକୌଶଳକୁ ଉପେଯାଗ କରି ବାଲି ବାହାର କରିବା କାର୍ଯ୍ୟରେ ଏଏସଆଇର କର୍ମଚାରୀମାନେ ନିୟୋଜିତ ହେବେ । ବୈଷୟିକ ଜ୍ଞାନ କୌଶଳ ଲାଗି ଘରୋଇ କମ୍ପାନୀର କାର୍ଯ୍ୟ ଆରମ୍ଭ ହୋଇଛି ।
ପ୍ରାଥମିକ ପର୍ଯ୍ୟାୟରେ ୱାର୍କିଂ ପ୍ଲାଟଫର୍ମ ନିର୍ମାଣ ଆରମ୍ଭ ହୋଇଛି। ଏଥିପାଇଁ ଗୁରୁବାର ଦିନ ଏଏସଆଇ ପକ୍ଷରୁ ଭୂମିପୂଜନ କରାଯାଇଛଇ। ଗର୍ଭଗୃହ ସଂଲଗ୍ନ ପଶ୍ଚିମ ଦ୍ୱାର ଦେଇ ଗର୍ତ୍ତ କରି ବାଲି କଢ଼ାଯିବ। ୫ରୁ ୭ ଫୁଟର ଗାତ ଖୋଲି ବାଲି କଢ଼ାଯିବ। ତେବେ ବ୍ଲାକପାଗୋଡ଼ାକୁ ବାଲିମୁକ୍ତ କରିବା ପାଇଁ ୩ବର୍ଷ ସମୟ ଲାଗିବ ବୋଲି ଅରୁଣ ମଲ୍ଲିକ କହିଛନ୍ତି।
୧୨୩୮ଠାରୁ ୧୨୬୪ଖ୍ରୀ.ଅ ମଧ୍ୟରେ ପୁରୀ ଜିଲ୍ଲା ଚନ୍ଦ୍ରଭାଗା ନଦୀ ଓ ବଙ୍ଗୋପସାଗରର ସଙ୍ଗମ ସ୍ଥଳରେ ଗଢିଉଠିଥିବା ଲାଙ୍ଗୁଳା ନରସିଂହଦେବଙ୍କ ଦ୍ୱାରା ସୂର୍ଯ୍ୟଙ୍କ ଉପାସନା ପାଇଁ କୋଣାର୍କ ମନ୍ଦିର ନିର୍ମାଣ କରାଯଇଥିଲା। ସେ ଯୁଗରେ ଏହା ଏକ ପୋତାଶ୍ରୟୀ ବନ୍ଦର ଥିଲା । ପୂର୍ବରୁ ଏହାର ନାମ ଥିଲା କୋଣଗର।
ମନ୍ଦିରଟି ଏକ ରଥ ଆକୃତିର ହୋଇଥିବାବେଳେ ୮୫୭ ଫୁଟ୍ ଦୀର୍ଘ ଓ ୫୪୦ଫୁଟ୍ ପ୍ରଶସ୍ତ ବେଢା ରହିଛି । ୧୩ ଫୁଟ୍ ଉଚ୍ଚ ପଥର ଚଟାଣ ଉପରେ ରଥ ରୂପରେ ବିମାନ ଓ ଜଗମୋହନ ଗଢ଼ାଯାଇଛି। ସେଥିରେ ସାତଟି ପଥର ଘୋଡ଼ା ଯୋଖା ଯାଇଛି। ଏହି ରଥାକୃତି ମନ୍ଦିରରେ ୨୪ଟି ଚକ ମଧ୍ୟ ରହିଛି ।
ଇତିହାସ ଅନୁସାରେ ମନ୍ଦିରଟି କଳିଙ୍ଗ ସ୍ଥାପତ୍ୟ ନିୟମ ଅନୁଯାୟୀ ନିର୍ମାଣ କରାଯାଇଛି । ରାଜା ଲାଙ୍ଗୁଳା ନରସିଂହଦେବ ରାଜତ୍ୱ କାଳରେ ୧୨୦୦ ଶେଷ୍ଠ କାରିଗରଙ୍କ ଦ୍ୱାରା ମନ୍ଦିରର କାମ ଆରମ୍ଭ ହୋଇଥିଲା।
ମନ୍ଦିର ତିଆରିରେ ମୁଖ୍ୟ କାରିଗର ଥିଲେ ବିଶୁ ମହାରଣା। ସମୂଦ୍ରକୂଳ ଚନ୍ଦ୍ରଭାଗାନଦୀ ମୁହାଣରେ ମନ୍ଦିରର ଆରମ୍ଭ ହୋଇଥିଲା । ବିଶୁ ମହାରଣାଙ୍କ ୧୨ ବର୍ଷର ପୁଅ ଧର୍ମପଦ ଏହି ମନ୍ଦିରର ଦଧିନଉତି ସ୍ଥାପନ କରିବାରେ ସକ୍ଷମ ହୋଇଥିଲେ।
ତେବେ ୧୯୦୩ରେ ଇଂରେଜମାନେ ଗର୍ଭଗୃହରେ ବାଲି ଭର୍ତ୍ତି କରିଥିଲେ। ୧୨୦ ବର୍ଷ ହେଲା ମନ୍ଦିର ଗର୍ଭଗୃହରେ ବାଲି ରହିଛି। ଜଗମୋହନ ସୁରକ୍ଷା ପାଇଁ ବାଲି ଭର୍ତ୍ତି କରାଯାଇଥିଲା।
Tags: #Konark #SunTemple #ASI #CultureandTourismDepartment #BDR